ଜାରି ରହିଛି ଆଇଟି କମ୍ପାନୀମାନଙ୍କ କର୍ମଚାରୀ ଛଟେଇ, ମାଇକ୍ରୋସଫ୍ଟ ଓ ଗୁଗଲ ପରେ ଏବେ କର୍ମଚାରୀ ଛଟେଇ କରିବାକୁ ଆଇବିଏମ୍ କଲା ଘୋଷଣା

126

କନକ ବ୍ୟୁରୋ : ଆଇଟି କମ୍ପାନୀମାନଙ୍କର କର୍ମଚାରୀ ଛଟେଇରେ ବିରାମ ଲାଗିବାର ନା ନେଉନି । କିଛିଦିନ ତଳେ ମାଇକ୍ରୋସଫ୍ଟ ଓ ଗୁଗଲ ଭଳି ବଡ କମ୍ପାନୀମାନେ କର୍ମଚାରୀ ଛଟେଇ କରିବା ଆରମ୍ଭ କରିଥିବା ବେଳେ ଏବେ କମ୍ପାନୀମାନଙ୍କ ତାଲିକାକୁ ଆସିଛି ଆଇବିଏମ୍ । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଟେକ୍ କମ୍ପାନୀ ଆଇବିଏମ ବୁଧବାର ଦିନ କମ୍ପାନୀରୁ ୩,୯୦୦କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଛି । କମ୍ପାନୀ ପକ୍ଷରୁ ନିଜ କମ୍ପାନୀରୁ କିଛି ଅର୍ଥ ପ୍ରତ୍ୟାହାର କରିବା କ୍ରମରେ ଏଭଳି ପଦକ୍ଷେପ ନେଇଛି । ଏହାସହ କମ୍ପାନୀ ତରଫରୁ କୁହାଯାଇଛି କି ଶେଷ ତୈମାସକରେ କମ୍ପାନୀ ତା’ର ରାଜସ୍ୱ ଓ ବାର୍ଷିକ ଲାଭ ଟାର୍ଗେଟ ପୁରଣ କରିପାରିନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

କମ୍ପାନୀର ମୁଖ୍ୟ ଆର୍ଥିର୍କ ପଦାଧିକାରୀ ଜେସ୍ମ କେବନାଙ୍ଗ ରୟଟର୍ସକୁ କହିଛନ୍ତି କି, କମ୍ପାନୀ ଏବେ ବି କ୍ଲାଏଣ୍ଟ- ଫେସିଙ୍ଗ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ପାଇଁ କର୍ମଚାରୀଙ୍କୁ କାମରେ ରଖିବାକୁ ପ୍ରତିଶ୍ରୁତିବଦ୍ଧ । ଏହାସହ ଏବେ ଯେଉଁ କର୍ମଚାରୀମାନଙ୍କ ଛଟେଇ କରାଯିବ ସେନେଇ ସେମାନଙ୍କୁ ୩୦୦ ମିଲିୟନ ଡଲାର ଦେବାକୁ ପଡିବ । ସେପଟେ କମ୍ପାନୀ ପକ୍ଷରୁ କର୍ମଚାରୀ ଛଟେଇ ଘୋଷଣା କରାଯିବା ପରେ କମ୍ପାନୀର ସେୟାର ୨ପ୍ରତିଶତ ତଳକୁ ଖସିଛି ।

ସାରା ବିଶ୍ୱରେ ମାନ୍ଦାବସ୍ଥା କାରଣରୁ ମେଟା, ଗୁଗଲ, ମାଇକ୍ରୋସଫ୍ଟ, ଟ୍ୱିଟର ଓ ଅମାଜନ ଭଳି ବଡ କମ୍ପାନୀମାନେ କର୍ମଚାରୀ ଛଟେଇ କରିବାରେ ଲାଗିଛନ୍ତି । ଏହାସହ କିଛି ଷ୍ଟାଟଅପ୍ କମ୍ପାନୀମାନେ କଷ୍ଟ କଟିଙ୍ଗ ଓ ପ୍ରଫିଟ ବୃଦ୍ଧି ପାଇଁ କର୍ମଚାରୀ ଛଟେଇ କରୁଛନ୍ତି ।