କନକ ବ୍ୟୁରୋ :  ମଣିପୁରର କୁକି ସମୁଦାୟର ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିଛନ୍ତି । ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ମଣିପୁରରେ ମହିଳାଙ୍କ ସହ ଯାହା ହେଲା ତାହାକୁ କେବେ ବି କ୍ଷମା କରାଯିବ ନାହିଁ । ମଣିପୁର ଘଟଣାକୁ ନେଇ ମୋର ହୃଦୟ ପୀଡା ଓ କ୍ରୋଧରେ ଭରି ଯାଉଛି । ଏହି ଘଟଣା ପାଇଁ ପୂରା ଦେଶକୁ ଲଜ୍ଜିତ ହେବାକୁ ପଡୁଛି । ଏଭଳି ଘଟଣାକୁ ସଭ୍ୟ ସମାଜ କେବେ ବି ଗ୍ରହଣ କରିବନି ।  ମୁଁ ଦେଶବାସୀଙ୍କୁ କଥା ଦେଉଛି, କୌଣସି ଦୋଷୀଙ୍କୁ ଛଡାଯିବନି । ଆଇନ ତା ବାଟରେ ନିଶ୍ଚୟ କାମ କରିବ ।

Advertisment

ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ମଜବୁତ କରନ୍ତୁ । ଖାସକରି ମହିଳା ମାନଙ୍କ ସୁରକ୍ଷା ପାଇଁ କଠିନରୁ କଠିନ ପଦକ୍ଷେପ ନିଅନ୍ତୁ । ରାଜନୀତିରୁ ଉପରକୁ ଉଠି ମହିଳାଙ୍କ ସମ୍ମାନ ପ୍ରତି ଗୁରୁତ୍ୱ ଦିଅନ୍ତୁ । କୌଣସି ଦୋଷୀଙ୍କୁ ଛଡାଯିବନି । ଆଇନ ଅନୁଯାୟୀ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାପୂର୍ବରୁ  ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଭିଡିଓ ଭାଇରାଲ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ କରାଯାଇଛି । ଘଟଣାର ଦୁଇ ମାସ ପରେ ଅଭିଯୁକ୍ତ ଖୁୟରୁମ୍ ହେରାଦାସଙ୍କୁ ଗିରଫ କରିଛି ପୋଲିସ । ଭିଡିଓ ଭାଇରାଲ ପରେ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆରେ ଭିଡିଓ ସେୟାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ନିୟମ ପାଳନ କରିବାକୁ କୁହାଯାଇଛି ।

ସେପଟେ ଘଟଣା ନେଇ ଆରମ୍ଭ ହୋଇଛି ରାଜନୀତି । ମଣିପୁରକୁ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ପଠାଇବା ପାଇଁ ଦାବି କରିଛନ୍ତି ବିରୋଧୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ମଣିପୁରରେ ମାନବିକତା ମରିଯାଇଛି । ସଂସଦରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଖଡଗେ । ବିରୋଧୀଙ୍କ ତୀବ୍ର ନିନ୍ଦା ପରେ ରାଜ୍ୟ ସରକାର କହିଛନ୍ତି ଘଟଣାର ତଦନ୍ତ ଚାଲିଛି । ୨ କୁକି ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲଗ୍ନ କରି ରାସ୍ତାରେ ବୁଲାଇଥିଲେ ମୈତେୟୀ ସମ୍ପ୍ରଦାୟ । ଗତ ମେ’ ୪ ତାରିଖରେ ରାଜଧାନୀ ଇମ୍ଫାଲଠାରୁ ୩୫ କିଲୋମିଟର ଦୂର କାଙ୍ଗପୋକପି ଜିଲ୍ଲାରେ ଏହି ଘଟଣା ଘଟିଥିଲା ।