ଭାରତ ସହ ସମ୍ପର୍କ କାଟିଲା ପାକିସ୍ତାନ ! ଭାରତ ସହ ବାଣିଜ୍ୟିକ ସମ୍ପର୍କ ଛିନ୍ନ କଲା, ପାକିସ୍ତାନରୁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହଟାଇଲା ଇମ୍ରାନ ସରକାର ।

2,318

କନକ ବ୍ୟୁରୋ : ଭାରତ ସହ ସମ୍ପର୍କ କାଟିଲା ପାକିସ୍ତାନ । ଧାରା ୩୭୦ ଉଚ୍ଛେଦକୁ ନେଇ ବିଳିବିଳେଇଲା ପାକିସ୍ତାନ । ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ଛିନ୍ନ କଲା ପାକ୍ । ଜାତୀୟ ସୁରକ୍ଷା କମିଟି ବୈଠକରେ ଆଲୋଚନା ପରେ ଏଭଳି ନିଷ୍ପତି ନେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ।

ଏହାସହ ଭାରତର ହାଇକମିଶନରଙ୍କୁ ଇସଲାମାବାଦରୁ ହଟାଇବାକୁ ନିଷ୍ପତି ନେଇଛି ପାକ୍ ସରକାର । ଏହାସହ ଭାରତ ସହ ସମସ୍ତ ଦ୍ୱିପାକ୍ଷିକ ଚୁକ୍ତିନାମା ଉପରେ ଅଙ୍କୁଶ ଲଗାଇବାକୁ ଷଡଯନ୍ତ୍ର ରଚିଛନ୍ତି ଇମ୍ରାନ ଖାନ୍ । ସବୁଠୁ ବଡ କଥା ହେଲା, ଏହି ନିଷ୍ପତି ପରେ ଏଲଓସି ସୀମାରେ କଡାପ୍ରହାର ବଢାଇଛି ପାକିସ୍ତାନ ।

କେବଳ ଏତିକି ନୁହେଁ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘକୁ ନେବାକୁ ଧମକ ଦେଇଛି ପାକିସ୍ତାନ । ଇମ୍ରାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜାତୀୟ ସୁରକ୍ଷା ବୈଠକରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରିବା ନେଇ ପ୍ରସ୍ତାବ ପାରିତ ହୋଇଛି । ଏପରିକି ଭାରତକୁ ନିଜର ହାଇକମିଶନର ନ ପଠାଇବାକୁ ମଧ୍ୟ ନିଷ୍ପତି ନେଇଛି ପାକିସ୍ତାନ ।

ପୂର୍ବରୁ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ବିରୋଧ କରିଥିଲେ । ଆଉ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲରେ ମୋହର ମାରିବା ପରେ ଚିହିଁକି ଉଠିଛି ପାକିସ୍ତାନ ।