ଆପଣଙ୍କ ପୋଷା ଜନ୍ତୁଙ୍କ ପାଇଁ ଆସିଲା ବୀମା ସୁବିଧା । ରୋଗ କିମ୍ବା ଚୋରୀ ହେଲେ ବୀମା କମ୍ପାନୀ ଦେବ କ୍ଷତିପୂରଣ । ଜାଣନ୍ତୁ କେମିତି କରିବେ ବୀମା

130

କନକ ବ୍ୟୁରୋ : ଯଦି ଆପଣଙ୍କ ଘରେ କୌଣସି ପୋଷା ଜନ୍ତୁ ରଖିଛନ୍ତି ତାହେଲେ ଜାଣନ୍ତୁ ଯେ ଏହି ଜନ୍ତୁଟି ଆପଣଙ୍କର ପରିବାର ସଦସ୍ୟ ଭଳି । ଆପଣ ତାହାର ଏମିତି ଯତ୍ନ ନିଅନ୍ତି ଯେମିତି ଆପଣ ଆପଣଙ୍କ ପରିବାରର ଯତ୍ନ ନେଇଥା’ନ୍ତି । ଆପଣଙ୍କ ପରିବାର ଲୋକଙ୍କ ଭଳି ତା’ର ସ୍ୱାସ୍ଥ୍ୟର ଯତ୍ନ ଆପଣଙ୍କ ପାଇଁ ବି ଗୁରୁତ୍ୱପୂର୍ଣ୍ଣ । ବେଳେ ବେଳେ ସେ ରୋଗରେ ପଡିଲେ ତା ପାଇଁ ଆପଣଙ୍କୁ ବି ଅନେକ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ । ଏଭଳି ଖର୍ଚ୍ଚାନ୍ତରୁ ଆପଣଙ୍କୁ ରକ୍ଷା କରିବାକୁ ଏବେ ଭାରତୀୟ ବଜାରରେ ବୀମା କମ୍ପାନୀ ମାନେ ପୋଷା ଜନ୍ତୁଙ୍କ ପାଇଁ ବୀମା ଯୋଜନା ଆରମ୍ଭ କରିଛନ୍ତି । ଆସନ୍ତୁ ଜାଣିବା ଏହି ବୀମା କରିବା ଦ୍ୱାରା କ’ଣ ମିଳିବ ସୁବିଧା । କେମିତି କରିବେ ଆପଣଙ୍କ ପୋଷା ଜନ୍ତୁଙ୍କ ପାଇଁ ବୀମା ?
ଲୋକଙ୍କ ରୋଜଗାର ବଢିବା ପରେ ସେମାନେ ସେମାନଙ୍କ ପୋଷା ଜନ୍ତୁଙ୍କ ପାଇଁ ଖର୍ଚ୍ଚ ବଢାଇଥା’ନ୍ତି । ଏକ ସର୍ବେକ୍ଷଣ ମୁତାବକ ଭାରତରେ ପୋଷା ଜନ୍ତୁ ଭାବେ କୁକୁରଙ୍କ ସଂଖ୍ୟା ସର୍ବାଧିକ । ୨୦୧୯ ର ଏକ ସର୍ଭେ ମୁତାବକ ଦେଶରେ ୨୧୪ ଲକ୍ଷ କୁକୁର ଘରେ ପାଳନ କରାଯାଇଛି । ଏହା ସହ ଘରେ ପାଳନ କରାଯାଇଥିବା ବିଲେଇ ମାନଙ୍କ ସଂଖ୍ୟା ୧୮ ଲକ୍ଷ । ପ୍ରିଟେକଷ୍ଟ ଇଣ୍ଡିଆର ସର୍ଭେ ମୁତାବକ ଭାରତରେ ସବୁଠାରୁ ଦ୍ରୁତ ଗତିରେ ପେଟ୍ କେୟାର ମାର୍କେଟ ବଢିବାରେ ଲାଗିଛି । ୨୦୨୨ ସୁଦ୍ଧା ୩.୧୬୮ କୋଟି ଟଙ୍କାର ପେଟ୍ କେୟାର ମାର୍କେଟ ସୃଷ୍ଟି ହୋଇଯିବ ବୋଲି ଏହି ସର୍ଭେ ସଂସ୍ଥା ଅନୁମାନ କରାଯାଇଛି । ଅନ୍ୟପଟେ ଏହାକୁ ନେଇ ପଲିସି ବଜାର ସିଇଓ ତରୁଣ ମାଥୁର କହିଛନ୍ତି କି ପୋଷା ଜନ୍ତୁ ମାନଙ୍କ ପାଇଁ ସବୁବେଳେ ବୀମା ବ୍ୟବସ୍ଥା ଥିଲା । ହେଲେ ଏହା ଅଧିକ ଲୋକପ୍ରିୟ ହୋଇପାରି ନଥିଲା । କିନ୍ତୁ ଏବେ ଯେତେବେଳେ ଲୋକମାନେ ଗୋଟିଏ ଗୋଟିଏ କୁକୁର ପ୍ରତି ୭୦ ରୁ ୮୦ ହଜାର ଟଙ୍କା ଖର୍ଚ୍ଚ କରୁଥିବାରୁ ଏବେ ପୋଷା ଜନ୍ତୁଙ୍କ ପାଇଁ ବୀମା କରିବାକୁ ସେମାନେ ଆଗ୍ରହ ପ୍ରକାଶ କରୁଛନ୍ତି ।
ଭାରତରେ ବୀମା କମ୍ପାନୀ ମାନେ କୁକୁର, ବିଲେଇ, ପକ୍ଷୀ, ମେଣ୍ଢା, ହାତୀ ଆଦି ଜୀବ ଜନ୍ତୁଙ୍କ ପାଇଁ ବୀମା ସୁବିଧା ଆଣିଛନ୍ତି । ମାତ୍ର ଏମାନଙ୍କର ବୀମା କରିବା ପାଇଁ ଭିନ୍ନ ଭିନ୍ନ ବୀମା କମ୍ପାନୀ ମାନେ ଭିନ୍ନ ଭିନ୍ନ ପଲିସି ପ୍ରସ୍ତୁତ କରିଛନ୍ତି । ଅନ୍ୟ କିଛି ବୀମା କମ୍ପାନୀ ମାନେ କିଛି ଖାସ୍ ପୋଷା ଜନ୍ତୁଙ୍କ ପାଇଁ କେବଳ ବୀମା ଯୋଜନା ଆଣିଛନ୍ତି ।
ଅନ୍ୟ ବୀମା ଭଳି ଏହି ବୀମା କରାଇବା ବେଳେ ପୋଷା ଜନ୍ତୁର ବୟସକୁ ଅଗ୍ରାଧିକାର ଦିଆଯାଇଥାଏ । ଯେମିତି କି କୁକୁର ଓ ବିଲେଇ ମାନଙ୍କ ପାଇଁ ବୀମା କିଣୁଥିଲେ ସେମାନଙ୍କ ବୟସ ୮ ସପ୍ତାହରୁ ୮ ବର୍ଷ ମଧ୍ୟରେ ହୋଇଥିବା ଦରକାର । ସେହିଭଳି ଗାଈ ମାନଙ୍କ କ୍ଷେତ୍ରରେ ସେମାନଙ୍କର ବୟସ ୨ ବର୍ଷରୁ ୧୦ ବର୍ଷ ମଧ୍ୟରେ ଓ ଛେଳି,ମେଣ୍ଢା କ୍ଷେତ୍ରରେ ୧ ରୁ ୭ ବର୍ଷ ମଧ୍ୟରେ ହୋଇଥିବା ଦରକାର ।
ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ, ୟୁନାଇଟେଡ ଇନସ୍ୟୁରାନ୍ସ ଓ ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନୀ ବହୁ ଆଗରୁ ଗୃହପାଳିତ ପଶୁ ମାନଙ୍କ ପାଇଁ ବୀମା ବିକ୍ରି କରି ଆସୁଛନ୍ତି । ହେଲେ ଏବେ କିଛି ନୂଆ ବୀମା କମ୍ପାନୀ ଏହି ଦୌଡରେ ସାମିଲ ହୋଇଛନ୍ତି । ବେଟିନା ହେଲ୍ଥ କେୟାର ଡିଜିଟ୍ ଇନସ୍ୟୁରାନ୍ସ କମ୍ପାନୀ ସହିତ ମିଳିତ ଭାବେ ୨୦୦୮ ମସିହାରେ ପୋଷା ଜନ୍ତୁଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରିଥିଲା । ଏହାସହ ବଜାଜ୍ ଆଲିଏଞ୍ଜ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ୨୦୨୦ ମସିହାରେ କୁକୁର ମାନଙ୍କ ପାଇଁ ବୀମା ଯୋଜନାର ଶୁଭାରମ୍ଭ କରିଛି । ଏହି ବୀମା ଆପଣଙ୍କ ପୋଷା କୁକୁର ଯଦି ପଲିସି ଅବଧି ମଧ୍ୟରେ ମୃତ୍ୟୁବରଣ କରେ ତେବେ ତା’ର ମାଲିକକୁ ସମ୍ ଆର୍ସୋଡ ବା ବୀମାର ମୂଳମୂଲ୍ୟ କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥାଏ । ଅନ୍ୟପଟେ ଅନ୍ୟ କିଛି ବୀମା କମ୍ପାନୀ ଉଭୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖର୍ଚ୍ଚ ସହ ଜଦି ପୋଷା ଜନ୍ତୁଟି ମରିଯାଏ ତାହେଲେ ବି ମୂଳବୀମା ରାଶି ଫେରସ୍ତ କରିଥାଏ ।
ଏନେଇ ବଜାଜ୍ ଏଲିଅଞ୍ଜର ମୁଖ୍ୟ ଟେକ୍ନିକାଲ ଅଫିସର ଟି.ଏ ରାମଲିଙ୍ଗମ କହିଛନ୍ତି କି ଲୋକମାନେ ପୋଷା କୁକୁର ପାଇଁ ସବୁଠାରୁ ଅଧିକ ବୀମା ପଲିସି କିଣୁଛନ୍ତି । ଯାହାକି ଭାରତୀୟ ବଜାରରେ ବିକ୍ରି ହେଉଥିବା ପୋଷା ଜନ୍ତୁଙ୍କ ବୀମାର ୮୫ ପ୍ରତିଶତ । କମ୍ପୀନୀ ତରଫରୁ ସର୍ଜରୀ ଓ ମେଡିକାଲରେ ଚିକିତ୍ସା ଉପରେ ମୁଖ୍ୟତ କଭର ଦେଉଛି ।