ଟି-୨୦ ବିଶ୍ୱକପ୍ ପାଇଁ ଜାରି ହେଲା ଖେଳସୂଚୀ : ଅକ୍ଟୋବର ୨୩ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

170

କନକ ବ୍ୟୁରୋ : ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଟି-୨୦ ବିଶ୍ୱକପ୍ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଖେଳସୂଚୀ ଜାରି କରାଯାଇଛି । ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍ । ସୁପର ୧୨ ରାଉଣ୍ଡ ୨୨ ଅକ୍ଟୋବରରୁ ଆରମ୍ଭ ହେବ ।

ପ୍ରଥମ ମୁକାବିଲା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଟିମ୍ ଇଣ୍ଡିଆର ପ୍ରଥମ ମୁକାବିଲା ଅକ୍ଟୋବର ୨୩ ତାରିଖରେ ପାକିସ୍ତାନ ସହ ହେବ । ଭାରତ ପାକିସ୍ତାନ ସମେତ ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ଦୁଇ କ୍ୱାଲିଫାୟର ଟିମ୍ ସହ ଖେଳିବ । ୨୦୨୧ ଟି-୨୦ ବିଶ୍ୱକପରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା । ଚଳିତ ବିଶ୍ୱକପରେ ଏହାର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଭାରତ ।

ଏହି ଟୁର୍ଣ୍ଣାମେଣ୍ଟ୍‌ ପାଇଁ ଗ୍ରୁପ୍‌-୧ରେ ରହିବେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ୍‌, ଇଂଲଣ୍ଡ୍‌, ଆଫଗାନିସ୍ତାନ, ‘ଗ୍ରୁପ୍‌ ଏ ବିଜୟୀ’ ଏବଂ ‘ଗ୍ରପ୍‌ ବି ରନର୍ସ-ଅପ୍‌’। ସେହିପରି, ଗ୍ରୁପ୍‌-୨ରେ ରହିବେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ‘ଗ୍ରପ୍‌ ବି ବିଜୟୀ’ ଏବଂ ଗ୍ରୁପ୍‌ ଏ ରନର୍ସ-ଅପ୍‌’ । ଆଡେଲାଇଡ୍‌, ବ୍ରିଜ୍‌ବେନ୍‌, ଗିଲଙ୍ଗ୍‌, ହୋବାର୍ଟ, ମେଲବର୍ଣ୍ଣ, ପର୍ଥ ଏବଂ ସିଡ୍‌ନିରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୍‌ରେ ୧୬ଟି ଦେଶ ଭାଗ ନେବେ ।

ଅକ୍ଟୋବର ୧୬ରେ ଗିଲଙ୍ଗ୍‌ରେ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ରାଉଣ୍ଡ୍‌ରେ ‘ଏ ଗ୍ରୁପ୍‌’ର ଓପେନର୍‌ ଭାବେ ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ ମୁକାବିଲା ହେବ ଏବଂ ତାଙ୍କ ସହ ଯୋଗ ‌ଦେବେ ଦୁଇ କ୍ବାଲିଫାୟର୍‌ । ‘ବି ଗ୍ରୁପ୍‌’ରେ ଖେଳିବେ ୱେଷ୍ଟ୍‌ ଇଣ୍ଡିଜ୍‌ ଏବଂ ସ୍କଟ୍‌ଲାଣ୍ଡ୍‌ ଏବଂ ତାଙ୍କ ସହ ଯୋଗ ଦେବେ ଦୁଇ କ୍ବାଲିଫାୟର୍‌ । ନଭେମ୍ବର ୧୩ ତାରିଖ ରାତିରେ ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଏହି ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍‌ ଖେଳ ଆୟୋଜନ କରାଯିବ ।