ଆଇସିସି ବାଛିଲା ଶ୍ରେଷ୍ଠ ଟି-୨୦ ଟିମ୍ । ପାକିସ୍ତାନର ବାବର ଆଜମ ଅଧିନାୟକ, କୌଣସି ଭାରତୀୟ ଖେଳାଳୀଙ୍କୁ ମିଳିଲାନି ସ୍ଥାନ ।

1,596

କନକ ବ୍ୟୁରୋ : ସରିଲା ଟି-୨୦ ବିଶ୍ୱକପ । ଚାମ୍ପିୟନ ହେଲା ଅଷ୍ଟ୍ରେଲିଆ । ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଛି କଙ୍ଗାରୁ ଦଳ । ୪୫ଟି ମ୍ୟାଚର ଘମାଘୋଟ ଲଢେଇ ଶେଷ ହୋଇଛି । ଆଉ ଟାଇଟଲ ହାତେଇଛି ଫିଞ୍ଚଙ୍କ ପଲଟନ । ଚଳିତ ଟି-୨୦ ବିଶ୍ୱକପରେ ଅନେକ ଖେଳାଳୀ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଆଉ ଏହି ପ୍ରଦର୍ଶନକୁ ଆଧାର କରି ଆଇସିସି ବାଛିଚିି ଟି-୨୦ ବିଶ୍ୱକପ ଟିମ୍ । ଆଇସିସି ବାଛିଥିବା ଟି-୨୦ ବିଶ୍ୱକପ ଟିମରେ ବାବର ଆଜମଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଆଇସିସି ପକ୍ଷରୁ ଶ୍ରେଷ୍ଠ ୧୨ ଜଣିଆ ଟିମ୍ ବଛାଯାଇଛି । ତେବେ ଏହି ଟିମରେ କୌଣସି ଭାରତୀୟଙ୍କୁ ସ୍ଥାନ ମିଳିନାହିଁ । ତେବେ କେଉଁ କେଉଁ ଦେଶର ଖେଳାଳୀଙ୍କୁ ଏହି ଟିମରେ ସ୍ଥାନ ମିଳିଛି ତାହା ଉପରେ ଥରେ ନଜର ପକାନ୍ତୁ ।

ଆଇସିସି ବାଛିଥିବା ଟି-୨୦ ବିଶ୍ୱକପ ଟିମରେ ପାକିସ୍ତାନର ବାବର ଆଜମଙ୍କୁ ଅଧିନାୟକ କରାଯାଇଥିବା ବେଳେ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିବା ଅଷ୍ଟ୍ରେଲୀୟ ଖେଳାଳୀ ଡେଭିଡ ୱାର୍ଣ୍ଣରଙ୍କୁ ଓପନର ଭାବେ ସ୍ଥାନ ମିଳିଛି । ୱାର୍ଣ୍ଣରଙ୍କ ସହ ଅନ୍ୟ ଅଷ୍ଟ୍ରେଲୀୟ ଖେଳାଳୀ ଭାବେ ଆଡାମ ଜାମ୍ପା ଓ ଜୋଶ ହଜେଲଉଡଙ୍କୁ ସ୍ଥାନ ମିଳିଛି । ତେବେ ଫାଇନାଲ ମୁକାବିଲାରେ ବିଧ୍ୱଂସି ଇନିଂସ ଖେଳିଥିବା ମିଚେଲ ମାର୍ଶଙ୍କୁ ଏହି ଟିମରେ ସୁଯୋଗ ମିଳିନାହିଁ ।

ସେହିଭଳି ଇଂଲଣ୍ଡ ଟିମରୁ ଜୋସ ବଟଲର ଓ ମୋଇନ ଅଲ୍ଲୀଙ୍କୁ ଏହି ଆଇସିସି ଟି-୨୦ ବିଶ୍ୱକପ ଟିମରେ ସାମିଲ କରାଯାଇଛି । ସେହିଭଳି ଶ୍ରୀଲଙ୍କା ଟିମରୁ ଚରିଥ ଉସଲଙ୍କା ଓ ହସରଙ୍ଗାଙ୍କୁ ଟିମରେ ସ୍ଥାନ ଦିଆଯାଇଛି । ଏହାବାଦ୍ ଦକ୍ଷିଣ ଆଫ୍ରିକାର ଦୁଇ ଖେଳାଳୀ ଆଡାମ ମକରମ ଓ ନୋକିଆଙ୍କୁ ଟିମରେ ସୁଯୋଗ ଦିଆଯାଇଛି । ଅନ୍ୟପଟେ ରନର୍ସ ଅପ ହୋଇଥିବା ନ୍ୟୁଜିଲାଣ୍ଡ ଟିମରୁ ଜଣେ ଖେଳାଳୀ ଟ୍ରେଣ୍ଟ ବୋଲ୍ଟଙ୍କୁ ଦଳରେ ସାମିଲ କରାଯାଇଛି । ଏହାବାଦ୍ ଦ୍ୱାଦଶ ଖେଳାଳୀ ଭାବେ ଶାହିନ ଆଫ୍ରିଦିଙ୍କୁ ଟିମରେ ସାମିଲ କରାଯାଇଛି ।

ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ଟିମରେ କୌଣସି ଭାରତୀୟ ଖେଳାଳୀଙ୍କୁ ଏହି ଟିମରେ ସ୍ଥାନ ମିଳିନାହିଁ । ଚଳିତ ବିଶ୍ୱକପରେ କୌଣସି ଭାରତୀୟ ଖେଳାଳୀଙ୍କ ପ୍ରଦର୍ଶନ ସେତେଟା ଖାସ୍ ନଥିଲା । ପ୍ରଥମ ଦୁଇଟି ମ୍ୟାଚରେ ପରାଜିତ ହେବା ପରେ ପରବର୍ତ୍ତୀ ୩ଟି ମ୍ୟାଚରେ ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏକାକୀ କୌଣସି ଖେଳାଳୀଙ୍କ ପ୍ରଦର୍ଶନ ସେତେଟା ପ୍ରଭାବିତ କରିନଥିଲା । ଭାରତ ପକ୍ଷରୁ କେ.ଏଲ ରାହୁଲ ସର୍ବାଧିକ ସ୍କୋର କରିଥିବା ବେଳେ ଯଶପ୍ରୀତ ବୁମରା ସର୍ବାଧିକ ୱିକେଟ ନେଇଥିଲେ ମଧ୍ୟ ଏହା ଆଇସିସି ଟି-୨୦ ବିଶ୍ୱକପ ଟିମରେ ସାମିଲ ହେବାକୁ ଯଥେଷ୍ଟ ନଥିଲା । ଯେଉଁଥିପାଇଁ କୌଣସି ଭାରତୀୟ ଖେଳାଳୀଙ୍କୁ ଟିମରେ ସାମିଲ କରାଯାଇନାହିଁ । ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ କେବଳ ଗୋଟିଏ ରେକର୍ଡ ନିଜ ନାଁରେ କରିପାରିଛି । ଗୋଟିଏ ଇନିଂସରେ ୨୧୦ ରନ୍ କରିବାର ରେକର୍ଡ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ । ଯାହା ଚଳିତ ବିଶ୍ୱକପରେ କୌଣସି ଟିମ୍ ପକ୍ଷରୁ ସର୍ବାଧିକ ରନ୍ । ଆଇସିସି ବାବର ଆଜମଙ୍କୁ ଏହି ଦାୟିତ୍ୱ ଦେବା ପଛର କାରଣ ହେଉଛି ଚଳିତ ବିଶ୍ୱକପରେ ତାଙ୍କର ଦମଦାର ପ୍ରଦର୍ଶନ । ଅଧିନାୟକ ଭାବେ ବିନା ଚାପରେ ବଡ ବଡ ଇନିଂସ ଖେଳିଥିଲେ ବାବର । ଏପରିକି ଚଳିତ ବିଶ୍ୱକପରେ ୪ଟି ଅର୍ଦ୍ଧଶତକ ମଧ୍ୟ ବାବରଙ୍କ ନାଁରେ ରହିଛି । ତେଣୁ ଅନ୍ୟ କୌଣସି ଟିମର ଅଧିନାୟକ ସେଭଳି ପ୍ରଦର୍ଶନ କରିପାରିନାହାନ୍ତି । ଯେଉଁଥିପାଇଁ ଆଇସିସି ଅଧିନାୟକ ଭାବେ ବାବରଙ୍କ ନାଁରେ ମୋହର ମାରିଥିଲା ।