୧୦ଟି ରାଜ୍ୟକୁ ସତର୍କ କଲେ ସରକାର । ୧୦%ରୁ ଅଧିକ ସଂକ୍ରମଣହାର ରହୁଥିବା ଜିଲ୍ଲା ଗୁଡିକରେ କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ।

148

କନକ ବ୍ୟୁରୋ : ୧୦ଟି ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ନିୟନ୍ତ୍ରଣକୁ ଆସିନାହିଁ । ଯାହାକୁ ନେଇ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ସତର୍କବାଣୀ ଶୁଣାଇଛନ୍ତି । ୧୦ଟି ରାଜ୍ୟର ୪୬ଟି ଜିଲ୍ଲାରେ ଏବେ ବି କରୋନା ସଂକ୍ରମଣ ହାର ଅଧିକ ରହୁଛି । ଫଳରେ ରାଜ୍ୟଗୁଡିକୁ କଠୋର କୋଭିଡ କଟକଣା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।

ଯେଉଁ ୧୦ ରାଜ୍ୟକୁ କରୋନା ସଂକ୍ରମଣ ପାଇଁ ସତର୍କବାଣୀ ଶୁଣାଇଛନ୍ତି କେନ୍ଦ୍ର ସରକାର, ସେଥିରେ ଓଡ଼ିଶା ମଧ୍ୟ ରହିଛି । କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଓଡିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଓ ମଣିପୁରକୁ କୋଭିଡ୍ କଟକଣା କଡ଼ାକଡ଼ି କରିବାକୁ କୁହାଯାଇଛି । କେନ୍ଦ୍ର ସରକାର କହିଛନ୍ତି, ୪୬ଟି ଜିଲ୍ଲାରେ ୧୦ ପ୍ରତିଶତ ଉପରେ ରହିଛି ସଂକ୍ରମଣ ହାର । ସଂକ୍ରମଣ ହାର ନିୟନ୍ତ୍ରଣକୁ ନଆସିଲେ ଏହା ଦେଶରେ ତୃତୀୟ ଲହର ଆଣିପାରେ ବୋଲି ଆଶଙ୍କା କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

କିଛି ସପ୍ତାହ ହେବ ୪୬ ଟି ଜିଲ୍ଲାରେ ୧୦ ପ୍ରତିଶତ ଉପରେ ରହୁଛି ସଂକ୍ରମଣ ହାର ଏବଂ ଅନ୍ୟ ୫୩ଟି ଜିଲ୍ଲାରେ ୫ରୁ ୧୦ ପ୍ରତିଶତ ଭିତରେ ଟେଷ୍ଟ ପଜିଟିଭ୍ ରେଟ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୪୬ଟି ରାଜ୍ୟରେ କରୋନା ସଂକ୍ରମଣ କାହିଁକି ଖସୁ ନାହିଁ, ଏନେଇ ଆଲୋଚନା କରାଯାଇଥିଲା । ଏହି ସବୁ ସ୍ଥାନରେ ୮୦ ପ୍ରତିଶତ ସକ୍ରିୟ ସଂକ୍ରମଣ ଘରୋଇ ସଂଗରୋଧରେ ରହୁଥିବାରୁ ସେମାନଙ୍କ ମନିଟର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛି ।

ସେହିପରି କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ରହିଥିବାରୁ ସେମାନଙ୍କ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ଦେଶରେ ଏବେବି କରୋନାର ଦ୍ୱିତୀୟ ଲହର ଶେଷ ହୋଇନାହିଁ । ଫଳରେ ଯେଉଁ ସବୁ ରାଜ୍ୟରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହୁଛି, ସେମାନେ ସତର୍କ ନରହିଲେ ଦେଶରେ ତୃତୀୟ ଲହର ଆସିବାର ଆଶଙ୍କା ବୃଦ୍ଧି ପାଇବ ବୋଲି ଚିନ୍ତା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।