ସଞ୍ଜରେ ବହିବ ସାଙ୍ଘାତିକ ପବନ । ବାଲେଶ୍ୱର, ଭଦ୍ରକରେ ୯୦ରୁ ୧୦୦ କି.ମି ବେଗରେ ବହିବ । ଲ୍ୟାଣ୍ଡଫଲ ବେଳେ ଉତ୍ତର ଓଡିଶାରେ ପଡିବ ଅଧିକ ପ୍ରଭାବ

658

କନକ ବ୍ୟୁରୋ: ଉତ୍ତର ଓଡିଶାରେ ବଢୁଛି ପବନର ବେଗ । ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗ ଗତି କଲା ବେଳେ ଏହାର ପ୍ରଭାବ ଉତ୍ତର ଓଡିଶାରେ ପଡୁଛି । ବାଲେଶ୍ୱରରେ ଏବେ ୯୧ କି.ମି ବେଗରେ ପବନ ବହୁଛି । ସେହିପରି ଚାନ୍ଦବାଲିରେ ୭୪ କି.ମି ବେଗରେ ପବନ ବହୁଛି ।

ତେବେ ବାଲେଶ୍ୱର, ଭଦ୍ରକରେ ସନ୍ଧ୍ୟାରେ ପବନ ଆହୁରି ବଢିବାର ଆଶଙ୍କା ରହୁଛି । ୯୦ରୁ ୧୦୦ କି.ମି ଯାଏଁ ଏହି ଦୁଇ ଜିଲ୍ଲାରେ ପବନ ବଢିପାରେ । ତେବେ ସନ୍ଧ୍ୟା ପରେ ପବନର ବେଗ କମିବ । କେନ୍ଦ୍ରାପଡା, ଗଜତସିଂହପୁରରେ ଏବେ ୩୦ରୁ ୪୦ କିମି ବେଗରେ ପବନ ବହୁଛି ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ।

ସେପଟେ ବାତ୍ୟା ପରବର୍ତ୍ତୀ ମୁକାବିଲା ଆଉ ଉଦ୍ଧାର କାର୍ଯ୍ୟ ପାଇଁ ଓଡିଶାରେ ୨୦ଟି ଏନଡିଆରଏଫ ଟିମ୍ ମୁତୟନ । ପଶ୍ଚିମବଙ୍ଗରେ ୧୯ଟି ଟିମ୍ ମୁତୟନ ଅଛନ୍ତି । ବାଲେଶ୍ୱରରେ ୬ଟି ଟିମ୍, କେନ୍ଦ୍ରାପଡାରେ ୩ଟି, ଭଦ୍ରକରେ ୪ଟି ଏବଂ ଜଗତସିଂହପୁରରେ ୪ଟି ଏନଡିଆରଏଫ ଟିମ୍ ଉଦ୍ଧାରକାମ ପାଇଁ ମୁତୟନ ଅଛନ୍ତି ବୋଲି ଏନଡିଆରଏଫ ଡିଜି ସୂଚନା ଦେଇଛନ୍ତି ।