ଏମିତି କାହିଁକି କହିଲେ ରାଇନା?; ‘ମୋ ପାଇଁ ଧୋନୀ ଆଗ, ଦେଶ ପଛ’

168

କନକ ବ୍ୟୁରୋ: ଚର୍ଚ୍ଚା ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ମିଷ୍ଟର ଆଇପିଏଲ୍ ଭାବେ ଜଣାଶୁଣା ସୁରେଶ ରାଇନାଙ୍କୁ ଆପଣ ଭଲ ଭାବେ ଜାଣିଥିବେ । ମହେନ୍ଦ୍ର ସିଂହ ଧୋନୀଙ୍କର ସେ ଜଣେ ବଡ ଫ୍ୟାନ୍ ଭାବେ ମଧ୍ୟ ସେ ବେଶ ଜଣାଶୁଣା । ଅନେକ ସମୟରେ ସେ ଧୋନୀଙ୍କୁ ପ୍ରଂଶସା କରିବା ସହ. ତାଙ୍କ ସହ ଧୋନୀଙ୍କର ସମ୍ପର୍କ ବେଶ ନିବିଡ ବୋଲି ମଧ୍ୟ ପରିଚୟ ଦେଇଛନ୍ତି । ତେବେ ରାଇନାଙ୍କର ଧୋନୀଙ୍କୁ ନେଇ ଗୋଟିଏ ବୟାନ ଏବେ ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି ।

ରାଇନାଙ୍କ କହିବା କଥା, ସେ ପ୍ରଥମ ଧୋନୀଙ୍କ ପାଇଁ ଆଉ ତା ପରେ ଭାରତ ପାଇଁ କ୍ରିକେଟ୍ ଖେଳିଛନ୍ତି । ତାଙ୍କ କ୍ରିକେଟ୍ କ୍ୟାରିୟରରେ ଧୋନୀ ଆଗ ଆଉ ଦେଶ ପଛ ବୋଲି କହିଛନ୍ତି ସୁରେଶ ରାଇନା । ତେବେ ରାଇନାଙ୍କ ଏହି ବୟାନ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବା ସହ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସୁରେଶ ରାଇନାଙ୍କ କହିବା କଥା, ସେ ଗାଜିଆବାଦରୁ ଆସନ୍ତି ଆଉ ଧୋନୀ ରାଞ୍ଚିରୁ । ସେମାନେ ଦୁହେଁ ସାଙ୍ଗ ହୋଇ ଅନେକ ମ୍ୟାଚ୍ ଖେଳିଛନ୍ତି । ଭାରତକୁ ବିଶ୍ୱକପ୍ ବି ଜିତାଇଛନ୍ତି । ତେବେ ଧୋନୀଙ୍କ ସହ ଟିମ୍ ଇଣ୍ଡିଆ ପାଇଁ ଖେଳିବା ଆଉ ଆଇପିଏଲ୍ ଖେଳିବା ବଡ କଥା ବୋଲି ରାଇନା କହିଛନ୍ତି । ଏଥିସହିତ ଧୋନୀ ଜଣେ ଭଲ ଲିଡର ହେବା ସହ ଜଣେ ଭଲ ମଣିଷ ବୋଲି କହିଛନ୍ତି ସୁରେଶ ରାଇନା ।

୨୦୨୦ ମସିହା ଅଗଷ୍ଟ ମାସ ୨୦ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ଗୁଡବାଏ କହିଥିଲେ ଏମ୍ ଏସ୍ ଧୋନୀ । ସ୍ୱାଧୀନତା ଦିବସର ସନ୍ଧ୍ୟାରେ ସମସ୍ତଙ୍କୁ ଚମକାଇ ଏହି ନିଷ୍ପତି ନେଇଥିଲେ ମହେନ୍ଦ୍ର ସିଂହ ଧୋନୀ । ତେବେ ଟିମ୍ ଇଣ୍ଡିଆର ଏହି ସଫଳ ଅଧିନାୟକ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ୟାସ ନେବାର କିଛି ସମୟ ଭିତରେ ହିଁ, ରାଇନା ମଧ୍ୟ ନିଜର ରିଟାର୍ୟରମେଣ୍ଟ ଘୋଷଣା କରିଥିଲେ । ଯାହା ଦୁହିଁଙ୍କ ଭିତରେ ଥିବା ଭଲପାଇବାକୁ ଦର୍ଶାଇବା ସହ ରାଇନା ଧୋନୀଙ୍କୁ କେତେ ମାନିଥାନ୍ତି ତାହା ଦର୍ଶାଇଥିଲା ।

ରାଇନା ଦୀର୍ଘ ସମୟ ହେଲା ଟିମ୍ ଇଣ୍ଡିଆରୁ ବାହାରେ ଥିଲେ । ଲମ୍ବା ସମୟ ଧରି ସେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନଥିଲେ । ହେଲେ ଆଇପିଏଲରେ ସେ ଧୋନୀଙ୍କ ସହ ଖେଳିବା ସହ ସିଏସକେ ତରଫରୁ ମ୍ୟାଚ୍ ଖେଳିବା ଜାରି ରଖିଥିଲେ । କିନ୍ତୁ ଧୋନୀ ଯେତେବେଳେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ,ଏହାର କିଛି ଘଣ୍ଟା ଭିତରେ ହିଁ ରାଇନା ନିଜର ମଧ୍ୟ ଅବସର ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଯେ, ରାଇନା-ଧୋନୀଙ୍କ ବନ୍ଧୁତାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ଧୋନୀଙ୍କୁ ରାଇନା ନିଜର ଜଣେ ଭଲ ମେଣ୍ଟର ଭାବେ ମାନୁଥିବାବେଳେ । ଏହି ଦୁଇ ଖେଳାଳି ଭାରତକୁ ଅନେକ ମ୍ୟାଚରେ ପରାଜୟରୁ ବଞ୍ଚାଇଥିଲେ । ଖାଲି ସେତିକି ନୁହେଁ ୨୦୧୧ କ୍ରିକେଟ୍ ବିଶ୍ୱକପରେ ମଧ୍ୟ ଏହି ଦୁଇ ଖେଳାଳି ଚାମ୍ପିୟନ୍ ଦଳର ସଦସ୍ୟ ଥିଲେ ।