ଦିବ୍ୟାଙ୍ଗ ହେଲେ ବି ମାନିନଥିଲେ ହାର । ବିନା ହାତରେ କାର ଡ୍ରାଇଭିଂ କରିବାରେ ଦେଶର ପ୍ରଥମ ମହିଳା, ଜାଣନ୍ତୁ କେମିତି ଡ୍ରାଇଭିଂ ଲାଇସେନ୍ସ ହାତେଇଥିଲେ ମ୍ୟାରିଅଟ ।

994

କନକ ବ୍ୟୁରୋ : ନୂଆ ମୋଟରଯାନ ଆଇନ ଆସିବା ପରେ ପୂରା ଦେଶରେ ଟ୍ରାଫିକ ନିୟମ କଡାକଡି ହୋଇଛି । ହେଲମେଟ ଚେକିଂ ଠାରୁ ଆରମ୍ଭ କରି ନୂଆ ଲାଇସେନ୍ସ ଦେବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଛି । କିନ୍ତୁ ଏସବୁ ଭିତରେ କେରଳରୁ ଆସିଛି ଏକ ଭିନ୍ନ ଚିତ୍ର । କେରଳ କରିମନୁର ଅଞ୍ଚଳର ୨୮ ବର୍ଷୀୟ ଜିଲୁମଲ ମ୍ୟାରିଅଟ ଥୋମାସଙ୍କ ଡ୍ରାଇଭିଂ ଲାଇସେନ୍ସକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । କାରଣ ମ୍ୟାରିଅଟ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଛି । ମ୍ୟାରିଅଟ ଗୋଡ ସାହାଯ୍ୟରେ କାର ଚଳାଇଥାନ୍ତି । ୨୦୧୮ରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଥିଲା ।

ମ୍ୟାରିଅଟ ପେସାରେ ଜଣେ ଗ୍ରାଫିକ୍ସ ଡିଜାଇନର । ତେବେ ସେ ଥେଲିଡୋମାଇଟ ସିଣ୍ଡ୍ରୋମରେ ପୀଡିତ ଥିବା କାରଣରୁ ହାତର ବିକାଶ ସେଭଳି ହୋଇପାରିନଥିଲା । ତେବେ ଛୋଟବେଳୁ ମ୍ୟାରିଅଟଙ୍କର କାର ଚଳାଇବା ପାଇଁ ଇଚ୍ଛା ଥିଲା । ତେଣୁ ଗ୍ରାଫିକ୍ସ ଡିଜାଇନିଂ ସହ କାର ଚଳାଇବା ଆରମ୍ଭ କରିଥିଲେ ମ୍ୟାରିଅଟ । ପ୍ରଥମରୁ ତାଙ୍କୁ କାର ଚଳାଇବା ପାଇଁ ବେଶ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ତେବେ ଧୀରେ ଧୀରେ ଗୋଡରେ ଗାଡି ଚଳାଇବା ଆରମ୍ଭ କରିଥିଲେ ମ୍ୟାରିଅଟ । ଆଉ କିଛି ଦିନ ମଧ୍ୟରେ ଗୋଡରେ କାର ଚଳାଇବାରେ ପାରଙ୍ଗମ ହୋଇ ଯାଇଥିଲେ ମ୍ୟାରିଅଟ । ତେବେ ୨୦୧୪ରେ ଯେତେବେଳେ ସେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ଆରଟିଓ ଯାଇଥିଲେ ସେତେବେଳେ ଆରଟିଓ ପକ୍ଷରୁ ତାଙ୍କୁ ଲାଇସେନ୍ସ ଦେବାକୁ ଅନୁମତି ମିଳିନଥିଲା ।

ତେବେ କାର ଚଳାଇବା ପାଇଁ ଛୋଟବେଳୁ ଇଚ୍ଛା ରହିଥିବାରୁ ଆରଟିଓଙ୍କ ନିଷ୍ପତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମ୍ୟାରିଅଟ । ଆଉ ହାଇକୋର୍ଟରେ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଗ୍ରୀନ୍ ସିଗନାଲ ମିଳିଥିଲା । ତେବେ ଏଥିପାଇଁ କୋର୍ଟରେ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥିଲା । ବିନା ହାତ କିମ୍ବା ଗୋଡରେ କଣ ଗାଡି ଚଳାଇ ହେବନି ବୋଲି କୋର୍ଟରେ ଯୁକ୍ତି ବାଢିଥିଲେ ମ୍ୟାରିଅଟ । ଏପରିକି କିଛି ବ୍ୟକ୍ତିଙ୍କର ଉଦାହରଣ ମଧ୍ୟ କୋର୍ଟ ସାମ୍ନାରେ ରଖିଥିଲେ ମ୍ୟାରିଅଟ । ଦେଶରେ ଦିବ୍ୟାଙ୍ଗ ପୁରୁଷ କାର ଚାଳକ ଥିବା ଅଷ୍ଟ୍ରେଲିଆରେ ଦିବ୍ୟାଙ୍ଗ ମହିଳା କାର ଚାଳକ ଥିବାର ଉଦାହରଣ ରଖିଥିଲେ ମ୍ୟାରିଅଟ । ଆଉ ଏହାପରେ କୋର୍ଟ ମ୍ୟାରିଅଟଙ୍କ ଆବେଦନକୁ ସ୍ୱୀକାର କରି ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଶେଷରେ ଲାଇସେନ୍ସ ପାଇବା ପରେ ୨୦୧୮ରେ କାର କିଣିଥିଲେ ମ୍ୟାରିଅଟ । ଏହି କାରଟି ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କାର ରହିଥିଲା । ତେବେ ଏନେଇ ମ୍ୟାରିଅଟ କହିଥିଲେ, ଏହି କାରକୁ ଆରଟିଓଙ୍କ ଗାଇଡଲାଇନ ଅନୁଯାୟୀ ନିର୍ମାଣ କରାଯାଇଥିଲା ।