କୁନି ବୟସରେ ସଂପର୍କର ସଂଜ୍ଞା ବୁଝାଇଦେଲା ବାଳକ …ମାଆର ସେବା ପାଇଁ ଭୁଲିଗଲା ଧୂଳିଖେଳ, ଛାଡିଦେଲା ପାଠପଢା…ରୋଷେଇ କରୁଛି, ନିଜ କଅଁଳ ହାତରେ ଦୃଷ୍ଟିହୀନା ମାଆକୁ ଖୁଆଇଦେଉଛି ଘେନୁ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ହୋଇପାରୁନି ଅସ୍ତ୍ରୋପଚାର

840

କନକ ବ୍ୟୁରୋ: ତୁ କେତେ ରାତି ମୋ ପାଇଁ ଅନିଦ୍ରା ହୋଇଥିବୁ ମାଆ.. ଏବେ ମୋ ପାଳି…୧୦ ବର୍ଷର କଅଁଳ ଶିଶୁଟିଏ ସିନା ହେଲେ ଏଇ ବୟସରେ ସେ ବୁଝିପାରିଛି ମାଆର ସେବାଠୁ ଏ ଦୁନିଆରେ ଆଉ ବଡ ସେବା କିଛି ନାହିଁ । ଖାସ୍ ଏଇଥିଲାଗି ସେ ଧୂଳି ଖେଳ ଛାଡି ସାଙ୍ଗସାଥିଙ୍କ ମେଳରେ ସ୍କୁଲ ନ ଯାଇ ନିଜ ପାଠପଢାରେ ଡୋରି ବାନ୍ଧିଦେଇଛି । ରୋଷେଇ କରୁଛି, ବାସନ ବି ମାଜୁଛି ଆଉ ନିଜ କଅଁଳ ହାତରେ ଅନ୍ଧୁଣୀ ମାଆକୁ ଖୁଆଇ ମଧ୍ୟ ଦେଉଛି । ପ୍ରତିମୁହୂର୍ତ୍ତରେ ମାଆର ପାଖେ ପାଖେ ରହି ତାର ସେବା କରି ଆସୁଛି ।

କୋରାପୁଟ ଗୋଡିହଂଜର ପଂଚାୟତର ବନ୍ଧପଡା ଗାଁରେ ଘେନୁ ପଡାଲର ଘର । ଆଉ ଦୃଷ୍ଟିଶକ୍ତି ହରାଇଥିବା ଏହି ୪୫ ବର୍ଷୀୟ ମହିଳା ଜଣକ ହେଲେ ଘେନୁର ମାଆ ଡାଳିମ୍ବ ପଡାଲ । ପୂର୍ବରୁ ତାଙ୍କର ବେଶ୍ ହସ ଖୁସିର ଏକ ଛୋଟିଆ ସଂସାର ଥିଲା । ହେଲେ ତାଙ୍କର ଏହି ଖସ ଖୁସିର ସଂସାର ବେଶି ଦିନ ଚାଲିପାରିଲା ନାହିଁ । ଘେନୁକୁ ଯେତେବେଳେ ମାତ୍ର ୬ମାସ ହୋଇଥିଲା ସେହି ସମୟରେ ଅଣଜା ରୋଗରେ ଆକ୍ରାନ୍ତ ହୋଇ ଡାଳିମ୍ବଙ୍କର ସ୍ୱାମୀ ଆରପାରିକୁ ଚାଲିଗଲେ । ଆଉ ଏହାର କିଛି ଦିନ ପରେ ଉଚ୍ଚରକ୍ତ ଚାପରେ ଶିକାର ହୋଇ ଡାଳିମ୍ବ ମଧ୍ୟ ଭିନ୍ନକ୍ଷମ ପାଲଟିଗଲେ । ତେବେ ସାହି ପଡିଶାଙ୍କ ସହାୟତା କ୍ରମେ ସେ ଚିକିତ୍ସିତ ହେଲେ ଏବଂ ସୁସ୍ଥ ମଧ୍ୟ ହୋଇଗଲେ । ଆଉ କୁଲି ମଜୁରୀ କାମ କରି ପୁଅକୁ ପାଳି ଆସୁଥିଲେ ।

ହଠାତ୍ ୩ ବର୍ଷ ତଳେ ଡାଳିମ୍ବଙ୍କ ଆଖିକୁ କିଛି ଦିଶିଲା ନାହିଁ । ଡାକ୍ତରଙ୍କୁ ଦେଖାଇବା ପରେ ସେମାନେ କହିଲେ କି ଆଖି ନଷ୍ଟ ହୋଇଯାଇଛି ଏବଂ ଅସ୍ତ୍ରୋପଚାର କଲେ ହିଁ ଠିକ୍ ହୋଇପାରିବ ହେଲେ ଏଥିପାଇଁ ଟଙ୍କା ଦରକାର । ତେବେ ଚିକିତ୍ସା ପାଇଁ ପାଖରେ କୌଣସି ସମ୍ଭଳ ନଥିବାରୁ ଡାଳିମ୍ବ ଏବେ କେବଳ ଭାଗ୍ୟକୁ ଆଦରି ଘରେ ପଡିରହିଛନ୍ତି । ପାଖରେ କେହି ନଥିବାରୁ ଏକମାତ୍ର ଘେନୁ ହିଁ ଏବେ ଡାଳିମ୍ବଙ୍କ ଆଶାବାଡି ପାଲଟିଛି । ଆଉ ଅନ୍ଧୁଣୀ ମାଆର ସେବାରେ ନିଜକୁ ସମର୍ପି ଦେଇଛି । ଗାଧୋଇ ଦେବାଠାରୁ ଆରମ୍ଭ କରି ଖୁଆଇ ଦେବା ପର୍ଯ୍ୟନ୍ତ ଅନ୍ଧୁଣୀ ମାଆର ସବୁ କାମ ଅତି ଆଗ୍ରହର ସହ କରିଚାଲିଛି ଏହି କୁନି ବାଳକ ଜଣକ ।

ଅନ୍ୟପକ୍ଷରେ ଡାଳିମ୍ବଙ୍କୁ ମିଳୁଥିବା କେବଳ ବିଧବା ଭତ୍ତାରେ ଦୁଇ ପ୍ରାଣୀ ଚଳିବା ଅସମ୍ଭବ ହୋଇପଡିଛି । ଅନେକ ସମୟରେ ତ ଖାଇବାକୁ ନପାଇ କେବଳ ପାଣି ଗିଲାସେ ପିଇ ହିଁ ସେମାନଙ୍କୁ ନିଜ ଭୋକିଲା ପେଟକୁ ବୁଝାଇବାକୁ ପଡୁଛି । ତେବେ ବିଡମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ ଏହି ଅସହାୟ ମାଆପୁଅଙ୍କ ଉପରେ ପ୍ରଶାସନର ନଜର ପଡିନି । ଯଦି ସରକାରଙ୍କ ତରଫରୁ କିଛି ସହାୟତା ମିଳିପାରନ୍ତା ତେବେ ହୁଏତ ଡାଳିମ୍ବ ପୁଣି ଥରେ ନୂଆ ଦୁନିଆ ଦେଖିପାରନ୍ତେ ଆଉ ଘେନୁ ପୁଣିଥରେ ସାଙ୍ଗସାଥିଙ୍କ ମେଳରେ ସ୍କୁଲ ଯାଇ ପାଠପଢି ନିଜ ଭବିଷ୍ୟତ ଗଢିପାରନ୍ତା ।