ପାକିସ୍ତାନରେ ରାଜନୈତିକ ସଂକଟ : ଆସନ୍ତାକାଲି ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଅନାସ୍ଥା ଭୋଟିଂ

86

କନକ ବ୍ୟୁରୋ : ପଡୋଶୀ ପାକିସ୍ତାନରେ ଚାଲିଥିବା ରାଜନୈତିକ ସଂକଟ ଧିରେ ଧିରେ ଗଭୀର ହେବାରେ ଲାଗିଛି । ପାକିସ୍ତାନ ସୁପ୍ରିମକୋର୍ଟଙ୍କ ରାୟ ପରେ ଇମ୍ରାନ ଖାନଙ୍କ ସବୁ ଚାଲ ଫେଲ ମାରିଛି । ଆସନ୍ତାକାଲି ନ୍ୟାସନାଲ ଆସେମ୍ବ୍ଲିରେ ଇମ୍ରାନ ଖାନ୍ ପୁଣି ଅନାସ୍ଥା ପ୍ରସ୍ତାବ ଭୋଟିଂର ସମୁଖୀନ ହେବାକୁ ଯାଉଛନ୍ତି । ଅନାସ୍ଥା ଭୋଟିଂରେ ଇମ୍ରାନ ପରାଜିତ ହେଲେ ନେସନାଲ ଆସେମ୍ବ୍ଲି ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତି କରିପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ପାକ୍ ଚିଫ୍ ଜଷ୍ଟିସ ଉମର ଅତା ବନ୍ଦିୟାଲ କହିଛନ୍ତି, ନ୍ୟାୟାଳୟ ରାଷ୍ଟ୍ରୀୟ ହିତ ଓ ବ୍ୟବହାରିକ ସମ୍ଭାବନାକୁ ଆଖିରେ ରଖି ରାୟ ଶୁଣାଇଛନ୍ତି ।

ସୁପ୍ରିମକୋର୍ଟଙ୍କ ୫ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଗୁରୁବାର ମାମଲାର ଶୁଣାଣି କରି ନେସନାଲ ଆସେମ୍ବ୍ଲିର ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବକୁ ଖାରଜ ନିଷ୍ପତିକୁ ଅଣସାମ୍ବିଧାନିକ କହି ରଦ୍ଦ କରିଦେଇଛନ୍ତି । ସଂସଦକୁ ଭଙ୍ଗ କରି ତିନି ମାସ ଭିତରେ ନିର୍ବାଚନ ପାଇଁ ପାକିସ୍ତାନ ରାଷ୍ଟ୍ରପତି ଅରିଫ ଅଲଭି ଦେଇଥିବା ନିଷ୍ପତିକୁ ମଧ୍ୟ ଖାରଜ କରି ଦେଇଛନ୍ତି । ନ୍ୟାସନାଲ ଆସେମ୍ବଲିକୁ ପୁନଃ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କ୍ରିକେଟରରୁ ରାଜନେତା ବନିଥିବା ଇମ୍ରାନଙ୍କ ଚମତ୍କାର ଗୋଟି ଚାଳନା ସୁପ୍ରିମକୋର୍ଟରେ ଫେଲ ହୋଇଯାଇଛି । କ୍ରିକେଟ ଭାଷାରେ କହିବାକୁ ଗଲେ, ଶେଷ ମୂହୂର୍ତରେ ଇମ୍ରାନ-ସରକାର ଅନାସ୍ଥା ପ୍ରସ୍ତାବକୁ ନେସନାଲ ଆସେମ୍ଲିରେ ଖାରଜ କରାଇ ଚମକ୍ରାର ସୁଇଂ ବୋଲିଂ ଜରିଆରେ ବିରୋଧୀଙ୍କ ପାଦ ତଳୁ ମାଟି ଖସାଇ ଦେଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ସେହି ସୁଇଂ ବଲକୁ ନୋ ବଲ ଘୋଷଣା କରିଛନ୍ତି ।

ଫଳରେ ଇମ୍ରାନଙ୍କ ସମସ୍ତ ଚାଲ ଫେଲ ମାରିଛି । ଏବେ ସଂସଦରେ ଇମ୍ରାନଙ୍କୁ ଆସନ୍ତା ୯ ତାରିଖରେ ଅଗ୍ନିପରୀକ୍ଷା ଦେବାକୁ ହେବ । ଏପ୍ରିଲ ୯ସକାଳ ୧୦ଟାରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟିଂ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିରୋଧୀ ଗୋଷ୍ଠୀ ନିକଟରେ ଅଧିକ ସାଂସଦ ରହିଥିବାରୁ ଇମ୍ରାନଙ୍କ ପରାଜୟ ନିଶ୍ଚିତ ବୋଲି କୁହାଯାଉଛି । ଗତ ୩ତାରିଖ ଦିନ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ହେବାର ଥିଲା । କିନ୍ତୁ ଶେଷ ମୁହୂର୍ତରେ ଏହାକୁ ଖାରଜ କରି ଦେଇଥିଲେ ଉପବାଚସ୍ପତି । ଏହାପରେ ଇମ୍ରାନଙ୍କ ସୁପାରିଶ କ୍ରମେ ନାସନାଲ୍ ଆସେମ୍ବଲୀକୁ ଭାଙ୍ଗି ପୁଣିଥରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲା ରାଷ୍ଟ୍ରପତି । ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ବିରୋଧୀ ।