ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଆପଣ ଦ୍ୱନ୍ଦରେ କି ? ଆର୍ଥିକ ପରିଚାଳନା କିପରି କରିବେ ଏବଂ କେଉଁଠି ନିବେଶ କରିବେ, କ’ଣ ରହିଛି ବିଶେଷଜ୍ଞଙ୍କ ପରାମର୍ଶ, ପଢ଼ନ୍ତୁ ଏହି ରିପୋର୍ଟ ।
କନକ ବ୍ୟୁରୋ: ଆର୍ଥିକ ମାନ୍ଦାବସ୍ଥା ସଂପର୍କୀତ ରିପୋର୍ଟ ପ୍ରକାଶ ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । କର୍ମଚାରୀ ଛଟେଇ, ବିଭିନ୍ନ ସାମଗ୍ରୀର ଚାହିଦା କମିବା ଏବଂ ସେୟାର ମୂଲ୍ୟରେ କ୍ରମାଗତ ହ୍ରାସ ଭଳି ଖବର ଉଭୟ ଗ୍ରାହକ ଓ ନିବେଶକଙ୍କ ମଧ୍ୟରେ ଛନକା ପଶିଛି । ଏଭଳି ସ୍ଥିତିର ମୁକାବିଲା କିପରି କରାଯିବ, ଏ ନେଇ ଚିନ୍ତା ବଢ଼ି ବଢ଼ି ଚାଲିଛି । ଏଭଳି ସ୍ଥିତିରେ ଆର୍ଥିକ ପରିଚାଳନା କିପରି କରିବେ, କ’ଣ ରହିଛି ବିଶେଷଜ୍ଞଙ୍କ ପରାମର୍ଶ, ଦେଖନ୍ତୁ ଏହି ରିପୋର୍ଟ ।
Kanak News is now on WhatsApp
Join and get latest news updates delivered to you via WhatsApp
କେତେ ଖର୍ଚ୍ଚ କରିବେ, କେଉଁଠି ନିବେଶ କରିବେ, କିପରି ମାନ୍ଦାବସ୍ଥାର ମୁକାବିଲା କରିବେ, ଏହି ଚିନ୍ତା ଏବେ ସମସ୍ତଙ୍କୁ ଘାରିଛି । ତେବେ ଏଭଳି ସ୍ଥିତିରେ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
ଏସଆଇପି ଅର୍ଥାତ୍ ସିଷ୍ଟମେଟିକ୍ ଇନଭେଷ୍ଟମେଂଟ ପ୍ଲାନ୍ । ଯେଉଁଠି ଆପଣ ଏକ ନିର୍ଦ୍ଦିଷ୍ଟ ରାଶି ମାସକୁ ମାସ ନିବେଶ କରିଥାନ୍ତି । ସେୟାର ମୂଲ୍ୟରେ ହ୍ରାସ ହେଉଥିଲେ ବି ଆତଙ୍କିତ ନହୋଇ ଏଏସଆଇପିରେ ନିବେଶ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । କାରଣ କମ୍ ମୂଲ୍ୟରେ ସେୟାର କିଣିଲେ ଭବିଷ୍ୟତରେ ଏହା ଅଧିକ ଫାଇଦା ଦେବ ।
ଯେଉଁ ଫଣ୍ଡ ଅତ୍ୟଧିକ ଲାଭ ଦେଇଥାଏ, ସେହି ଫଣ୍ଡରେ ଅଧିକ ରିସ୍କ ରହିଥାଏ । ତେଣୁ ସ୍ଥିର ପ୍ରଦର୍ଶନ କରୁଥିବା ଫଣ୍ଡରେ ନିବେଶ କରନ୍ତୁ । ଗୋଟିଏ ଫଣ୍ଡ କିମ୍ବା ଏକ ନିର୍ଦ୍ଦିଷ୍ଟ କଂପାନୀରେ ନିବେଶ ନକରି ଭିନ୍ନ ଭିନ୍ନ ଫଣ୍ଡରେ ଛୋଟ ଛୋଟ ନିବେଶ କରନ୍ତୁ । ଫଳରେ ଆପଣଙ୍କ ରିସ୍କ ହ୍ରାସ ପାଇବ । ସେହିପରି ସୁନାରେ ନିବେଶ କରିବାକୁ ଇଚ୍ଛା କରୁଥିଲେ, ଗୋଲ୍ଡ ବଣ୍ଡ କିଣିବା ଭଲ ନିଷ୍ପତି ।
ଜାଗା ଓ ଗୃହରେ ନିବେଶ ପାଇଁ ଠିକ୍ ସମୟ ନୁହେଁ
ଜାଗା ଓ କୋଠାବାଡି ଭଳି ସଂପତିରେ ନିବେଶ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ । ବର୍ତମାନର ସ୍ଥିତିରେ ଏସବୁ ନିବେଶରୁ ଦୂରେଇ ରହିଲେ ଭଲ ।
ଜରୁରିକାଳୀନ ପାଣ୍ଠି କରନ୍ତୁ
ଚାକିରି ଉପରେ ସଂକଟ ସୃଷ୍ଟି ହେଉଥିବାରୁ ଜରୁରିକାଳୀନ ପାଣ୍ଠି ତିଆରି କରନ୍ତୁ । ଅତି କମରେ ପରିବାରର ୬ ମାସର ଖର୍ଚ୍ଚ ପାଇଁ ଟଙ୍କା ରଖନ୍ତୁ । ଗ୍ରୋସରି, ମେଡିକାଲ ଖର୍ଚ୍ଚ, ପିଲାଙ୍କ ସ୍କୁଲ ଫି’, ବିଜୁଳି ଓ ପାଣି ବିଲ୍ ଭଳି ଅତ୍ୟାବଶ୍ୟକ ଖର୍ଚ୍ଚ ଯେପରି ସୁରୁଖୁରୁରେ ସମ୍ଭାଳି ପାରିବେ, ଦୃଷ୍ଟି ଦିଅନ୍ତୁ ।
ଅନାବଶ୍ୟକ ଖର୍ଚ୍ଚ କାଟନ୍ତୁ
() ସୌଖୀନ ସାମଗ୍ରୀ କିଣନ୍ତୁ ନାହିଁ
() ହୋଟେଲରେ ଖାଇବା କମାନ୍ତୁ
() ମାସକୁ ଥରେ ଫିଲ୍ମ ଦେଖିବାକୁ ଯାଆନ୍ତୁ
() କାରରେ ଯିବା ଆସିବା ଅପେକ୍ଷା ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରନ୍ତୁ
ସ୍ୱାସ୍ଥ୍ୟବୀମା ନିହାତି କରନ୍ତୁ
କୌଣସି ପରିସ୍ଥିତିରେ ସ୍ୱାସ୍ଥ୍ୟ ବୀମା ଖର୍ଚ୍ଚ କାଟିବା ପାଇଁ ଚିନ୍ତା କରନ୍ତୁ ନାହିଁ । ଯଦି କଂପାନୀ ଆପଣଙ୍କୁ ସ୍ୱାସ୍ଥ୍ର୍ୟବୀମା ଦେଉଛି, ତେବେ ମଧ୍ୟ ଅଲଗା ସ୍ୱାସ୍ଥ୍ର୍ୟବୀମା କରନ୍ତୁ । କାରଣ ଚାକିରି ଚାଲିଗଲେ, କଂପାନୀ ଦେଇଥିବା ବୀମା କାମରେ ଆସିବ ନାହିଁ ।
ଚାକିରି ବଦଳାନ୍ତୁ ନାହିଁ
ଚାକିରି ବଦଳାଇବା ପୂର୍ବରୁ ଅନେକ ଥର ଭାବନ୍ତୁ । କାରଣ ଏପରି ସ୍ଥିତିରେ ଯେକୌଣସି କଂପାନୀ ପ୍ରଭାବିତ ହେବା ଆଶଙ୍କା ରହିଛି । ବିଶେଷ କରି ଷ୍ଟାଟ୍ ଅପ୍ କଂପାନୀଗୁଡିକ ଉପରେ ମାନ୍ଦାବସ୍ଥାର ପ୍ରଭାବ ଅଧିକ ପଡିଥାଏ । ତେଣୁ ବିଭିନ୍ନ ଦିଗକୁ ଆଖି ଆଗରେ ରଖି ନିଷ୍ପତି ନିଅନ୍ତୁ ।