କୃଷକଙ୍କ ରେଳ ରୋକ୍ । ରେଳ ଧାରଣାରେ ଶୋଇ ରେଳ ଅଟକାଇଲେ ଚାଷୀ । ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ପଡିଲା ପ୍ରଭାବ

109

କନକ ବ୍ୟୁରୋ : ଟ୍ରାକ୍ଟର ରାଲି, ଚକା ଜାମ୍ ଓ ଏବେ ରେଳ ରୋକ୍ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି ନୂତନ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ କୃଷକ ମାନେ ରେଳ ରୋକ କରିଛନ୍ତି । ଗୁରୁବାର କୃଷକ ସଂଗଠନ ମାନଙ୍କ ପକ୍ଷରୁ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ଟା ଯାଏ ଏହି ରେଳ ରୋକ୍ ଚାଲିଛି ।

ଏହି ରେଳ ରୋକରେ ଦେଶର ସମସ୍ତ ପ୍ରାନ୍ତରରୁ କୃଷକ ସଂଗଠନ ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । କୃଷକ ମାନେ ବିଭିନ୍ନ ସ୍ଥାନରେ ଟ୍ରାକ ଉପରେ ଶୋଇ ରହି ରେଳ ଅଟକାଉଥିବା ଦେଖିବାକୁ ମିଳିଛି । ଫଳରେ ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ରେଳ ସେବା ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀରେ ୪ ଟି ମେଟ୍ରୋ ଷ୍ଟେସନକୁ ରେଳ ବିଭାଗ ପକ୍ଷରୁ ବନ୍ଦ କରାଯାଇଛି । ଏହାସହ ନଙ୍ଗଲୋଇ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଧିକାଂଶ ସ୍ଥାନରେ ରେଳ ଅଟକି ରହିଛି । ଶେଷ ସୂଚନା ମୁତାବକ ଏହି ଆନ୍ଦୋଳନ ଏବେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ।

କୃଷକ ମାନେ ଏହି ବିଲ୍ କୁ ବିରୋଧ କରି ଦୀର୍ଘ ୩ ମାସ ହେବ ଧାରଣାରେ ବସିଥିବା ବେଳେ ଏନେଇ ସରକାରଙ୍କ ସହ ୧୧ ଥର ବୈଠକ ବସି ସାରିଛି । ହେଲେ ଏହି ବୈଠକରୁ କିଛି ସୁଫଳ ମିଳୁ ନଥିବାରୁ କୃଷକ ମାନେ ସେମାନଙ୍କର ଆନ୍ଦୋଳନର ତରିକା ବଦଳାଇବାରେ ଲାଗିଛନ୍ତି । ପ୍ରଥମେ ଟ୍ରାକ୍ଟର ରାଲି, ତା ପରେ ଚକା ଜାମ୍ ଓ ଆଜି ରେଳ ରୋକ କରି କୃଷକ ସଂଗଠନ ମାନେ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଛନ୍ତି ।

ଚାଷୀ ଆନ୍ଦୋଳନ ମଧ୍ୟରେ ପଞ୍ଜାବରେ ହୋଇଥିବା ମ୍ୟୁନିସପାଲଟି ନିର୍ବାଚନରେ କୃଷକ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି । ପଞ୍ଜାବ ନିର୍ବାଚନ ରେ ବିଜେପି ଏକ ପ୍ରକାର ସଫା ହୋଇ ଯାଇଛି । କଂଗ୍ରେସକୁ ଆଶାତିତ ସଫଳତା ମିଳିଥିବା ବେଳେ ଅକାଳୀଦଳ କାଁ ଭାଁ କେଉଁଠି ଜିତି ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରିଛି ।