୨୬ ମେ’ରୁ ୧୧ ଜୁନ୍ : ସଂକ୍ରମଣ ବଢିଛି ୨ ଗୁଣ, ସୁସ୍ଥ ହୋଇଛନ୍ତି ୩ ଗୁଣ । ସୁବ୍ରତଙ୍କ ପରାମର୍ଶ, ରଜରେ ଘରକୁ ଆନନ୍ଦ ଆଣନ୍ତୁ କରୋନା ନୁହେଁ ।

406

କନକ ବ୍ୟୁରୋ : ପୂରା ଦେଶରେ କାୟା ମେଲାଉଛି କରୋନା । ସଂକ୍ରମିତ ଦେଶ ତାଲିକାରେ ୫ ସ୍ଥାନରେ ପହଞ୍ଚିଲାଣି ଭାରତ । ଖାସକରି ଗତ ୭ ଦିନ ହେବ ଦେଶରେ ଦୈନିକ ହାରାହାରି ୧୦ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରିକି ଏଥିରେ ଭାରତ ଋଷ ଓ ବିଟ୍ରେନକୁ ମଧ୍ୟ ଟପିଗଲାଣି । ତେଣୁ ଆଗକୁ ଆହୁରି ସାବଧାନତା ଓ ସତର୍କତାର ସହ ଆଗକୁ ବଢିବାକୁ ହେବ । କାରଣ ବିଶ୍ୱର ଅଧିକ ସଂକ୍ରମିତ ସହରର ପ୍ରତି ବର୍ଗ କିଲୋମିଟର ଜନସଂଖ୍ୟା ତୁଳନାରେ ଭାରତର କିଛି ସହର ଏପରିକି ଓଡ଼ିଶାର କିଛି ସହରର ପ୍ରତି ବର୍ଗ କିଲୋମିଟର ପିଛା ଜନସଂଖ୍ୟା ଅଧିକ । ତେଣୁ ଜନବହୁଳତା ଆଗକୁ ସ୍ଥିତି ସାଂଘାତିକ କରିବ । ଏନେଇ ପ୍ରେସମିଟରେ ସତର୍କ କରିଛନ୍ତି ସୁବ୍ରତ ।

ଦେଶରେ ଯେଉଁଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । ଆଉ ଏଭଳି ସ୍ଥିତିରେ ସାମାଜିକ ଦୂରତାକୁ ଫୁ କରି ଉଡାଇ ଦେଉଛନ୍ତି ଲୋକେ । ଆଗକୁ ରଜ ଥିବାରୁ ବଜାରରେ ଲୋକଙ୍କର ପ୍ରବଳ ମାତ୍ରାରେ ଭିଡ ଦେଖିବାକୁ ମିଳୁଛି । ଆଉ ଏଭଳି ଭିଡ କରୋନା ପାଇଁ ରାଜଜୋଟକ ବୋଲି କହିଛନ୍ତି ସୁବ୍ରତ ।

ଗତ ୨୬ ମେ’ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ୨୬ ମେ’ରୁ ୧୧ ଜୁନ୍ ମଧ୍ୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ଗୁଣ ହୋଇଛି । ତେବେ ଏହି ସମୟ ଅବଧିରେ ରାଜ୍ୟରେ ୩ ଗୁଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ଏକ ଆଶ୍ୱସ୍ତିକର ବିଷୟ । ଆଉ ଏସବୁ ଭିତରେ ରଜ କିଭଳି ପାଳନ କରିବେ ସେନେଇ ଲୋକଙ୍କୁ କିଛି ପରାମର୍ଶ ଦେଇଛନ୍ତି ସୁବ୍ରତ । ଜୀବନକୁ ବାଜି ଲଗାଇ ରଜ ନ ପାଳିବାକୁ କହିଛନ୍ତି ସୁବ୍ରତ । ରଜରେ ଘରକୁ ଆନନ୍ଦ ଆଣନ୍ତୁ କରୋନା ନୁହେଁ ଏଭଳି ମନ୍ତ୍ର ସାଧାରଣ ଲୋକଙ୍କୁ ଦେଇଛନ୍ତି ସୁବ୍ରତ ।