ରାଜ୍ୟରେ ବର୍ଷା ଜାରି : ଆଜି ୧୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

802

କନକ ବ୍ୟୁରୋ :  ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି । ଉପକୂଳ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା । ସର୍ବାଧିକ ବର୍ଷା କନ୍ଧମାଳ ଜିଲ୍ଲା କୋଟାଗଡ଼ରେ ୩୮ମିମି ରେକର୍ଡ ହୋଇଛି । ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ୩୬.୪ମିମି, ନୂଆପଡ଼ା ଜିଲ୍ଲା ନୂଆପଡ଼‌ାରେ ୨୬ମିମି ଓ ନବରଙ୍ଗପୁର ରାଇଘରରେ ୨୧ମିମି ବର୍ଷା ହୋଇଛି । ଆସନ୍ତା ୩ଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବାରୁ ଆ‌ଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପକ୍ଷେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଦେଖାଦେଇଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା ପାରଳାଖେମୁଣ୍ଡିଠାରେ ୧୩ଡିଗ୍ରି ରେକର୍ଡ ହୋଇଛି। ତେବେ ଆସନ୍ତା ୪ରୁ ୫ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି କେନ୍ଦ୍ର କହିଛି ।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ୧୪ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟା‌ଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏଣୁ ଏହି ୧୫ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୧୩ ତାରିଖ ଦିନ କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର ଓ ସମ୍ବଲପୁର ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ଓ କୁଆପଥର ପଡ଼ିବାର ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ।