ଛାଡପତ୍ର ନେଇ ଫ୍ୟାମିଲ କୋର୍ଟରେ ହେଲା ବୁଝାମଣା, ମାତ୍ର କୋର୍ଟ ବାହାରକୁ ଆସିବା ପରେ ସ୍ତ୍ରୀର ଗଳାକାଟି ଦେଲା ସ୍ୱାମୀ

785

କନକ ବ୍ୟୁରୋ : କର୍ଣ୍ଣାଟକର ହାସନ ଜିଲ୍ଳାରେ ଦେଖିବାକୁ ମିଳିଛି କିଛି ଚକିତ କରିଦେବା ଭଳି ଘଟଣା । ଏଠାରେ ଶନିବାର ଦିନ କୋର୍ଟ ପରିସରରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କର ଗଳାକାଟି ହତ୍ୟା କରିଛନ୍ତି । କେବଳ ସ୍ତ୍ରୀ ନୁହେଁ ନିଜ ଝିଅ ବି ଏହି ଆକ୍ରମଣରେ ଗୁରୁତର ହୋଇଛି । ଝିଅ ଉପରେ ଆକ୍ରମଣ କରୁଥିବା ବେଳେ ସେଠି ଉପସ୍ଥିତ ଲୋକ ଝିଅଟିକୁ ଉଦ୍ଧାର କରିବା ସହ ସ୍ୱାମୀ ଜଣଙ୍କୁ ଧରି ପକାଇଥିଲେ । ହାସନ ଜିଲ୍ଲାର ଫ୍ୟାମିଲି କୋର୍ଟରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦକୁ ନେଇ କାଉଁସେଲିଂ ଚାଲିଥିଲା । କାଉଁସେଲିଂ ପରେ ଉଭୟ ସ୍ୱାମୀ ସ୍ତ୍ରୀ ସାଂଗରେ ରହିବା ନେଇ ସହମତି ପ୍ରକାଶ କରିଥିଲେ । ଏହାପରେ ସ୍ୱାମୀ ସ୍ତ୍ରୀ ପିଲାକୁ ଧରି ଘରକୁ ଯିବାକୁ ବାହାରିଥିଲେ । ହେଲେ କୋର୍ଟ ପରିସରରେ ସ୍ୱାମୀ ଜଣଙ୍କ ହଠାତ ସ୍ତ୍ରୀର ଗଳା କାଟି ଦେଇଥିଲେ ।

ଏଭଳି ଘଟଣା ହସନ ଜିଲ୍ଲା ହୋଲେନରସିପୁରା ଟାଉନ କୋର୍ଟରେ ଦେଖିବାକୁ ମିଳିଛି । ଚିତ୍ରା ନାମକ ଏହି ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଶିବକୁମାରଙ୍କ ଠାରୁ ଛାଡପତ୍ର ନେବା ନେଇ କୋର୍ଟରେ ଆବେଦନ କରିଥିଲେ । ଶନିବାର ଦିନ ଆବେଦନର ଶୁଣାଣି ହୋଇଥିଲା ।

ସୂଚନା ମୁତାବକ ଶିବକୁମାରଙ୍କ ସହ ଚିତ୍ରାର ବାହାଘର ୭ ବର୍ଷ ପୂର୍ବରୁ ହୋଇଥିଲା । ତାଙ୍କର ଏକ ଛୋଟ ଝିଅ ମଧ୍ୟ ରହିଛି । ହେଲେ କୌଣସି କାରଣରୁ ଚିତ୍ରା ଶିବକୁମାରଙ୍କୁ ଛାଡପତ୍ର ଦେବାକୁ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଉଭୟ ପକ୍ଷର କଥା ଶୁଣିବା ପରେ ପିଲାର ଭବିଷ୍ୟତକୁ ଧ୍ୟାନରେ ରଖି ଏକତ୍ର ରହିବାକୁ ପରାମର୍ଶ ଦେଇଥିଲେ । କୋର୍ଟର ଏହି ପରାମର୍ଶକୁ ଉଭୟ ପତି ଓ ପତ୍ନୀ ସ୍ୱୀକାର କରିଥିଲେ ।

ଏସବୁ ପରେ ଚିତ୍ରା କୋର୍ଟ ପରିସରରେ ଥିବା ଶୌଚାଳୟକୁ ଯାଇଥିବା ବେଳେ ସ୍ୱାମୀ ଶିବକୁମାର ଶୌଚାଳୟ ଭିତରେ ପଶି ତାଙ୍କର ଗଳା କାଟିଦେଇଥିଲେ । ଏହାପରେ କୁନିପିଲାଟିକୁ ଆକ୍ରମଣ କରିବାକୁ ଯାଉଥିବା ବେଳେ ଲୋକମାନେ ତାଙ୍କୁ ଧରି ପୋଲିସରେ ଦେଇଛନ୍ତି ।