କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ୧୯ ଓ ୨୦ ତାରିଖରେ ସାରା ରାଜ୍ୟରେ ପୁଣି ବର୍ଷା ହେବ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ମୁତାବକ ଗତକାଲି ସକାଳେ ଯେଉଁ ଲଘୁଚାପ ବଳୟ ସୃଷ୍ଟି ହୋଇଥିଲା ତାହା ବର୍ତ୍ତମାନ ଉତ୍ତର ପୂର୍ବ ବଙ୍ଗୋପ ସାଗରରେ କେନ୍ଦ୍ରିଭୂତ ହୋଇଛି । ଏହା ଧିରେ ଧିରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆଜି ସଂନ୍ଧ୍ୟା ସୁଦ୍ଧା ଏହା ୱେଲମାର୍କ ଲୁ ପ୍ରେସର ଅଞ୍ଚଳରେ ପରିଣତ ହେବ ।

Advertisment

ଏହା କାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବ । ଏହା ଅବପାତର ରୂପ ନେବା ପରେ ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ ଆଜି ସନ୍ଧ୍ୟା ଠାରୁ ଉତ୍ତର ଓଡିଶାର ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି କି ଆସନ୍ତା କାଲି ଅର୍ଥାତ ୧୯ ତାରିଖରେ ଅଧିକ ବିପଦ ରହିଛି । ଏହି କ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରେ ବର୍ଷା ହେବ ଓ ଅଳ୍ପ କେତକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ଆଇଏମଡି ଡିଜି କହିଛନ୍ତି ।

ସେପଟେ ଜଦି ଜିଲ୍ଲା ଜିଲ୍ଲା ଆଧାରରେ କୁହାଯିବ ତେବେ ଉତ୍ତର ଓଡିଶାରେ ଥିବା ଜିଲ୍ଲାଗୁଡିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି । ୨୦ ତାରିଖ ସକାଳେ ଏହି ଅବପାତ ଝାଡଖଣ୍ଡ ନିକଟରେ ପହଂଚିବ । ଏହାର ପ୍ରଭାବରେ କେବଳ ଉତ୍ତର ପଶ୍ଚିମ ଓଡିଶାରେ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗିର, କଳାହାଣ୍ଡି, ନୂଆପଡା ଓ ବରଗଡ ଜିଲ୍ଲା । ଏହି ଜିଲ୍ଲାଗୁଡିକରେ ୨୦ ତାରିଖରେ ସର୍ବାଧିକ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।