ଇମ୍ରାନ ଖାନଙ୍କୁ ଟାର୍ଗେଟ କଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ: କହିଲେ ଏମିତି କଥା…

217

କନକ ବ୍ୟୁରୋ: ବଦଳିଛି ପାକିସ୍ତାନ ରାଜନୀତିର ରୂପରେଖ । ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ପାକିସ୍ତାନ ମୁସଲିମ୍ ଲିଗ୍ -ନୱାଜର ପ୍ରମୁଖ ନେତା ଶହୱାଜ ଶରିଫ ଦେଶର ୨୩ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଉ ଶପଥ ନେବା ପରେ ଇମ୍ରାନ ଖାନ୍ ଓ ତାଙ୍କ ଦଳ ବିରୋଧରେ ମତ ରଖିଛନ୍ତି । ଶହୱାଜ କହିଛନ୍ତି ସର୍ବପ୍ରଥମେ ଉକ୍ତ ଚିଠିକୁ ନେଇ ତଦନ୍ତ ହେବ, ଯେଉଁ ଚିଠିକୁ ନେଇ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆମେରିକା ବିରୋଧରେ ଅଭିଯୋଗ ଆଣିଥିଲେ ।

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପିଏମଏଲ-ଏନ ନେତା ଶହୱାଜ ଶରିଫ୍ । ସୋମବାର ସଂସଦରେ ନିଦ୍ୱର୍ନ୍ଦରେ ପ୍ରଧାନମନ୍ତ୍ରୀ ଭାବେ ବାଜି ମାରି ନେଇଛନ୍ତି ଶହୱାଜ । ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ସଂସଦରେ ନିଜ ଅଭିଭାଷଣ ରଖି ଇମ୍ରାନ ଖାନ ଓ ଦଳକୁ ଟାର୍ଗେଟ କରିଥିଲେ ଶହୱାଜ । ସେ କହିଥିଲେ, ପ୍ରଥମେ ସେହି ଚିଠିର ତଦନ୍ତ କରାଯିବ ଯାହାକୁ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆମେରିକାର ଧମକ ବୋଲି ଭାବୁଛନ୍ତି ।

ଯାହାକୁ ନେଇ ଇମ୍ରାନଙ୍କ ଦଳ ପିଟିଆଇର ନେତା ଫୱାଦ ଚୌଧୁରୀ କହିଛନ୍ତି – ତଦନ୍ତର ଆବଶ୍ୟକତା ନାହିଁ । ଆମେରିକା ଚିଠି ସ୍ପଷ୍ଟ ବଖାଣୁଛି । ଗତ ୨୭ ମାର୍ଚ୍ଚରେ ଏକ ର୍ୟାଲିରେ ଇମ୍ରାନ ଖାନ୍ ଆମେରିକାର ଚିଠି ବିଷୟରେ କହିଥିଲେ । ଇମ୍ରାନ ଅଭିଯୋଗ କରିଥିଲେ, ୟୁକ୍ରେନ-ରୁଷିଆ ଯୁଦ୍ଧକୁ ନେଇ ଜାତିସଂଘରେ ରୁଷିଆ ବିରୋଧରେ ମତ ଦେବାକୁ ଚିଠି ଲେଖି ପାକିସ୍ତାନ ଉପରେ ଚାପ ପକାଇଥିଲା ଆମେରିକା । ଆଉ ଏବେ ଇମ୍ରାନ ଓ ତାଙ୍କ ପାର୍ଟି ସତାରୁ ବେଦଖଲ ହେବା ପରେ ନୂଆ ପ୍ରଧାନମନ୍ତ୍ରୀ ଶହୱାଜ ଶରିଫ ଇମ୍ରାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ସାରିଲାଣି ।

ପ୍ରଧାନମନ୍ତ୍ରୀ ହେବା ପରେ ଶହୱାଜ ଶରିଫ ଏବେ ନିଜ ମନ୍ତ୍ରୀ ମଣ୍ଡଳ ଗଢିବାରେ ବ୍ୟସ୍ତ ଅଛନ୍ତି । କୁହାଯାଉଛି ଶହୱାଜ କେବଳ କଣ୍ଢେଇ ଭାବେ ପାକ୍ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ । ଦେଶ ପାଇଁ ସବୁ ନିଷ୍ପତି ନେବେ ବଡ ଭାଇ ନୱାଜ ଶରିଫ ।