ପାକ୍ ସରକାରଙ୍କ ବିରୁଦ୍ଧରେ ଇମ୍ରାନଙ୍କ ପଦଯାତ୍ରା: ନିର୍ବାଚନ ଘୋଷଣା ଦାବିରେ ପଦଯାତ୍ରା, ସମର୍ଥକଙ୍କ ଗହଣରେ ଶକ୍ତି ପ୍ରଦର୍ଶନ

83

କନକ ବ୍ୟୁରୋ: ପାକିସ୍ତାନରେ ରାଜନୈତିକ ସଙ୍କଟ ଥମିବାର ନାଁ ନେଉନି । ଏହାରି ଭିତରେ ବିଭିନ୍ନ ମାମଲାରେ ଛନ୍ଦି ହୋଇପଡିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ପିଟିଆଇ ପକ୍ଷରୁ ଆରମ୍ଭ ହୋଇଛି ପଦଯାତ୍ରା । ଶହ ଶହ ସମର୍ଥକଙ୍କ ଗହଣରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଇମ୍ରାନ । ନିକଟରେ ନିର୍ବାଚନ ଆୟୋଗ ଇମ୍ରାନ ଖାନଙ୍କ ଉପରେ କଟକଣା ଲଗାଇଥିଲେ । ଏହା ସତ୍ୱେ ନିରନ୍ତର ନିର୍ବାଚନ ଦାବି ପାଇଁ ସେ ଜିଦ ଧରିଛନ୍ତି । ଏଥିପାଇଁ ପାକ୍ ସରକାରଙ୍କୁ ମଧ୍ୟବର୍ତୀକାଳୀନ ନିର୍ବାଚନ କରିବାକୁ ଅନୁରୋଧ କରିବା ସହ ଆରମ୍ଭ କରିଛନ୍ତି ପଦଯାତ୍ରା । ଶୁକ୍ରବାର ଆରମ୍ଭ ହୋଇଥିବା ଏହି ପଦଯାତ୍ରା ନଭେମ୍ବର ୪ ଯାଏଁ ଚାଲିବ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରଠୁ ଇମ୍ରାନ ସାଧାରଣ ନିର୍ବାଚନ କରିବାକୁ ଦାବି କରି ଆସୁଛନ୍ତି ।

ହେଲେ ସରକାର ଏହାକୁ ଉଦ୍ଦେଶ୍ୟ ମୂଳକ ଭାବେ କରୁନାହାନ୍ତି, କାରଣ ସରକାରଙ୍କୁ ପରାଜୟକୁ ଭୟ ରହୁଥିବା ନେଇ କହିଛନ୍ତି ଇମ୍ରାନ । ଆଉ ଏଥିପାଇଁ ନିଜ ଶକ୍ତି ଦେଖାଇବା ସହ ସରକାରଙ୍କ ବିରୋଧୀ ପଦଯାତ୍ରା ଆରମ୍ଭ କରିଛନ୍ତିି । ଲାହୋରରୁ ଇସଲାମାବାଦ ଯାଏ ଏହି ପଦଯାତ୍ରା ଚାଲିବ । ଏହାର ପ୍ରଭାବ ସରକାରଙ୍କ ଉପରେ ପଡ଼ିବ ଏବଂ ତୁରନ୍ତ ଦେଶରେ ସାଧାରଣ ନିର୍ବାଚନ ଘୋଷଣା କରିବେ ବୋଲି ସେ ଆଶାବାଦୀ ଅଛନ୍ତି ।

ସେପଟେ  ଇମ୍ରାନଙ୍କ ପଦଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଶାହାବାଜ ସରିଫ ସରକାର । ଏହାକୁ ଦୃଷ୍ଟିରେ ରଖି ଇସଲାମାବାଦରେ ୧୩ ହଜାର ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି । ବିଭିନ୍ନ ସ୍ଥାନରେ ଫାୟାର ବିଗ୍ରେଡ ଗାଡ଼ି ସହ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି ।

ପଦଯାତ୍ରା ପୂର୍ବରୁ ଇମ୍ରାନଙ୍କୁ ବିରୋଧର ସାମ୍ନା କରିବାକୁ ପଡିଛି । ଗୁରୁବାର ଇମ୍ରାନ ଲାହୋର ବାର୍ ଆସୋସିଏସନ ଗସ୍ତ ବେଳେ ତାଙ୍କ ବିରୋଧରେ ଘଂଟା ଚୋର ନାରାବାଜି ଦେଇଥିଲେ ଅନେକ ଆଇନଜୀବୀ । ବିରୋଧୀ ଦଳର ଓକିଲମାନେ ଏହି ସ୍ଲୋଗାନ୍ ଦେଇଥିଲେ । ସେପଟେ ପାକ୍ ସେନା ମୁଖ୍ୟ ମଧ୍ୟ ପିଟିଆଇ ନେତା ଇମ୍ରାନଙ୍କ ବିରୋଧରେ କଡ଼ା ମନ୍ତବ୍ୟ ରଖିଛନ୍ତି । ଏକ କାର୍ଯ୍ୟକ୍ରମରେ ଇମ୍ରାନଙ୍କୁ ଦେଶଦ୍ରୋହ ବୋଲି ସମ୍ବୋଧନ କରିଛନ୍ତି ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ।

ପିଟିଆଇର ଏହି ପଦଯାତ୍ରାର ଉଦ୍ଦେଶ୍ୟ କେବଳ ନିର୍ବାଚନ ଘୋଷଣା ନେଇ କରାଯାଉଛି । ଏଥିରେ କୌଣସି ପ୍ରକାର ହିଂସା ଘଟାଇବା ଉଦ୍ଦେଶ୍ୟ ନୁହେଁ ବୋଲି କହିଛନ୍ତି ଇ୍ରମାନ ଖାନ୍ । ପଦଯାତ୍ରାରେ କୌଣସି ନିୟମ ଉଲ୍ଲଂଘନ ହେବ ନାହିଁ କିମ୍ବା ହାଇ ସିକ୍ୟୁରିଟି ଥିବା ରେଡ୍ ଆଲର୍ଟ ଅଂଚଳରେ ପ୍ରବେଶ କରିବେ ନାହିଁ ବୋଲି ଇମ୍ରାନ୍ ସ୍ପଷ୍ଟୀକରଣ ରଖିଛନ୍ତି ।