ଥମୁନି ମୂର୍ତ୍ତି ଉଚ୍ଚତା ବିବାଦ: ପାରମ୍ପରିକ ମୂର୍ତ୍ତି ପାଇଁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବ ଶାନ୍ତି କମିଟି ।

92

କନକ ବ୍ୟୁରୋ: ମୂର୍ତ୍ତି ଉଚ୍ଚତାକୁ ନେଇ ବିବାଦ ଲାଗି ରହିଥିବା ବେଳେ ମୁଖମନ୍ତ୍ରୀଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ଶାନ୍ତି କମିଟି ଏବଂ ପୂର୍ବାଞ୍ଚ ଶାନ୍ତି କମିଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପୂଜାମଣ୍ଡପ ଗୁଡିକୁ ସେମାନଙ୍କର ପାରମ୍ପରିକ ଉଚ୍ଚତା ଅନୁଯାୟୀ ମୂର୍ତ୍ତି ଗଢ଼ିବାକୁ ଅନୁମତି ଦେବାକୁ ଦାବି ଜଣାଇବେ ।

ସେହିପରି କୋଭିଡ୍ କଟକଣା ଭିତରେ ମଣ୍ଡପରେ ଦେବୀଙ୍କ ଦର୍ଶନ ପାଇଁ ଅନୁମତି ଦେବାକୁ ଦାବି ରଖିବେ । କଟକ ସାଂସଦ ଭର୍ତୃହରି ମହତାବ ଓ କଟକ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ, କଟକ ସହରବାସୀଙ୍କ ପକ୍ଷରୁ ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରଖିବେ । ଆସନ୍ତା ୧୬ ତାରିଖରେ ସମସ୍ତ କମିଟିର ପରବର୍ତ୍ତୀ ବୈଠକ ହେବ । ଏହି ବୈଠକରେ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

ତେବେ ଏନେଇ ଗତାକାଲି ଭର୍ତୃହରି ମହତାବ କହିଥିଲେ କି, ମୂର୍ତ୍ତି ଉଚ୍ଚତା ନ ବଢିବା ଅର୍ଥ ପୂଜାରେ ବିଘ୍ନ ହେବା । ମହାରାଷ୍ଟ୍ର ଓ କୋଲକାତାରେ ମୂର୍ତ୍ତିର ଉଚ୍ଚତା କମ୍ ହୋଇନଥିବା କହି ଉଦାହରଣ ଦେଇଥିଲେ ସାଂସଦ । ତେଣୁ କଟକଣା କୋହଳ ପାଇଁ ସରକାରଙ୍କୁ ପୁଣି ନିବେଦନ କରାଯାଉ ବୋଲି ସାଂସଦ କହିଥିଲେ । ନିକଟରେ ମୂର୍ତ୍ତିର ଉଚ୍ଚତା ବଢାଇବା ପାଇଁ ବିଭିନ୍ନ ସଂଗଠନ ଦାବି କରିଥିଲେ । ଏହାପରେ ଗତ ଶୁକ୍ରବାର ଦିନ ଏସଆରସି ପକ୍ଷରୁ କୁହାଯାଇଥିଲା କରୋନାର ତୃତୀୟ ଲହରକୁ ଆଖି ଆଗରେ ରଖି ରାଜ୍ୟ ସରକାର ପାର୍ବଣ ପାଇଁ କୌଣସି କଟକଣାରେ କୋହଳ କରିବେ ନାହିଁ । ତେଣୁ ଅଗଷ୍ଟ ୯ରେ ସରକାର ଜାରି କରିଥିବା ଗାଇଡଲାଇନ ବଳବତ୍ତର ରଖିଛନ୍ତି ।

ଅନ୍ୟପଟେ ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପରେ ପରଦା ଟଣା ପ୍ରସଙ୍ଗକୁ ନେଇ ଗତକାଲି ବସିଥିବା କଟକ ଶାନ୍ତି କମିଟି ବୈଠକରେ ଅଶାନ୍ତି ଦେଖାଦେଇଥିଲା । ବୈଠକରେ ପ୍ରବଳ ହୋହଲ୍ଲା ଓ ନାରାବାଜି ହୋଇଥିଲା । ମୂର୍ତ୍ତି ଉଚ୍ଚତା ନ ବଢିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପୂଜା କମିଟିର କିଛି କର୍ମକର୍ତ୍ତା ଏଭଳି ହୋହଲ୍ଲା କରିଥିଲେ । ପରିସ୍ଥିତିକୁ ଶାନ୍ତ କରିବା ପାଇଁ ହୋହଲ୍ଲା କରୁଥିବା କର୍ମକର୍ତାଙ୍କୁ ସଭାସ୍ଥଳ ବାହାରକୁ ନିଆଯିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଦୁର୍ଗାମୂର୍ତ୍ତିର ଉଚ୍ଚତା ବୃଦ୍ଧ ପାଇଁ ପୂର୍ବରୁ ଅନେକ ସଙ୍ଗଠନ ଦାବି କରିଥିଲେ । ଏହାସତ୍ୱେ ମୂର୍ତ୍ତି ଉଚ୍ଚତା ବଢିବ ନାହିଁ ବୋଲି ସରକାର ଘୋଷଣା କରିଥିଲେ ।