ବନ୍ଧୁକ ଛଡାଇନେଲେ, ଆଖିବୁଜା ଗଳିଚାଳନା କଲେ…ଶେଷରେ ଆତ୍ମରକ୍ଷା ପାଇଁ କଲୁ ଏନକାଉଣ୍ଟର…ପୁଲିସ ବଖାଣିଲା ହାଇଦ୍ରବାଦ ଏନକାଉଣ୍ଟରର ପୂରା କାହାଣୀ

1,880

କନକ ବ୍ୟୁରୋ: ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛି ସାଇବରାବାଦ ପୋଲିସ । ତେବେ କିଭଳି ସ୍ଥିତିରେ ଏହି ଏନକାଉଣ୍ଟର କରିଥିଲା ପୋଲିସ ? କଣ ଘଟିଥିଲା ରାତିରେ ସେ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛି ସାଇବରାବାଦ ପୋଲିସ । ତେବେ ଆତ୍ମରକ୍ଷା ପାଇଁ ଏନକାଉଣ୍ଟର କରିଥିବା କହିଛନ୍ତି ସାଇବରାବାଦ ପୋଲିସ କମିଶନର ଭି ସଜ୍ଜନାର ।

ପୋଲିସ କମିଶନରଙ୍କ କହିବାନୁସାରେ, ରାତିରେ ଘଟଣାର ରିକ୍ରିଏସନ୍ ପାଇଁ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ପୁଲିସ ଆଣିଥିଲା । ଏହି ସମୟରେ ଅଭିଯୁକ୍ତ ଆରିଫ ଓ ଚିନ୍ତାକୁଟ୍ଟା ପୋଲିସ କର୍ମୀଙ୍କଠାରୁ ବନ୍ଧୁକ ଛଡାଇ ଗୁଳି ଚାଳନା କରିଥିଲେ । ଏହାର ଜବାବରେ ତାଙ୍କୁ ଚେତାବନୀ ଦେବା ସହ ଆତ୍ମସମର୍ପଣ କରିବା ପାଇଁ କହିଥିଲା ପୋଲିସ । କିନ୍ତୁ ସେମାନେ ଅଟକି ନଥିଲେ ଏପରିକି ଓଲଟା ପୁଲିସ ଉପରକୁ ଢେଲା ପଥର ମାଡ କରିଥିଲେ ସେମାନେ । ତେବେ ପୋଲିସର ବନ୍ଧୁକ ଧରି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଗୋଡାଇ ଏନକାଉଂଟର କରିଥିବା କହିଛନ୍ତି ଭି ସଜ୍ଜନାର ।

ସେ ଆହୁରୀ ମଧ୍ୟ କହିଛନ୍ତି କି, ଚାରି ଅଭିଯୁକ୍ତଙ୍କୁ ହାତକଡି ପିନ୍ଧାଯାଇ ନଥିଲା । ଯେଉଁ କାରଣରୁ ଏମାନେ ପୁଲିସ ପାଖରୁ ବନ୍ଧୁକ ଛଡାଇନେଇଥିଲେ । ଏହାପରେ ସେମାନେ ଦୌଡିପଳାଇବାକୁ ଚେଷ୍ଟା କରିଥିଲେ । ତେଣୁ ପ୍ରଥମେ ପୁଲିସ ପକ୍ଷରୁ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା ମାତ୍ର ସେମାନେ ପୁଲିସ କଥା ଶୁଣିବା ପରିବର୍ତ୍ତ ଓଲଟା ପୁଲିସ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାର ଜବାବରେ ପୁଲିସକୁ ବାଧ୍ୟ ହୋଇ ଗୁଳି ଚାଲନା କରିବାକୁ ପଡିଥିଲା । ତେବେ ଏହି ଗୁଳି ବିନିମୟରେ ୪ ଅଭିଯୁକ୍ତଙ୍କ ମୃତ ଘଟିଥିବା ବେଳେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା କହିଛନ୍ତି ଭି ସଜ୍ଜନାର । ତେବେ ଆହତଙ୍କ ମଧ୍ୟରେ ଜଣେ ସବ ଇନ୍ସପେକ୍ଟର ହୋଇଥିବା ବେଳେ ଅନ ଜଣେ କନଷ୍ଟେବଳ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସମୟ ସକାଳ ପ୍ରାୟ ୫ଟା ୪୦ରୁ ୬ଟା ୧୫ ମଧ୍ୟରେ ଘଟିଥିଲା ଏହି ଏନକାଉଂଟର । ପୋଲିସର ଏନକାଉଂଟରରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା । ଏହି ଅବସରରେ ସାଇବରାବାଦ ପୋଲିସ କମିଶନର କହିଛନ୍ତି ଦିଶା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ନେଇ ଅନେକ ପ୍ରମାଣ ରହିଛି ପୋଲିସ ହାତରେ ।