ଅକ୍ଟୋବର ୨୪ରେ ହାଇଭୋଲଟେଜ ମୁକାବିଲା । ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ।

189

କନକ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨୪ରେ ବିଶ୍ୱ ଦେଖିବ ହାଇଭୋଲଟେଜ ମୁକାବିଲା । ଟି-୨୦ ବିଶ୍ୱକପ ମୁକାବିଲାରେ ମୁହାଁମୁହିଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ଦୀର୍ଘ ବର୍ଷ ପରେ ଦୁବାଇରେ  ମୁହାଁମୁହିଁ ଉଭୟ ଟିମ୍ ।  ଟି-୨୦ ବିଶ୍ୱକପ ମ୍ୟାଚର ପୂରା ତାଲିକା ଜାରି କରିଛି ଆଇସିସି । ୧୭ ଅକ୍ଟୋବରରୁ ବିଶ୍ୱକପ ଟି-୨୦ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମେ କ୍ୱାଲିଫାୟର ମ୍ୟାଚ୍ ଖେଳାଯିବ ।

କ୍ୱାଲିଫାୟର ମ୍ୟାଚରୁ ୪ଟି ଟିମ୍ ସୁପର-୧୨ ମୁକାବିଲା ପାଇଁ ଟିକେଟ ହାସଲ କରିବା ପରେ ଟାଇଟଲ ପାଇଁ ଆରମ୍ଭ ହେବ ମୁକାବିଲା । ଅକ୍ଟୋବର ୨୩ରେ ଆବୁଧାବିରେ ସୁପର-୧୨ର ପ୍ରଥମ ମୁକାବିଲା ଖେଳାଯିବ । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ । ଉକ୍ତ ୨୩ ତାରିଖରେ ଦ୍ୱିତୀୟ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ୱେଷ୍ଟଇଣ୍ଡିଜ ।

ଅନ୍ୟପଟେ ଗ୍ରୁପ୍-ବିରେ ଥିବା ଭାରତ ଅକ୍ଟୋବର ୨୪ ତାରିଖରେ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ପ୍ରଥମ ମୁକାବିଲାରେ  ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ସେହିଭଳି ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ସହ ଦ୍ୱିତୀୟ ମୁକାବିଲା, ୩ ନଭେମ୍ବରରେ ଆଫଗାନିସ୍ତାନ ସହ ତୃତୀୟ, ୫ ନଭେମ୍ବର ଓ ୮ ନଭେମ୍ବରରେ ରାଉଣ୍ଡ ପର୍ଯ୍ୟାୟରେ ଉନ୍ନୀତ ହୋଇଥିବା ଟିମ୍ ସହ ଖେଳିବ ଭାରତ ।  ୧୪ ନଭେମ୍ବରରେ ଫାଇନାଲ ମ୍ୟାଚ୍ ଖେଳାଯିବ ।

ଚଳିତଥର ଟି-୨୦ ବିଶ୍ୱକପ ଭାରତରେ ଆୟୋଜନ ହେବାକୁ ସ୍ଥିର ହୋଇଥିଲା । ତେବେ କୋଭିଡ କାରଣରୁ ଏହାକୁ ଓମାନ ଓ ୟୁଏଇରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୁପର-୧୨ ପର୍ଯ୍ୟାୟ ମ୍ୟାଚ୍ ଗୁଡିକ ୟୁଏଇରେ ହେବ । ୧୪ ନଭେମ୍ବରରେ ଦୁବାଇରେ ଫାଇନାଲ ଖେଳାଯିବ । ତେବେ ଉଭୟ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍ ପାଇଁ ଗୋଟିଏ ଦିନର ରିଜର୍ଭ ଡେ ରଖାଯାଇଛି । ବର୍ଷା କିମ୍ବା କୌଣସି କାରଣବଶତଃ ଯଦି ନିର୍ଦ୍ଧାରିତ ତାରିଖରେ ସେମିଫାଇନାଲ ଓ ଫାଇନାଲ ହୋଇନପାରେ ତେବେ ରିଜର୍ଭ ଡେରେ ଏହି ମ୍ୟାଚ୍ ଖେଳାଯିବ ।