ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ ଖବର । ଜାଣନ୍ତୁ, ଟିକେଟ କାଟିନଥିଲେ କେମିତି କରିବେ ରେଳଯାତ୍ରା

515

କନକ ବ୍ୟୁରୋ: ଟ୍ରେନରେ ଯିବା ଆସିବା କରୁଥିବା ଯାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ଟିକେଟ୍ କାଟିନଥିଲେ ବି ଟ୍ରେନରେ ଯାତ୍ରା କରିପାରିବେ ସାଧାରଣ ଲୋକ । ଯଦି ଆପଣ ଟ୍ରେନରେ ଯିବା ପାଇଁ ସିଟ୍ ରିଜର୍ଭ କରିନାହାଁନ୍ତି । ଆଉ ଟିକେଟ୍ କାଟି ନାହାଁନ୍ତି । ତେବେ ବିଲକୁଲ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣ ଏବେ ବିନା କୌଣସି ଅସୁବିଧାରେ ଟ୍ରେନରେ ଯାତ୍ରା କରିପାରିବେ । ଏଥିପାଇଁ ଏବେ ନୂଆ ନିୟମ ଆଣିଛି ଇଣ୍ଡିଆନ ରେଲୱେ ।

ଆପଣଙ୍କ ପାଖରେ ରିଜର୍ଭେସନ ଟିକେଟ୍ ନଥିଲେ ବି କେବଳ ପ୍ଲାଟଫର୍ମ ଟିକେଟକୁ ନେଇ ଆପଣ ଟ୍ରେନ୍ ଯାତ୍ରା କରିପାରିବେ । ତେବେ ଟ୍ରେନ ଚଢିବା ପରେ ଆପଣଙ୍କୁ ତୁରନ୍ତ ଟିଟିଇଙ୍କ ସହିତ ସମ୍ପର୍କ କରିବାକୁ ପଡିବ । ଟିଟିଇଙ୍କ ସହ ସମ୍ପର୍କ କରିବା ପରେ ଆପଣ ତାଙ୍କୁ ନିଜର ଗନ୍ତବ୍ୟ ସ୍ଥଳ ବିଷୟରେ କହିବେ । ଏହାପରେ ଟିଟିଇ ଆପଣଙ୍କ ପାଇଁ ଟ୍ରେନ୍ ଟିକେଟ୍ କରିଦେବେ ।

ଅନେକ ସମୟରେ ଲୋକମାନେ ଟିକେଟ୍ କରିନପାରି, ଟ୍ରେନ ଯାତ୍ରାରେ ଅସୁବିଧା ଭୋଗିଥାନ୍ତି । ଏବେ କିନ୍ତୁ ଆଉ ସେପରି କିଛି ଅସୁବିଧା ଭୋଗିବାକୁ ପଡିବନି । ଆପଣ କେବଳ ପ୍ଲାଟଫର୍ମ ଟିକେଟ୍ ନେଇ ଟ୍ରେନରେ ଚଢିବା ପରେ , ଟିଟିଇଙ୍କ ସାହାଯ୍ୟରେ ଟିକେଟ୍ କରିପାରିବେ । ତା ସହିତ ଟ୍ରେନରେ ସିଟ୍ ଖାଲି ଥିଲେ, ଟିଟିଇ ଯାତ୍ରୀ ଜଣଙ୍କୁ ଗୋଟିଏ ସିଟ୍ ବି ଦେଇପାରିବେ । ଯଦି ବି ଟ୍ରେନରେ ସିଟ୍ ଖାଲିନଥିବ, ଏହାପରେ ମଧ୍ୟ ଆପଣ ସେହି ଟ୍ରେନରେ ଯାତ୍ରା କରିପାରିବେ । ଏହି ସୁବିଧା ପାଇଁ ଯାତ୍ରୀ ଜଣଙ୍କୁ କେବଳ ଟିକେଟ୍ ବାଦ୍ ୨୫୦ ଟଙ୍କା ପେନାଲଟି ଚାର୍ଜ ଦେବାକୁ ପଡିବ ।

କରୋନା ସମୟରେ ସଂକ୍ରମଣକୁ ଦେଖି ଦେଶରେ ଅନେକ ଟ୍ରେନ୍ ସେବା ବାତିଲ ହୋଇଯାଇଥିଲା । ଏବେ ଏହି ସେବା ସବୁ ପୁଣି ଆରମ୍ଭ ହୋଇଛି । ଯାତ୍ରୀମାନେ ପୂୂର୍ବଭଳି ପୁଣି ଟ୍ରେନରେ ଯିବା ଆସିବା ଆରମ୍ଭ କରିଥିବାବେଳେ, ସେମାନଙ୍କୁ ସେବା ଯୋଗାଉଛି ଇଣ୍ଡିଆନ୍ ରେଲୱେ । ଖାଲି ସେତିକି ନୁହେଁ, ଏବେ ପ୍ଲାଟଫର୍ମ ଟିକେଟ ଦାମ ବି କମାଇ ଦିଆଯାଇଛି । ମହାମାରୀ ସମୟରେ ଯେଉଁ ପ୍ଲାଟଫର୍ମ ଟିକେଟକୁ ୫୦ ଟଙ୍କାକୁ ବଢାଇ ଦିଆଯାଇଥିଲା । ଏବେ ତାକୁ ପୁଣି କମାଇ ଦିଆଯାଇଛି । ପୂର୍ବଭଳି ଏବେ ଯାତ୍ରୀମାନେ କେବଳ ୧୦ ଟଙ୍କା ଦେଇ ପ୍ଲାଟଫର୍ମ ଟିକେଟ୍ କିଣିପାରିବେ ବୋଲି ରେଳ ବିଭାଗ ଘୋଷଣା କରିଛି । ସେହିଭଳି ମହାମାରୀ ସମୟରେ ଟ୍ରେନରେ ରନ୍ଧା ଖାଦ୍ୟ ବନ୍ଦ ଥିବାବେଳେ ଏବେ ଏହାକୁ ପୁଣି ଆରମ୍ଭ କରାଯାଇଛି । ଯାତ୍ରୀମାନେ ଏଣିକି ଟ୍ରେନରେ ରନ୍ଧାଖାଦ୍ୟ ପାଇପାରିବେ ।