ପଂଚାୟତ ନିର୍ବାଚନ ମୈଦାନରେ ସ୍ୱାମୀ, ସ୍ତ୍ରୀ : ସ୍ୱାମୀ ସରପଂଚ, ସ୍ତ୍ରୀ ସମିତି ସଭ୍ୟା ପ୍ରାର୍ଥୀ

151

କନକ ବ୍ୟୁରୋ : ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୋଚକପୂର୍ଣ୍ଣ ଚିତ୍ର ସାମନାକୁ ଆସୁଛି । ସେହିଭଳି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର ସିମିନଈ ପଂଚାୟତରେ ଅନୁରୁପ ଚିତ୍ର ଦେଖିବାକୁ ମିଳିଛି । ସ୍ୱାମୀ ସରପଂଚ ପ୍ରାର୍ଥୀ ହୋଇଥିବା ବେଳେ ସ୍ତ୍ରୀ ସମିତି ସଭ୍ୟା ରୁପେ ନିର୍ବାଚନକୁ ଓହ୍ଲାଇଛନ୍ତି । କୌଣସି ରାଜନୈତିକ ଦଳର ସହାୟତା ବିନା ଏହି ୨ ଜଣ ୨୦୧୭ ମସିହାରେ ଏହି ପଂଚାୟତରେ ନିର୍ବାଚିତ ହୋଇଥିଲେ । ବିନୋଦିନି ସଂରପଚ ଏବଂ ପ୍ରମୋଦ ସମିତି ସଭ୍ୟ ଅଛନ୍ତି ।

ମାତ୍ର ଚଳିତ ଥର ପ୍ରମୋଦ ସରପଂଚ ଏବଂ ପତ୍ନୀ ବିନୋଦିନି ସମିତି ସଭ୍ୟା ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉଭୟଙ୍କ ଭଲ ବୁଝାମଣା ଯୋଗୁଁ ପଂଚାୟତରେ ଥିବା ୫ଟି ଗାଁରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ବିଶେଷକରି ଆଦର୍ଶ ବିଦ୍ୟାଳୟ, ଜବରଦଖଲ ଉଛେଦ ପୂର୍ବକ ସେଠାରେ ସର୍ବସାଧାରଣଙ୍କ ଲାଗି ପାର୍କ ତିଆରି, ହାଟ ପଡିଆର ଉନ୍ନତିକରଣ, ଗାଁ ଶ୍ମସାନର ଆଧୁନିକିକରଣ ଆଦି କାର୍ଯ୍ୟ ଲାଗି ପ୍ରଶାସନ ଏହି ପଂଚାୟତକୁ ସ୍ମାର୍ଟ ପଂଚାୟତର ଆଖ୍ୟା ପ୍ରଦାନ କରିଛି ।