କନକ ବ୍ୟୁରୋ: ‘ଗ୍ରାଜୁଏସନ୍, ଏମ୍ଏ ଯାଏଁ ପଢେଇଲି ।ସ୍ତ୍ରୀକୁ ଆଗକୁ ପଢେଇବାକୁ ଡର ଲାଗୁଛି’ । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିହାର ବକ୍ସରରେ ଏକ ପେଟ୍ରୋଲ ପମ୍ପରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଯୁବକ ପିଣ୍ଟୁ । ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ଘଟଣା ଏବେ ଜୋର ଧରିଥିବାବେଳେ ଆଉ ସ୍ତ୍ରୀକୁ ପଢାଇବେ ନାହିଁ ବୋଲି କହିଛନ୍ତି ପିଣ୍ଟୁ । ତେବେ ତାଙ୍କର ଏହି ସମସ୍ୟା ଏବେ ପୁଲିସ ପାଖରେ ଯାଇ ପହଞ୍ଚିଛି ।

Advertisment

ପିଣ୍ଟୁଙ୍କ କହିବା ମୁତାବକ, ବିବାହ କରି ଆସିବାବେଳକୁ ତାଙ୍କ ସ୍ତ୍ରୀ ଖୁସବୁ ମାତ୍ର ମେଟ୍ରିକ ଯାଏଁ ପଢିଥିଲେ । ହେଲେ ଆଗକୁ ପଢିବାକୁ ତାଙ୍କର ଇଚ୍ଛା ଥିବା କଥା ସ୍ୱାମୀଙ୍କ ଆଗରେ କହିଥିଲେ । ପାଠ ପଢା ପ୍ରତି ସ୍ତ୍ରୀର ଆଗ୍ରହକୁ ଦେଖି ଖୁସବୁଙ୍କୁ ପଢାଇବାକୁ ଅନୁମତି ଦେଲେ । ଦ୍ୱାଦଶ ପଢିସାରିବା ପରେ ଗ୍ରାଜୁଏସନ୍ କରାଇଲେ । ଏହା ଭିତରେ ଖୁସବୁଙ୍କର ଦୁଇ ପୁଅ ହୋଇସାରିଥିଲେ । ତଥାପି ସ୍ତ୍ରୀଙ୍କ ପଢା ପ୍ରତି ଥିବା ପ୍ରବଳ ଇଚ୍ଛାକୁ ସମ୍ମାନ ଦେଇ ନିଜେ ନିଜ କାମ କରିବା ସହ ଦୁଇ ପିଲାଙ୍କ ଦାୟିତ୍ୱ ମଧ୍ୟ ନେଇଥିଲେ ପିଣ୍ଟୁ । ସମୟ କ୍ରମେ ସ୍ତ୍ରୀ ଖୁସବୁ ଏମଏ ପାସ କଲେ । ଏହାପରେ କମ୍ପିଟିଟିଭ ଏଗ୍ଜାମ ଦେବାକୁ ଇଚ୍ଛା ପ୍ରକାଶ କଲେ । ବିପିିଏସସି (ବିହାର ଲୋକସେବା ଆୟୋଗ) ପରୀକ୍ଷା ଦେବାକୁ ପ୍ରସ୍ତୁତି କରିବାକୁ ଚାହୁଁଥିଲେ ଖୁସବୁ । ଏଥିପାଇଁ ଆବଶ୍ୟକ କୋଚିଙ୍ଗ ନେବାକୁ ଉତ୍ତରପ୍ରଦେଶ ପ୍ରୟାଗରାଜ ପଠାଇଲେ । ସେଠାରେ ସ୍ତ୍ରୀ ଖୁସବୁ କୋଚିଙ୍ଗ ନେବାର କିଛି ଦିନ ପରେ ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ମାମଲା ସାମନାକୁ ଆସିଲା । ଫଳରେ ଖୁସବୁଙ୍କୁ ପୟାଗରାଜରୁ ଡକାଇପଠାଇଲେ ପିଣ୍ଟୁ ।

ସ୍ତ୍ରୀକୁ ଆଗକୁ ପଢାଇବାକୁ ଡର ଲାଗୁଛି ବୋଲି କହିଛନ୍ତି ପିଣ୍ଟୁ । କେବଳ ଜ୍ୟୋତି ମୌର୍ଯ୍ୟଙ୍କ ମାମଲାକୁ ନେଇ ନୁହେଁ ବରଂ ଏଥିପାଇଁ ଅନ୍ୟ କାରଣ ଅଛି ବୋଲି କହିଛନ୍ତି ପିଣ୍ଟୁ । ଆଗରୁ ପରିବାର ଛୋଟ ଥିଲା । ଏବେ ଦୁଇ ପିଲା ବଡ ହେଲେଣି । ସେମାନଙ୍କ ପାଠପଢା ଖର୍ଚ୍ଚ ବଢିଲାଣି । ଘରେ ମୁଁ ଏକୁଟିଆ ରୋଜଗାର କରିବା ବାଲା । ତେଣୁ ଦୁଇ ପିଲାଙ୍କ ପଢା ଖର୍ଚ୍ଚ ଉଠାଇବା ଏବେ ମୋ ପାଇଁ କଷ୍ଟ ହେଲାଣି । ଆଉ ସ୍ତ୍ରୀଙ୍କ ପଢା ଖର୍ଚ୍ଚ ଉଠେଇବି କେମିତି । ମୁଁ ମୋ ସ୍ତ୍ରୀକୁ ବହୁତ ସମ୍ମାନ ଦିଏ , ଭଲ ପାଏ ହେଲେ ଘରର ଆର୍ଥିକ ସମସ୍ୟା ଯୋଗୁଁ ତାଙ୍କୁ ପ୍ରୟାଗରାଜରୁ ଡକେଇଲି । ଏସବୁ କାରଣ ପରେ ବି ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ଘଟଣା ଜାଣିବା ପରେ ସ୍ତ୍ରୀକୁ ଆଉ ଅଧିକ ପଢାଇବାକୁ ଡର ଲାଗୁଛି ବୋଲି କହିଛନ୍ତି ପିଣ୍ଟୁ ।

ଅନ୍ୟପଟେ ପିଣ୍ଟୁଙ୍କ ସ୍ତ୍ରୀ ଖୁସବୁ ସ୍ୱାମୀଙ୍କର ଏଭଳି ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ସେ ଆଗକୁ ପଢିବାକୁ ଚାହୁଁଛନ୍ତି ତେଣୁ ତାଙ୍କ ସ୍ୱାମୀଙ୍କୁ ବୁଝାଇବାକୁ ପୁଲିସ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଖୁସବୁ । ଅନ୍ୟପଟେ ନିଜର ସମସ୍ୟାକୁ ପୁଲିସ ଆଗରେ ବଖାଣିଛନ୍ତି ପିଣ୍ଟୁ ।

ତେବେ ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ଘଟଣା ପରେ ଚର୍ଚ୍ଚା ବଢିଛି ଏବଂ ଏନେଇ ଯୁବଗୋଷ୍ଠୀ ନିଜ ନିଜ ପ୍ରତିକ୍ରିୟା ରଖୁଛନ୍ତି । ଜ୍ୟୋତିଙ୍କୁ ସ୍ୱାମୀ ଆଲୋକ ମୌର୍ଯ୍ୟ ପାଠ ପଢାଇ ଅଫିସର ହେବାଯାଏଁ ସମ୍ପୂର୍ଣ୍ଣ ସହଯୋଗ କଲେ । ହେଲେ ଏସଡିଏମ୍ ହେବା ପରେ ସ୍ୱାମୀ ଓ ଶାଶୁଘରକୁ ଭୁଲିଗଲେ ଜ୍ୟୋତି । ଏହାକୁ ନେଇ ଜ୍ୟୋତି ଓ ସ୍ୱାମୀ ଆଲୋକଙ୍କ ମଧ୍ୟରେ ବିବାଦ ଏବେ ସଙ୍ଗୀନ ହୋଇଛି । ପୁଲିସ ଉଭୟ ପକ୍ଷଙ୍କ ସାକ୍ଷୀ ଯୋଗାଡରେ ଲାଗିଛି । ଆଗକୁ କିଏ ନ୍ୟାୟ ପାଉଛି ତାକୁ ଅପେକ୍ଷା ।