ନବରଙ୍ଗପୁରରେ ମକା ଚାଷ ପାଇଁ ମହାଭାରତ । ଏକର ଏକର ଜଙ୍ଗଲ ଜମିରେ ହୋଇଥିବା ଫସଲ ନଷ୍ଟ କରିଦେଲେ ଶହ ଶହ ଆଦିବାସୀ । ଘରେ ଲଗାଇ ଦେଲେ ନିଆଁ ।

147

କନକ ବ୍ୟୁରୋ: ମକା ପାଇଁ ମହାଭାରତ । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ସାଙ୍ଘାତିକ ଖବର । ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଅନ୍ୟ ଏକ ଗୋଷ୍ଠୀର ଘର ପୋଡ଼ିବା ସହ ଏକର ଏକର ମକା ଚାଷ ନଷ୍ଟ କରିଦେଇଛନ୍ତି ଆଉ ଏକ ଗୋଷ୍ଠୀ । ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତର ୩ଟି ଗାଁର ପ୍ରାୟ ଶହେ ପରିବାର ଦୀର୍ଘ ୫୦ ବର୍ଷ ହେଲା ଜଙ୍ଗଲ ଜମିରେ ବସବାସ କରିବା ସହ ଚାଷ କରି ଜୀବିକା ନିର୍ବାହ କରି ଆସୁଛନ୍ତି । ୨୦୦୫ରୁ କୁସୁମଗୁଡା ବନ ସୁରକ୍ଷା ସମିତି ଏହି ତିନିଟି ଗାଁକୁ ଏଠାରୁ ହଟାଇବାକୁ ଦାବି କରିଆସୁଛି । ଯାହାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

  • ମକା ଚାଷ ପାଇଁ ମହାଭାରତ
  • ନଷ୍ଟ କଲେ ଫସଲ, ପୋଡ଼ିଲେ ଘର

ମକା କ୍ଷେତରେ ଶହ ଶହ ଆଦିବାସୀ ନଷ୍ଟ କରୁଛନ୍ତି ଏକର ଏକର ମକା ଫସଲ । ଅମଳ ହେବା ପୂର୍ବରୁ ଉଜୁଡି ଯାଇଛି ସୁନାର ଫସଲ । ଆଉ ନିଜ ଆଖି ଆଗରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫଳାଇଥିବା ଫସଲ ଦେଖି ଲୁହ ଗଡାଉଛନ୍ତି ଶହେରୁ ଅଧିକ କନ୍ଧ ପରିବାର । କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଗାଁ । କେବଳ ସେତିକି ନୁହେଁ ଆଦିବାସୀ ମାନେ ପୋଡି ଦେଇଛନ୍ତି ଜମି ନିକଟରେ ବସବାସ କରୁଥିବା କନ୍ଧ ସଂପ୍ରଦାୟର ଘର । ସବୁକିଛି ପୋଡି ପାଉଁଶ ହୋଇଯିବା ପରେ ନିଆଁରୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ଘରକରଣା ସାମଗ୍ରୀ । ଏଭଳି କିଛି ଖବର ଆସିଛିି ନବରଙ୍ଗପୁର ଜିଲ୍ଲା ଉମରକୋଟର କପାସଭଟା ଗ୍ରାମରୁ ।

ଜଙ୍ଗଲ ଜମି ଅଧିକାରକୁ ନେଇ ଏଠାରେ ସ୍ଥାନୀୟ ଆଦିବାସୀ ଓ କନ୍ଧ ସଂପ୍ରଦାୟ ଭିତରେ ବିବାଦ ବହୁ ଦିନରୁ ଲାଗି ରହିଛି । ପ୍ରତିବର୍ଷ ଅମଳ ସମୟରେ ଆଦିବାସୀ ମାନେ ଏକଜୁଟ ହୋଇ କନ୍ଧ ମାନଙ୍କର ଫସଲ ନଷ୍ଟ କରୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ଯୋଗୁ ଏହି ପରିସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି ।

ବୁର୍ଜା ପଞ୍ଚାୟତର କପସାଭଟା, ସାରିୟାଭଟା ଓ ଲକଟିପଖନା ଗାଁରେ ୧୦୦ରୁ ଅଧିକ କନ୍ଧ ପରିବାର ବିଗତ ୫୦ ବର୍ଷ ଧରି ବସବାସ କରିବା ସହ ମକା ଚାଷ କରି ଜୀବିକା ନିର୍ବାହ କରିଆସୁଛନ୍ତି । କିନ୍ତୁ ଏମାନଙ୍କୁ ବିରୋଧ କରୁଛନ୍ତି ନିକଟରେ ଥିବା ଅନ୍ୟ ୮ ଗାଁର ଆଦିବାସୀ । କୁସୁମଗୁଡା ବନସୁରକ୍ଷା ସମିତି ଗଠନ କରି ଏହି କନ୍ଧ ଜନଜାତିର ଲୋକଙ୍କୁ ଏଠାରୁ ହଟାଇବା ପାଇଁ ଦାବି କରିଆସୁଛନ୍ତି ଆଉ ପ୍ରତିବର୍ଷ ନଷ୍ଟ କରିଦେଉଛନ୍ତି ଏକର ଏକର ଫସଲ ।

ଘଟଣା ଉଗ୍ରରୂପ ନେବା ପରେ ପୋଲିସ ଓ ପ୍ରଶାସନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ କିନ୍ତୁ ଧ୍ୱଂସ ପାଇଯାଇଛି ସବୁକିଛି । ଆଦିବାସୀଙ୍କ ଏମିତି ସଂଘବଦ୍ଧ ଆକ୍ରମଣ ପରେ ଏବେ ଏହି ପରିବାର ଭୟଭୀତ ଅବସ୍ଥାରେ ଥିବା ବେଳେ, କିଭଳି ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତାରେ ଅଛନ୍ତି ।