ପାକିସ୍ତାନରେ ରାତି ଅଧରେ ସତା ପରିବର୍ତ୍ତନ : କ୍ଷମତାରୁ ବିଦା ହେଲେ ଇମ୍ରାନ ଖାନ

356

କନକ ବ୍ୟୁରୋ : ପଡୋଶୀ ପାକିସ୍ତାନରେ କିଛି ଦିନ ହେଲା ଚାଲିଥିବା ରାଜନୈତିକ ସଂକଟ ନିର୍ଣ୍ଣାୟକ ମୋଡ ନେଇଛି । ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସଂସଦରେ ଆସ୍ଥା ଭୋଟରେ ଇମ୍ରାନ ଖାନ ପରାଜିତ ହୋଇଛି । ଫଳରେ ପାକିସ୍ତାନରେ ଇମ୍ରାନ ଖାନ ସରକାରର ପତନ ଘଟିଛି । ପାକିସ୍ତାନର ନେସନାଲ ଆସେମ୍ବ୍ଲିରେ ଅନାସ୍ଥା ଭୋଟରେ ବିରୋଧୀ ବିଜୟୀ ହୋଇଛନ୍ତି । ପ୍ରସ୍ତାବ ସପକ୍ଷରେ ୧୭୪ ଭୋଟ ପଡିଥିବା ବେଳେ ବିରୋଧରେ ଗୋଟିଏ ବି ଭୋଟ ପଡି ନାହିଁ ।

ଭୋଟ ପୂର୍ବରୁ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ସମସ୍ତ ସାଂସଦ କକ୍ଷ ତ୍ୟାଗ କରିଥିଲେ, କେହି ମତଦାନ ପ୍ରକ୍ରିୟାରେ ସାମିଲ ହୋଇନଥିଲେ । ଫଳରେ ଫଳାଫଳ ଏକପାଖିଆ ବିରୋଧୀଙ୍କ ସପକ୍ଷରେ ଯାଇଥିଲା । ଅନାସ୍ଥା ଭୋଟରେ ହାରିବା ପରେ ଇମ୍ରାନ ସରକାର କ୍ଷମତାରୁ ବିଦା ହୋଇଛି । ସୋମବାର ବା ଆସନ୍ତାକାଲି ପାକିସ୍ତାନ ସଂସଦ ନୂଆ ପ୍ରଧାନମନ୍ତ୍ରୀ ବାଛିବ ବୋଲି ସୂଚନା ମିଳିଛି । ତେବେ ପୂର୍ବତନ ବିରୋଧୀ ଦଳ ନେତା ତଥା ପାକିସ୍ତାନ ମୁସଲିମ ଲିଗ ନୱାଜ ସାଂସଦ ଶାହବାଜ ସରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ଚାଲିଥିଲା ବେଳେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଛାଡି ଇସଲାମାବାଦର ଇନିଗାଲା ସ୍ଥିତ ନିଜ ବାସଭବନକୁ ଚାଲି ଯାଇଛନ୍ତି ।

ସେପଟେ ପାକିସ୍ତାନରେ ପରିସ୍ଥିତି ଅଶାନ୍ତ ହୋଇପଡିଛି । କରାଚୀ ସମେତ ଦେଶର ବିଭିନ୍ନ ସ୍ଥାନରେ ରାସ୍ତା ଉପରକୁ ଆସି ଇମ୍ରାନ ସମର୍ଥକ ବିରୋଧ ପ୍ରଦର୍ଶନ କରିଛନ୍ତି । ରବିବାର ବିଦେଶୀ ଷଡଯନ୍ତ୍ର ବିରୋଧରେ ରାଜାରାସ୍ତାକୁ ଓହ୍ଲାଇବା ପାଇଁ ପୂର୍ବରୁ ନିଜ ସମର୍ଥକଙ୍କୁ ଇମ୍ରାନ ଅପିଲ କରିଥିବାରୁ ଆଜି ସ୍ଥିତି ଆହୁରି ବିସ୍ଫୋରକ ରୂପ ନେଇପାରେ । ତେଣୁ ଇସଲାମାବାଦର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି ଓ ଇସଲାମାବାଦରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ସେନା ମୁତୟନ କରାଯାଇଛି ।

ବହୁ ବାଦ ବିବାଦ ପରେ ଶେଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗାଦିଚ୍ୟୁତ ହୋଇଛନ୍ତି । ଅନାସ୍ଥା ଭୋଟରେ ବହିଷ୍କୃତ ହେବାରେ ଇମ୍ରାନ୍ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ । ଗତକାଲି ଦିନ ତମାମ ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

– ଅନାସ୍ଥା ଭୋଟ୍ ପୂର୍ବରୁ ଇସ୍ତଫା ଦେଇଥିଲେ ଉଭୟ ବାଚସ୍ପତି ଓ ଉପବାଚସ୍ପତି
– ଅନାସ୍ଥା ଭୋଟ୍ କରାଇଥିଲେ ଜଣେ ଅସ୍ଥାୟୀ ବିଚାରପତି
– ମତଦାନ ପୂର୍ବରୁ କକ୍ଷତ୍ୟାଗ କରିଥିଲେ ଇମ୍ରାନଙ୍କ ଦଳର ସମସ୍ତ ସଦସ୍ୟ
– ଇମ୍ରାନ୍ ଖାନଙ୍କ ବିରୋଧରେ ପଡ଼ିଥିଲା ୧୭୪ଟି ଭୋଟ୍
– ଅନାସ୍ଥାରେ ହାରିବା ପରେ ସରକାରୀ ବାସଭବନ ଛାଡିଛନ୍ତି ଇମ୍ରାନ ଖାନ
– ଇମ୍ରାନ୍ ପାକିସ୍ତାନ ଛାଡିବା ଉପରେ ରୋକ୍ ଲଗାଇବାକୁ ବିରୋଧୀଙ୍କ ଦାବି
– ଇମ୍ରାନଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସମର୍ଥକ
– ଲାହୋର ସହ ଇସଲାମାବାଦରେ ଆନ୍ଦୋଳନ ପାଇଁ ସମର୍ଥକଙ୍କ ପ୍ରସ୍ତୁତି
– ସିଲ କରାଯାଇଛି ଇସଲାମାବାଦର ସମସ୍ତ ପ୍ରବେଶ ପଥ
– ଇସଲାମାବାଦରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ସେନା ମୁତୟନ