ମିଗ୍-୨୧ ଦୁର୍ଘଟଣା : କେତେ ପାଇଲଟଙ୍କୁ ହରାଇଲାଣି ବାୟୁସେନା? କାହିଁକି ମିଗ୍-୨୧କୁ ବାୟୁସେନାରୁ ଦିଆଯାଉନି ଅବସର?

248

କନକ ବ୍ୟୁରୋ : ବାଡମେରରେ ମିଗ୍-୨୧ ବିମାନ ଦୁର୍ଘଟଣାର ଶିକାର ହୋଇଛି । ରାଜସ୍ଥାନରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ୨ ଜଣ ପାଇଲଟଙ୍କ ଜୀବନ ଯାଇଛି । ତେବେ ଏହା ପ୍ରଥମ ଦୁର୍ଘଟଣା ନୁହେଁ । ଏହା ପୂର୍ବରୁ ଅନେକ ଦୁର୍ଘଟଣା ସାମ୍ନାକୁ ଆସିଛି ଆଉ ଅନେକ ପାଇଲଟଙ୍କୁ ହରାଇଛି ବାୟୁସେନା । କିନ୍ତୁ ଜାଣିଛନ୍ତି କି, ବିଗତ ୬ଦଶକରେ କେତେ ପାଇଲଟଙ୍କୁ ହରାଇଲାଣି ବାୟୁସେନା ?
ଯଦି ଆମେ ୨୦୨୧ କଥା ଦେଖିବା ତାହେଲେ ୨୦୨୧ରେ କେବଳ ମିଗ୍-୨୧ ଏୟାରକ୍ରାପ୍ଟ ୫ଥର ଦୁର୍ଘଟଣାଗ୍ରସ୍ତ ହୋଇଛି । ତଥାବି ମିଗ୍-୨୧କୁ ବାୟୁସେନାରୁ ଅବସର ଦିଆଯାଉନାହିଁ । ମିଡିଆ ରିପୋର୍ଟ ଅନୁସାରେ ମିଗ୍-୨୧ ଏୟାରକ୍ରାପ୍ଟ ଦ୍ୱାରା ଏବେଯାଏଁ ୪୦୦ ଦୁର୍ଘଟଣା ଘଟିସାରିଛି । ଯେଉଁଥିରେ ୨୦୦ରୁ ଅଧିକ ପାଇଲଟଙ୍କୁ ହରାଇଲାଣି ଭାରତୀୟ ବାୟୁସେନା ।
୧୯୬୦ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ମିଗ୍-୨୧ ଏୟାରକ୍ରାପ୍ଟ । ଏହି ବିମାନକୁ ମିକୋୟାନ୍ ଗୁରେବିଚ୍ ମଧ୍ୟ କୁହାଯାଇଥାଏ । ଏହି ବିମାନର ନିର୍ମାଣ ଋଷର ମିକୋୟାନ୍ କମ୍ପାନି କରିଛି, ଯାହାକି ସୋଭିୟତ୍ ୟୁନିୟନରେ ଆସୁଥିଲା । ଅର୍ଥାତ୍ ଏହି ଲଢୁଆ ବିମାନ ସୋଭିୟତ୍ କାଳରୁ ତିଆରି ହୋଇଛି । ୧୯୭୧ ଯୁଦ୍ଧରେ ମିଗ୍-୨୧ ଶତ୍ରୁ ଉପରେ ଭାରି ପଡିଥିଲା । ଆକାଶମାର୍ଗରୁ ଶତ୍ରୁ ଉପରେ ଆକ୍ରମଣ କରି ଶତ୍ରୁକୁ ଧରାସାଇ କରିଥିଲା । ପାକିସ୍ତାନର ୧୩ଟି ଫାଇଟର୍ ପ୍ଲେନକୁ ଟାର୍ଗେଟ କରି ଖସାଇବା ସଫଳ ହୋଇଥିଲା । ଏହା ଛଡା ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ବେଳେ ମଧ୍ୟ ପାକିସ୍ତାନର ଏଫ୍-୧୬କୁ ମାରି ତଳକୁ ଖସାଇବାରେ ସଫଳ ହୋଇଥାଲା ମିଗ୍-୨୧ । ଯହାକୁ ଚଲାଉଥିଲେ ଭାରତୀୟ ବାୟୁସେନାର ପରାକ୍ରମି ହିରୋ ଅଭିନନ୍ଦନ ବର୍ଦ୍ଧମାନ । ଯଦିଓ ଭାରତୀୟ ବାୟୁସେନାରେ ମିଗ୍-୨୧ ଅନେକ୍ ପରାକ୍ରମ ଦେଖାଇଛି । କିନ୍ତୁ ବର୍ତ୍ତମାନ ସ୍ଥିତିରେ ଏହି ଲଢୁଆ ବିମାନ ନା’ତ ଯୁଦ୍ଧ କରିବା ପାଇଁ ଫିଟ୍ ଅଛି ନା’ତ ଉଡାଣ ଭରିବା ପାଇଁ । ଏପରି କହିବାର କାରଣ ହେଉଛି ୨୦୨୧ରେ ଏହି ବିମାନ ୫ଥର ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଉ ବିଗତ ୬ଦଶକ ମଧ୍ୟରେ ଏହି ବାମାନ ଦୁର୍ଘଟଣାରେ ୨୦୦ରୁ ଅଧିକ ପାଇଲଟଙ୍କ ମୂଲ୍ୟବାନ ଜୀବନ ଗଲାଣି ।
ଜାନୁଆରୀ ୫ତାରିଥ ୨୦୨୧ରେ ରାଜସ୍ଥାନର ସୁରତଗଡରେ ଏକ ମିଗ୍-୨୧ କ୍ରାସ୍ ହୋଇଥିଲା । କିନ୍ତୁ ଏହି ଦୁର୍ଘଟଣାରେ ପାଇଲଟଙ୍କ ଜୀବନ ବଞ୍ଚିଯାଇଥିଲା । ପୁଣି ମାର୍ଚ୍ଚ ୧୭ ତାରିଖରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ମିଗ୍-୨୧ କ୍ରାସ୍ ହୋଇଥିଲା । ମେ’ ୨୦ ତାରିଖ ୨୦୨୧ରେ ପଞ୍ଜାବର ମୋଗାରେ ମିଗ୍-୨୧ କ୍ରାସ୍ ହେବା ଫଳରେ ଜଣେ ବୀର ପାଇଲଟ୍ ସହିଦ୍ ହୋଇଥିଲେ । ଅଗଷ୍ଟ ୨୫ ତାରିଖରେ ବାଡମେରରେ ମିଗ୍-୨୧ ଏୟାରକ୍ରାପ୍ଟ କ୍ରାସ୍ ହୋଇଥିଲା । ଏହି ଦୁର୍ଘଟଣାରେ ପାଇଲଟ୍ ସୁରକ୍ଷିତ ବର୍ତ୍ତିଯାଇଥିଲେ । ଏହାପରେ ପୁଣି ଡେସେମ୍ବର ୨୪ରେ ରାଜସ୍ଥାନରେ କ୍ରାସ୍ ହୋଇଥିଲା ଏହି ଏୟାରକ୍ରାପ୍ଟ, ଯେଉଁଥିରେ ୱିଙ୍ଗ୍ କମାଣ୍ଡର ହର୍ଷିତ୍ ସିହ୍ନା ସହିଦ୍ ହୋଇଥିଲେ ।