ରହସ୍ୟମୟ ଭାବେ ବଦଳିଗଲା ବରଫର ରଙ୍ଗ । ଧଳା ବରଫର ଆସ୍ତରଣ ହୋଇଗଲା ନାରଙ୍ଗୀ ରଙ୍ଗ ।

261

କନକ ବ୍ୟୁରୋ: ପ୍ରବଳ ଥଣ୍ଡା କାରଣରୁ ବିଶ୍ୱର ଅଧିକାଂଶ ଦେଶରେ ଏବେ ବରଫପାତ ହେଉଛି । ଖାସକରି ୟୁରୋପୀୟ ଦେଶ ଗୁଡିକରେ ପ୍ରବଳ ବରଫପାତ କାରଣରୁ ଲାଗୁଛି ସତେ ଯେପରି ପାହାଡ ଗୁଡିକ ଧଳାଚାଦର ଘୋଡାଇ ହୋଇଛି । ଚାରିଆଡେ ଧଳା ବରଫର ଆସ୍ତରଣ ପର୍ଯ୍ୟଟକଙ୍କୁ ମଧ୍ୟ ବେଶ ଆକୃଷ୍ଟ କରୁଛି । କିନ୍ତୁ ରାତାରାତି ଧଳା ବରଫ ନାରଙ୍ଗୀ ରଙ୍ଗରେ ପରିଣତ ହୋଇଯିବା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମଧ୍ୟ ହେଉଛି । ଆଉ ଏଭଳି ଘଟଣା ସ୍ୱିଜରଲାଣ୍ଡର ଭାଲ ଫେରେଟରେ ଦେଖିବାକୁ ମିଳିଛି । ଯେଉଁଠି ରାତାରାତି ଧଳା ବରଫର ରଙ୍ଗ ନାରଙ୍ଗୀରେ ପରିବର୍ତ୍ତନ ହୋଇଯାଇଛି । ଆପଣଙ୍କୁ ମଧ୍ୟ ଏହି କଥା ଆଶ୍ଚର୍ଯ୍ୟ ଲାଗୁଥିବ ଯେ, ରାତାରାତି ଧଳା ବରଫ କିଭଳି ନାରଙ୍ଗୀ ହୋଇଗଲା । ଏହାପଛରେ କିଛି ଅଲୌକିକ କାହାଣୀ କିମ୍ବା ବୈଜ୍ଞାନିକ କାରଣ ଲୁଚି ରହିଛି କି? କାରଣ ରାତାରାତି ବରଫର ରଙ୍ଗ ଧଳାରୁ ନାରଙ୍ଗୀ ହେବା କୌଣସି ଆଶ୍ଚର୍ଯ୍ୟକର ଘଟଣା ଠାରୁ ମଧ୍ୟ କମ ନୁହେଁ । ତେବେ ଆସନ୍ତୁ ଜାଣିବା ଏହା ପଛର କଣ ରହିଛି କାରଣ?

ସ୍ୱିଜରଲାଣ୍ଡ : ଶୀତଦିନରେ ପର୍ଯ୍ୟଟକଙ୍କ ପାଇଁ ସବୁଠୁ ଅଧିକ ପସନ୍ଦର ସ୍ଥାନ । କାରଣ ସ୍ୱିଜରଲାଣ୍ଡରେ ପ୍ରବଳ ମାତ୍ରାରେ ବରଫପାତ ହେଉଥିବା ବେଳେ ଏହାର ମଜା ନେଇଥାନ୍ତି ପର୍ଯ୍ୟଟକ । କିନ୍ତୁ ଚଳିତଥର ବରଫପାତର ମଜା ନେବାକୁ ଯାଇଥିବା ପର୍ଯ୍ୟଟକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କାରଣ ରାତାରାତି ବଦଳି ଯାଇଥିଲା ଧଳା ବରଫର ରଙ୍ଗ । ରାତିରେ ବରଫର ରଙ୍ଗ ଧଳା ଥିବା ବେଳେ ସକାଳୁ ସକାଳୁ ସ୍କି କରିବାକୁ ଗଲାବେଳେ ଏହାର ରଙ୍ଗ ନାରଙ୍ଗୀ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଅଚାନକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପର୍ଯ୍ୟଟକ । ରାତାରାତି ବରଫର ରଙ୍ଗ ଧଳାରୁ ନାରଙ୍ଗୀ ହେବା କେମିତି ବା ସମ୍ଭବ । ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା । ତେବେ ବରଫର ରଙ୍ଗ ପରିବର୍ତ୍ତନ ପଛରେ ଲୁଚି ରହିଥିଲା ସାହାରା ମରୁଭୂମିରୁ ଆସିଥିବା ଧୂଳି ଝଡ । ସ୍ୱିଜରଲାଣ୍ଡରୁ

୩୦୦୦ କିଲୋମିଟର ଦୂର ସାହାର ମରୁଭୂମିର ଧୂଳି ଝଡ ଏବେ ଆଫ୍ରିକାରୁ ଆସି ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଛି । ଯାହାଦ୍ୱାରା ବରଫ ଉପରେ ଧୂଳିର ଆସ୍ତରଣ ବସିଛି । ଯାହା ଧଳା ବରଫର ରଙ୍ଗକୁ ବଦଳାଇ ନାରଙ୍ଗୀ କରିଛି । ରାତାରାତି ବରଫର ରଙ୍ଗ ବଦଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା, କିନ୍ତୁ ଯେତେବେଳେ ଏହା ପଛର ପ୍ରକୃତ କାରଣ ଜଣାପଡିଲା । ସେତେବେଳେ ପୁଣିଥରେ ପର୍ଯ୍ୟଟକ ମାନେ ଏହି କ୍ଷଣସ୍ଥାୟୀ ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିବା ସହ ମଜା ଉଠାଉଥିବାର ଦେଖିବାକୁ ମିଳିଛି । ତେବେ ବିଶେଷଜ୍ଞ ମାନେ ଏହି ବରଫକୁ ନ ଖାଇବାକୁ ପର୍ଯ୍ୟଟକ ମାନଙ୍କୁ ଚେତାବନୀ ଦେଇଛନ୍ତି । କେବଳ ସ୍ୱିଜରଲ୍ୟାଣ୍ଡ ନୁହେଁ ବରଂ ସାହାରା ମରୁଭୂମିରୁ ଆସିଥିବା ଧୂଳି ଝଡ ଏବେ ଫ୍ରାନ୍ସରେ ମଧ୍ୟ ପହଞ୍ଚିଛି । ଯାହାଦ୍ୱାରା ଫ୍ରାନ୍ସର ଆକାଶର ରଙ୍ଗ ନାରଙ୍ଗୀ ହୋଇଯାଇଥିବା ବେଳେ ଗାଡିମୋଟର ଉପରେ ଧୂଳିର ମୋଟା ଆସ୍ତରଣ ପଡିଥିବାର ଦେଖିବାକୁ ମିଳିଛି ।