ପିଲାଙ୍କ ଭବିଷ୍ୟତ ଗଢିବେ ହୃଦାନନ୍ଦ । ନିଜ ଗାଁ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ୨୨ ବର୍ଷୀୟ ଯୁବ ଇଂଜିନିୟର ।

166

କନକ ବ୍ୟୁରୋ: ବୟସ ୨୨ କିନ୍ତୁ ତାଙ୍କ କାମ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଛି । ଯାଜପୁର ଟୋଲକାନୀର ଯୁବ ଇଂଜିନିଅର ହୃଦାନନ୍ଦ ପୃଷ୍ଟି ନିଜ ଗାଁ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ଏହି ସ୍କୁଲରେ ପଢୁଥିବା ସମସ୍ତ ୩୫୧ ଜଣ ପିଲାଙ୍କ ଭବିଷ୍ୟତ ଗଢିବାରେ ବଡଭାଇ ଭାବେ ସେ ଦାୟିତ୍ୱ ନେଇ ବେଶ୍ ଖୁସିଥିବା କହିଛନ୍ତି ହୃଦାନନ୍ଦ । ଏପଟେ ତାଙ୍କର ଏଭଳି କାମକୁ ପ୍ରଶଂସା କରିଛନ୍ତି ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ।

ନିଜ ଜନ୍ମମାଟି ପାଇଁ, ନିଜ ଗାଁ ସ୍କୁଲ ପାଇଁ କିଛି କରିବାର ଇଚ୍ଛା, ବାଟ ଦେଖାଇଛି ମୋ ସ୍କୁଲ ଅଭିଯାନ । ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନରେ ପ୍ରେରଣା ପାଇଁ ଆଗକୁ ଆସିଛନ୍ତି ଜଣେ ଯୁବ ଇଂଜିନିଅର । ଯାଜପୁର ଜିଲ୍ଲା ଟୋଲକାନୀର ଝାଡେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପୂରାତନ ଛାତ୍ର ହୃଦାନନ୍ଦ ପୃଷ୍ଟି । ଏବେ ଏହି ଯୁବ ଇଂଜିନିଅର ଜଣକ ନିଜେ ପଢିଥିବା ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ।

ସ୍ଥାନୀୟ ପିଲାଙ୍କ ପାଖରେ ପ୍ରତିଭା ଅଛି, କିନ୍ତୁ ଏହାକୁ ବିକଶିତ କରିବାର ମାଧ୍ୟମ ଅଭାବ ରହିଛି । ଏହାକୁ ଦୃଷ୍ଟିରେ ରଖି ହୃଦାନନ୍ଦ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍, ସବୁଜ ସୁନ୍ଦର ପରିବେଶ, ଆମ ପାଠାଗାର ଓ ସୁପର ୩୦ ବ୍ୟାଚ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ମାତ୍ର ୨୨ ବର୍ଷ ବୟସ୍କ ହୃଦାନନ୍ଦଙ୍କ ଏଭଳି କାର୍ଯ୍ୟକୁ ଟୁଇଟ କରି ପ୍ରଶଂସା କରିଛି ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ । ସେ ଏବେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସମସ୍ତ ୩୫୧ ଜଣ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବା ସହ ସେମାନଙ୍କର ଉନ୍ନତି ପାଇଁ କାମ କରିବାକୁ ଅଂଟା ଭିଡିଛନ୍ତି । ହୃଦାନନ୍ଦଙ୍କ ଏହି କାମକୁ ପ୍ରଶଂସା କରିଛି ମୋ ସ୍କୁଲ । ଏଥିପାଇଁ ତାଙ୍କୁ ଧନ୍ୟବାଦ ଦେବା ସହ, ତାଙ୍କର ଏଭଳି କାମ ଅନ୍ୟମାନଙ୍କ ପାଇଁ ଉଦାହରଣର ସୃଷ୍ଟି କରିବ ବୋଲି କହିଛନ୍ତି ମୋ ସ୍କୁଲ ଅଧ୍ୟକ୍ଷା । ଗଣମାଧ୍ୟମରେ ଅଭାବ ଅସୁବିଧାରେ ଥିବା ଖବର ପ୍ରସାରଣ ହେଲେ ସବୁ ବେଳେ ଆଗକୁ ବାହାରି ଆସନ୍ତି ଏହି ଯୁବ ଇଂଜିନିଅର ହୃଦାନନ୍ଦ ।