IASସ୍ତରରେ ଅଦଳବଦଳ । ବିବାଦ ପରେ ବଦଳି ହେଲେ ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡା ।

1,117

କନକ ବ୍ୟୁରୋ: ଆଇଏଏସ୍ ସ୍ତରରେ ପୁଣିଥରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏଥର ସରକାରଙ୍କ ସ୍କାନରକୁ ଆସି ବଦଳି ହୋଇଛନ୍ତି ବିବାଦୀୟ ସୁ୍ନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡା । ତାଙ୍କୁ ବଦଳି କରାଯାଇ ଦକ୍ଷତା ବିକାଶ ଓ ପ୍ରାଧିକରଣ ବିଭାର ସିଇଓ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ତେବେ ଗତ କିଛି ଦିନ ପୂର୍ବେ ସୂଚନା ଅଧିକାର ଆଇନ ବଳରେ ସରକାରୀ ବାବୁଆଣୀଙ୍କ ଅୟସ ଆରାମର ପୂରା ପେଡି ଖୋଲିଥିଲା କନକ ନ୍ୟୁଜ୍ ।

ଆରଡିଏ ବା ରାଉରକେଲା ଉନ୍ନୟନ କର୍ତୃପକ୍ଷର ଉପାଧ୍ୟକ୍ଷ ଥିବା ସମୟରେ ରଶ୍ମିତାଙ୍କ ନାଁରେ ସରକାରୀ ଅର୍ଥକୁ ପାଣି ଭଳି ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଥିଲା । ନିଜ ସରକାରୀ ବାସଭବନର ମରାମତି ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ରଶ୍ମିତା । ରାଉରକେଲାର ସୂଚନା ଅଧିକାର କର୍ମୀ ରଶ୍ମିରଞ୍ଜନ ପାଢୀ ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଥିଲା କି, ରାଉରକେଲା ଉଦିତ୍ ନଗର ଅଂଚଳରେ ଥିବା ଆରଡିଏ ଉପାଧ୍ୟକ୍ଷଙ୍କ ସେହି ସରକାରୀ ବାସଗୃହ । ଯାହାର ମତାମତି ଓ ପୁନରୁଦ୍ଧାର ବାବଦରେ ସେତେବେଳେ ଅପାଧ୍ୟକ୍ଷ ଥିବା ଆଇଏଏସ ରଶ୍ମିତା ପଣ୍ଡା ଖର୍ଚ୍ଚ କରିଥିଲେ ୬୮ ଲକ୍ଷ ୫୭ ହଜାର ୯୫୦ ଟଙ୍କା । ୬ ମାସ ଅବଧି ମଧ୍ୟରେ ଏହି ଟଙ୍କା ଖର୍ଚ୍ଚା କରାଯାଇଥିଲା ।

ଏହାପରେ ରଶ୍ମିତା ସରକାରଙ୍କ ସ୍କାନରରେ ରହିଥିଲେ , ତେଣୁ ଆଜି ପ୍ରଶାସନିକ ସ୍ତରରେ ୬ ଜଣ ଆଇଏଏସ ଅଫିସରଙ୍କ ବଦଳି କରାଯାଇଛି । ଯେଉଁଥିରେ ରଶ୍ମିତାଙ୍କ ନାଁ ବଦଳି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଅନ୍ୟ ୪ ଜଣ ଆଇଏଏସ ଅଫିସରଙ୍କ ମଧ୍ୟରୁ ରଶ୍ମିତା ପଣ୍ଡାଙ୍କ ସ୍ଥାନରେ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି ନିଖିଲ ପବନ କଲ୍ୟାଣ, ସୋନପୁର ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି ମୋନିଷା ବାନାର୍ଜୀ । ସେହିଭଳି ସୁନ୍ଦରଗଡ଼ ପିଡ଼ି ଡିଆରଡିଏ ଥିବା ଭୁମେଶ ଚନ୍ଦ୍ର ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଇଏଏସ ପାଟିଲ ପ୍ରଭାକରଙ୍କୁ ବଦଳି କରାଯାଇ ପି.ଆର ଏବଂ ଡିଡବ୍ଲୁ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି ।