ସ୍ତ୍ରୀ ବନ୍ଧୁକରେ ଫାୟାରିଂ କରି ବନ୍ଧା ହେଲେ ସ୍ୱାମୀ । ବନ୍ଧୁକ, ୫ ରାଉଣ୍ଡ ଗୁଳି ଓ ୮୧ଟି ଖାଲି ଖୋକା ଜବତ କଲା ପୋଲିସ

111

କନକ ବ୍ୟୁରୋ: ରାଜଧାନୀର ସିଆରପି ଛକରେ ଜଣେ ବ୍ୟକ୍ତି ଖୁଲମଖୁଲା କଂଗ୍ରେସ ଛାତ୍ର ନେତାଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ଓ ବ୍ଲାଙ୍କ ଫାୟାରିଂ କରିବା ଘଟଣାରେ ଅଭିଯୁକ୍ତ ବିନୟ ଆଚାର୍ଯ୍ୟଙ୍କୁ ଗିରଫ କରିଛି ପୋଲିସ୍ । ପୋଲିସ୍ କହିବା ଅନୁସାରେ ବିନୟ ଯେଉଁ ବନ୍ଧୁକରୁ ଗୁଳି ଫୁଟାଇଥିଲେ, ତାହ ଥିଲା ତାଙ୍କ ସ୍ତ୍ରୀଙ୍କ ବନ୍ଧୁକ । ବିନୟଙ୍କ ସ୍ତ୍ରୀ ହେଉଛନ୍ତି ଜଣେ ସ୍ପୋର୍ଟସ୍ ସୁଟର । ସେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବ୍ୟବହାର କରୁଥିଲେ । ପୋଲିସ ଗୋଟିଏ ବନ୍ଧୁକ, ପାଞ୍ଚ ରାଉଣ୍ଡ ଗୁଳି ଓ ୮୧ଟି ଖାଲି ଖୋକା ଜବତ କରିଛି । ଏହାସହ ବନ୍ଧୁକ ଲାଇସେନ୍ସ ବାତିଲ କରିବା ପାଇଁ ପୋଲିସ ଆବେଦନ କରିବ ।

  • ସ୍ତ୍ରୀ ବନ୍ଧୁକରୁ ବ୍ଲାଙ୍କ ଫାୟାରିଂ କଲେ, ବନ୍ଧା ହେଲେ
  • ବନ୍ଧୁକ, ୫ରାଉଣ୍ଡ ଗୁଳି, ୮୧ ଖାଲି ଖୋକା ଜବତ

ବିନୟ ଆଚାର୍ଯ୍ୟ । ଏହି ବାବୁଙ୍କ ସ୍ତ୍ରୀ ହେଉଛନ୍ତି ଜଣେ ସ୍ପୋର୍ଟସ୍ ସୁଟର । ସ୍ପୋର୍ଟସ ସୁଟର ହୋଇଥିବାରୁ ସେ ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକ ରଖିଥିଲେ । ଆଉ ଏହାର ସୁଯୋଗ ନେଇ ସେହି ବନ୍ଧୁକରେ ସାମାନ୍ୟ ବଚସାରୁ, ରାସ୍ତା ମଝିରେ ବ୍ଲାଂଙ୍କ ଫାୟାରିଂ କରିଥିଲେ ସ୍ୱାମୀ ବିନୟ ।

ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ସିଆରପି ଛକ ନିକଟ ୟୁନିଟ୍ -୮ ଆଡକୁ ଯିବା ରାସ୍ତାକଡରେ ଥିବା ଏକ ପାନ ଦୋକାନ ନିକଟରେ ଛିଡା ହୋଇଥିଲେ ବିନୟ । ଏହି ସମୟରେ ସେଠାରେ ଥିବା ଆଉ ଏକ ଗୋଷ୍ଟିର ପିଲାମାନଙ୍କ ସହ ବିନୟଙ୍କର ଝଗଡା ହୋଇଥିଲା । ଆଉ ଏଥିରେ ବିନୟଙ୍କ ରାଗ ମୁଣ୍ଡକୁ ଉଠିଯାଇଥିଲା । ତାପରେ ସେ ପାଖରେ ରଖିଥିବା ସ୍ତ୍ରୀଙ୍କ ବନ୍ଧୁକରୁ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ସେଠାରୁ ଫେରାର ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରି ବିନୟଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ କରାଯାଇଛି ।

ଏହି ଘଟଣାରେ ବିନୟ ସହ ଆଉ କେଉଁମାନେ ସାମିଲ ଥିଲେ ତାର ତଦନ୍ତ କରୁଛି ନୟାପଲ୍ଲୀ ଥାନା ପୁଲିସ । ଏଥିସହ ବିନୟ ଯେଉଁ ବନ୍ଧୁକରୁ ଗୁଳି ଫୁଟାଇଛନ୍ତି ତାର ଲାଇସେନ୍ସ ବାତିଲ କରିବା ପାଇଁ ପୋଲିସ ଆବେଦନ କରିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।