ବାୟୁସେନାକୁ ଶକ୍ତିଶାଳୀ କରିବାକୁ କିଣା ହେବ ଆହୁରି ୧୧୪ ଲଢୁଆ ବିମାନ । ଖର୍ଚ୍ଚ ହେବ ୧ ଲକ୍ଷ ୩୦ ହଜାର କୋଟି

248

କନକ ବ୍ୟୁରୋ: ଚୀନ ଓ ପାକିସ୍ତାନ ପଟୁ ବିପଦ ବଢୁଥିବାରୁ  ନିଜର ଲଢୁଆ ବିମାନ ଅଭାବ ପୂରଣ କରିବାକୁ ଭାରତୀୟ ବାୟୁସେନା ଅଣ୍ଟାଭିଡ଼ିଛି । ପ୍ରାୟ ୧ ଲକ୍ଷ ୩୦ ହଜାର କୋଟିର ୧୧୪ଟି ଲଢୁଆ ବିମାନ କିଣିବାକୁ ବାୟୁସେନା ନିଷ୍ପତ୍ତି ଗ୍ରହଣ କରିଛି ଓ ଏଥିପାଇଁ ଖୁବଶୀଘ୍ର ଟେଣ୍ଡର ଡକାଯିବ । ଏହି ଲଢୁଆ ବିମାନ ଖରିଦ ପାଇଁ ବାୟୁସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରାଳୟର ଅନୁମତି ଲୋଡ଼ାଯିବ । ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ ଏସବୁ ବିମାନଗୁଡ଼ିକୁ ଭାରତରେ ନିର୍ମାଣ କରାଯିବ । ଏହା ସହିତ ଟେଣ୍ଡର ଜିତିଥିବା ବିଦେଶୀ କମ୍ପାନି ବିମାନର ଟେକ୍ନୋଲୋଜୀ ହସ୍ତାନ୍ତର ମଧ୍ୟ କରିବ ।

ଭାରତୀୟ ବାୟୁସେନାର ମୋଟ ସ୍କ୍ଵାର୍ଡନ କ୍ଷମତା ହେଉଛି ୪୨ । ବାୟୁସେନା ପାଖରେ ଏବେ ୩୩ଟି ସ୍କ୍ଵାର୍ଡନ ଲଢୁଆ ବିମାନ ରହିଛି । ଗୋଟିଏ ସ୍କ୍ଵାର୍ଡନରେ ୧୬ରୁ ୧୮ଟି ଲଢୁଆ ବିମାନ ରହିଥାଏ । ଲଢୁଆ ବିମାନ ଅଭାବ ପୂରଣ କରିବାକୁ ସରକାର  ଫ୍ରାନ୍ସରୁ ୩୬ଟି ( ୨ ସ୍କ୍ଵାର୍ଡନ) ରାଫେଲ ବିମାନ ଖରିଦ କରିବାକୁ ଚୁକ୍ତି କରିଛନ୍ତି ।  ଏହି ବିମାନଗୁଡ଼ିକ ଆସିବା ପରେ ମଧ୍ୟ ଆହୁରି ୭ଟି ସ୍କ୍ଵାର୍ଡନ ଲଢୁଆ ବିମାନ ଅଭାବ ରହିବ । ଏଣୁ ସରକାର ଅଧିକରୁ ଅଧିକ ଲଢୁଆ ବିମାନ କିଣି ଅଭାବ ପୂରଣ କରିବାକୁ ଯୋଜନା କରୁଛନ୍ତି ।