ପୁଲୱାମା ଆକ୍ରମଣକୁ ନେଇ ମୁହଁ ଖୋଲିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ! ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ନେଇ ମାଗିଲେ ପ୍ରମାଣ । 

218

କନକ ବ୍ୟୁରୋ : ପୁଲୱାମା ହମଲାକୁ ପାଂଚ ଦିନ । ମୁହଁ ଖୋଲିଲେ ପାକ୍ ପ୍ରଧାନମନ୍ତ୍ରୀ । ପାଂଚ ଦିନରେ ସହିଦ ହେଲେଣି ୪୬ ଜଣ ଯବାନ । ସାରାଦେଶ ସହିଦଙ୍କ ସମ୍ମାନରେ ଏକାଠି ହୋଇଛି । ଦୁଃଖ ଯେତିକି, ଗର୍ବ ସେତିକି, ଆଉ ରାଗ ବି ସେତିକି ବଢିବାରେ ଲାଗିଛି । ପାକିସ୍ତାନକୁ ଜବାବ ଦେବାପାଇଁ ଗୋଟିଏ ସ୍ୱରରେ ଆହ୍ୱାନ ଦେଉଛି ଦେଶ । ଏତିକିବେଳେ ସାମ୍ନାକୁ ଆସିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ନେଇ ମାଗିଛନ୍ତି ପ୍ରମାଣ । ନିଜ ମାଟିରେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇଆସୁଥିବା ବେଳେ, ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ।

ପାକିସ୍ତାନର ବାହାୱଲପୁରରେ ରହୁଛି ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଜହର । ପାକ୍ ଆର୍ମି ହେଡକ୍ୱାର୍ଟରରୁ ମାତ୍ର ୮ରୁ ୯ କିଲୋମିଟର ଦୂରରେ ରହିଛି ଜୈସର ମୁଖ୍ୟାଳୟ ଜାମିଆ ସୁଭାନ ଆଲ୍ଲା । ତାରି ଇସାରାରେ ଭାରତ ମାଟିରେ ହେଉଛି ଗୋଟିଏ ପରେ ଗୋଟିଏ ଆତଙ୍କୀ ହମଲା । ତଥାପି ପାକିସ୍ତାନର ସଂପୃକ୍ତି ନେଇ ପ୍ରମାଣ ମାଗୁଛନ୍ତି ଇମ୍ରାନ ଖାନ୍ ।

ବଡକଥା ହେଉଛି ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଅଜମଲ କସାବକୁ ଜୀବତ ଧରି ପାକିସ୍ତାନ ସଂପୃକ୍ତିର ସବୁଠାରୁ ବଡ ପ୍ରମାଣ ଦେଇଥିଲା ଭାରତ । ଉରି, ପଠାନକୋଟ୍ ଆକ୍ରମଣ ପରେ ବିଭିନ୍ନ ଫୋରମରେ ବାରମ୍ବାର ପାକ୍ ପ୍ରାୟୋଜିତ ଆତଙ୍କୀ ହମଲାର ପ୍ରମାଣ ଦେଇଆସିଛି ନୂଆଦିଲ୍ଲୀ । ତଥାପି ପାକିସ୍ତାନ ମାଟିରେ ରହି ଭାରତ ବିରୋଧୀ ଷଡଯନ୍ତ୍ର କରୁଥିବା ମାସୁଦ ଆଜହର କିମ୍ବା ହାଫିଜ ସୟିଦ ବିରୋଧରେ କୌଣସି ପଦକ୍ଷେପ ନେଇନାହାନ୍ତି ଇସଲାମାବାଦ ସରକାର । ଆଉ ଏବେ ପ୍ରମାଣ ବାହାନାରେ ପରୋକ୍ଷରେ ଭାରତକୁ ନାଲିଆଖି ଦେଖାଇଛନ୍ତି ଇମ୍ରାନ ଖାନ୍ । ଭାରତ ଆକ୍ରମଣ କଲେ ପାକିସ୍ତାନ ପାଲଟା ଆକ୍ରମଣ କରିବ ବୋଲି ଦେଇଛନ୍ତି ଚେତାବନୀ ।

ପୁଲୱାମା ହମଲା ପରେ ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି ସରକାର । କୁଟନୈତିକ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରିବାକୁ ପ୍ରଥମେ ମୋଷ୍ଟ ଫବେର୍ଡ ନେସନର ମାନ୍ୟତା ପ୍ରତ୍ୟାହାର କରାଗଲା । ପରେ ପଡୋଶୀଠାରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ୨୦୦ ପ୍ରତିଶତକୁ ବଢାଇ ଦିଆଗଲା । ଏପରିକି ପୁଲୱାମା ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି କହି ସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ପରେ ଯେମିତି ବିଚଳିତ ହୋଇପଡିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । କୌଣସି ପ୍ରକାର ବଡଧରଣର ଆକ୍ରମଣ ଭୟରେ ପାକିସ୍ତାନର ସଂପୃକ୍ତି ନେଇ ପ୍ରମାଣ ମାଗିବା ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ପାକିସ୍ତାନ ମାଟିରେ ରହି ଭାରତ ବିରୋଧରେ ଷଡଯନ୍ତ୍ର ଚଳାଇଥିବା ଆତଙ୍କବାଦୀ ଗୋଷ୍ଠୀଙ୍କ ପଛରେ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସଆଇର ପୂର୍ଣ୍ଣ ସମର୍ଥନ ରହିଛି । ଆଉ ସେନା ସହାୟତାରେ କ୍ଷମତାକୁ ଆସିପାରିଥିବା ଇମ୍ରାନ ଖାନ୍ ଆତଙ୍କୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ।

ଇମ୍ରାନ ଖାନଙ୍କ ଏହି ବିବୃତି ପରେ ପୁଣିଥରେ ପାକିସ୍ତାନର ମିଛ ପଦାରେ ପଡିଯାଇଛି । ନିଜେ ଆତଙ୍କବାଦର ଶିକାର ବୋଲି କହି ଅନ୍ତର୍ଜାତୀୟ ସମୁଦାୟର ଅନୁକମ୍ପା ହାସଲ କରିବାକୁ ବୃଥା ପ୍ରୟାସ ଆରମ୍ଭ କରିଛି । ହେଲେ ଅସଲ କଥାହେଲା, ପୁଲୱାମା ହମଲା ପଛରେ ପାକିସ୍ତାନୀ ଆତଙ୍କୀ ସଂଗଠନ ଜେଇଏମର ହାତ ରହିଥିବା ସଂଗଠନ ନିଜେ ସ୍ୱୀକାର କରିସାରିଛି । ଆଉ ଆତଙ୍କବାଦ ବିରୋଧୀ ଅଭିଯାନରେ ଭାରତକୁ ମିଳୁଥିବା ସମର୍ଥନକୁ ଦେଖି ଭୟଭୀତ ହୋଇପଡିଛନ୍ତି ପାକିସ୍ତାନ ସରକାର । ଯେଉଁଥି ପାଇଁ ବିଳିବିଳେଇ ଉଠିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ।