ସାମ୍ନାକୁ ଆସିଲେ ନକଲି ଔଷଧ କାରବାରର ମୁଖ୍ୟ କାର୍ପଟଦାର! ଥାନାରେ ଏତଲା ପରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

681

କନକ ବ୍ୟୁରୋ: କଟକରେ ନକଲି ଔଷଧ କାରବାର ମୁଖ୍ୟ କାର୍ପଟଦାର ଏବେ ପୋଲିସ୍ ହେପାଜତରେ । ଥାନାରେ ଆତ୍ମସମର୍ପଣ କରିଛନ୍ତି ପୂଜା ଏଣ୍ଟରପ୍ରାଇଜେସ୍ ଓ ଭିଆର ଏଜେନ୍ସିର ମାଲିକ । ନକଲି ଟେଲମା-୪୦ ଓ ଟେଲମା-ଏଏମ୍ ଜବତ ହେବା ପରେ ଏହି ଘଟଣାରେ ପୋଲିସ୍ ଖୋଳତାଡ଼ କରୁଛି ।

ସଞ୍ଜୟ ଜଲାଲ ଓ ରାହୁଲ କୟାଲ । ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ଓ ଟେଲମା-ଏଏମର ନକଲି ଔଷଧ ବିକ୍ରି କରିବାରେ ଥିଲେ ମୁଖ୍ୟ କାର୍ପଟଦାର । ପୁରୀ ଘାଟ ଥାନାରେ ଡ୍ରଗ୍ସ ଇନ୍ସପେକ୍ଟର ଅଭିଯୁକ୍ତଙ୍କ ନାଁରେ ଏତଲା ଦେଇଥିଲେ । ଏହାପରେ ଦୁଇ ଔଷଧ ବ୍ୟବସାୟୀ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଏହାପୂର୍ବରୁ ଡ୍ରଗ୍ସ ଇନ୍ସପେକ୍ଟର କଟକ ମାଣିକଘୋଷ ବଜାରରେ ଥିବା ଭିଆର ଏଜେନ୍ସି ଏବଂ ଜାଉଁଳିଆପଟି କଟକରେ ଥିବା ପୂଜା ଏଣ୍ଟରପ୍ରାଇଜେସ ନାଁରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ ପ୍ରକ୍ରିୟା ଜୋରଦାର କରୁଥିବା ବେଳେ ଆତ୍ମସମର୍ପଣ କରିଛନ୍ତି ଦୁଇ ଅଭିଯୁକ୍ତ । ଏବେ ଦୁଇ ଅଭିଯୁକ୍ତ ଏବଂ ଏହା ସହ ଜଡିତ ଥିବା ଅନ୍ୟ ମାନଙ୍କୁ ପୋଲିସ ଜେରା କରୁଛି । ଆବଶ୍ୟକ ପଡିଲେ ଔଷଧ ନାଁରେ ଲୋକଙ୍କ ଜୀବନ ସହ ଖେଳିଥିବା ଏହି ବ୍ୟବସାୟୀଙ୍କ ଅଫିସରେ ତାଲା ପକାଇପାରେ ପୋଲିସ ।

  • ନକଲି ଔଷଧର ଖିଅ ଖୋଜୁଛି ପୋଲିସ
  • ରାଜ୍ୟ ବାହାରକୁ ଯିବ ତଦନ୍ତକାରୀ ଟିମ୍

ନକଲି ଔଷଧ ବିକ୍ରି ବ୍ୟବସାୟ ବଢାଇବା ପଛରେ କିଏ ? ଔଷଧ ନାଁରେ ଲୋକଙ୍କ ଜୀବନ ସହ ଖେଳ ଖେଳିବାର ନାଟକ କିଏ ରଚିଥିଲା? ଏବଂ କଟକର ଏହି ଦୁଇ ଔଷଧ ବ୍ୟବସାୟୀଙ୍କ ସହ କିପରି ଯୋଗାଯୋଗ ହେଲା? କାହିଁକି ଗ୍ଲେନମାର୍କ କମ୍ପାନୀର ନାଁକୁ ବ୍ୟବହାର କରୁଥିଲେ? ରାଜ୍ୟ ବାହାରକୁ ଯାଇ ତଦନ୍ତକାରୀ ଟିମ୍ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବ ବୋଲି ସୂଚନା ମିଳିଛି ।

ତେବେ ଏହା ପୂର୍ବରୁ ଦୁଇ ଅଭିଯୁକ୍ତ ସଞ୍ଜୟ ଜଲାଲ ଓ ରାହୁଲ କୟାଲ ଆତ୍ମସମର୍ପଣ କରିବା ପୋଲିସକୁ ଆବଶ୍ୟକ ପ୍ରମାଣ ଯୋଗାଇବ ବୋଲି ଆଶା କରାଯାଉଛି । ଅନ୍ୟପଟେ ଏତଲାରେ ଦର୍ଶାଯାଇଥିବା ଭିଆର ଏଜେନ୍ସିର ମାଲିକାଣୀ ବର୍ଷାରାଣୀ କୟାଲ ଏବଂ ପୂଜା ଏଣ୍ଟରପ୍ରାଇଜେସର ମାଲିକାଣୀ ଚଞ୍ଚଳ ଜଲାଲଙ୍କୁ ପୋଲିସ ଜେରା କେବେ ଜେରା କରିବ ତାହା ଏବେ ବଡ ପ୍ରଶ୍ନ?

ଅସଲି ଖୋଳ ଭିତରେ ନକଲି ଔଷଧ ବିକ୍ରି ଅଭିଯୋଗ ଆସିବା ପରେ ଏବେ ସାଧାରଣ ଲୋକ ଭୟଭୀତ । ଆଉ ବିଶେଷଜ୍ଞ ନକଲି ଔଷଧ ସ୍ୱାସ୍ଥ୍ୟ ପାଇଁ ହାନିକାରକ କହିବା ପରେ ଲୋକେ ଏବେ ଔଷଧ କିଣିବା ବେଳେ ସଚେତନ ହେବା ଜରୁରୀ ହୋଇପଡିଛି ।