ଜୁଲାଇ ୧ତାରିଖରୁ ବଦଳିଯିବ ଏହି ବ୍ୟାଙ୍କର ଆଇଏଫଏସସି କୋଡ୍ । ଅଚଳ ହୋଇଯିବ ଚେକ୍ ବୁକ୍ ।

399

କନକ ବ୍ୟୁରୋ : ଯଦି ଆପଣ ସିଣ୍ଡିକେଟ୍ ବ୍ୟାଙ୍କର ଗ୍ରାହକ ଅଟନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଗତବର୍ଷ ଅର୍ଥାତ ୨୦୨୦ ଏପ୍ରିଲ ୧ ତାରିଖରୁ କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍ ବ୍ୟାଙ୍କକୁ ମିଶ୍ରଣ କରାଯାଇଛି । ତେଣୁ ଆସନ୍ତା ଜୁଲାଇ ୧ ତାରିଖରୁ ଏହି ବ୍ୟାଙ୍କର ଆଇଏଫଏସସି କୋଡ୍ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଏପରି ସ୍ଥିତିରେ ସିଣ୍ଡିକେଟ୍ ବ୍ୟାଙ୍କ ଆଇଏଫଏସସି କୋଡ୍ କେବଳ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ କାମ କରିବ । ଆଉ ଜୁଲାଇ ୨୦୨୧ରୁ ବ୍ୟାଙ୍କର ନୂଆ ଆଇଏଫଏସସି କୋଡ୍ ଲାଗୁ ହେବ । ତେଣୁ ଗ୍ରାହକମାନଙ୍କୁ ସେମାନଙ୍କ ବ୍ୟାଙ୍କ ଶାଖାରୁ ନୂଆ ଆଇଏଫଏସସି କୋଡ୍ ନେବାକୁ ପଡିବ ।

ସିଣ୍ଡିକେଟ୍ ବ୍ୟାଙ୍କ ସହ କାନାରା ବ୍ୟାଙ୍କ ମଧ୍ୟ ଏଥିପାଇଁ ଗ୍ରାହକଙ୍କୁ ସତର୍କ ସୂଚନା ଜାରି କରିଛି । ଜୁଲାଇ ୧ ତାରିଖ ପାଖେଇ ଆସୁଥିବାରୁ ବିଜ୍ଞାପନ ମାଧ୍ୟମରେ ସିଣ୍ଡିକେଟ୍ ବ୍ୟାଙ୍କର ଗ୍ରାହକଙ୍କୁ ପୁଣି ଥରେ ମନେପକାଇଦେଇଛି । କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍ ବ୍ୟାଙ୍କର ମିଶ୍ରଣ ପରେ SYNBରୁ ଆରମ୍ଭ ହୋଇଥିବା ସମସ୍ତ ଇ-ସିଣ୍ଡିକେଟ୍ ଆଇଏଫଏସସି କୋଡ୍ ଗୁଡିକୁ ପରିବର୍ତ୍ତନ କରାଯାଇଛି । SYNBରୁ ଆରମ୍ଭ ହୋଇଥିବା ସମସ୍ତ ଆଇଏଫଏସସି କୋଡ୍ ଗୁଡିକ ୨୦୨୧ ଜୁଲାଇ ୧ ତାରିଖରୁ ଅବୈଧ ହୋଇଯିବ । ଆଉ ଏହା ସହ ପୁରୁଣା ଚେକ୍ ବୁକ୍ ମଧ୍ୟ ଅଚଳ ହୋଇଯିବ ।