କୋଭିଡ ହସ୍ପିଟାଲରେ କେମିତି ନିଆଯାଉଛି ଆକ୍ରାନ୍ତଙ୍କ ଯତ୍ନ ? ଆସିଲା ଚମତ୍କାର ଚିତ୍ର, ପିପିଇ କିଟ ପିନ୍ଧି ରୋଗୀଙ୍କୁ ସେଭିଂ କରିବାଠୁ ଆରମ୍ଭ କରି ତେଲ ଲଗାଇବା ଓ ବେଣୀ ପକାଇବା କାମ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ

215

କନକ ବ୍ୟୁରୋ : ଏଭଳି ଏକ ଦୃଶ୍ୟ, ଯାହା ଆପଣ ଆଗରୁ କେବେ ଦେଖିନଥିବେ । ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଅବହେଳାର ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି । ଏପରିକି ଥରେ କରୋନା ହସ୍ପିଟାଲରେ ଭର୍ତିହେଲେ, ଆତ୍ମୀୟଙ୍କ ପାଖରେ ଆଉ କୌଣସି ଖବର ପହଂଚୁନଥିବା ମଧ୍ୟ କୁହାଯାଉଛି । ହେଲେ ଏଭଳି ହୃଦୟସ୍ପର୍ଶୀ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଚକିତ କରିଦେବ ।

ଏଭଳି ଦୃଶ୍ୟ ବ୍ରହ୍ମପୁର ଏମକେସିଜି କୋଭିଡ ହସ୍ପିଟାଲରୁ ଆସିଛି । ରୋଗୀଙ୍କ ମନୋବଳ ବଢାଇବାକୁ ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ କୋଭିଡ ହସ୍ପିଟାଲରେ ନାଚ,ଗୀତ କରୁଥିବେବେଳେ ଏହି ଦୃଶ୍ୟ ରୋଗୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଭିତରେ ନିବିଡତାକୁ ହିଁ ଦର୍ଶାଉଛି । ଏଠାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ବିଶେଷ ଯତ୍ନ ନେଉଛନ୍ତି ସ୍ୱାସ୍ଥ୍ୟକର୍ମୀ । ପୁରୁଷ ଆକ୍ରାନ୍ତଙ୍କ ସେଭିଂ କରିବାଠୁ ଆରମ୍ଭ କରି ମହିଳା ଆକ୍ରାନ୍ତଙ୍କ ଚୁଟିରେ ତେଲ ଲଗାଇଦେବା କିମ୍ବା ବେଣୀ ପକାଇବା ଭଳି ଏହି ଦୃଶ୍ୟସବୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ସାଧାରଣରେ ସମ୍ମାନ ଓ ଶ୍ରଦ୍ଧାକୁ ବଢାଇ ଦେଇଛି ।

ଏଠାରେ ଖାଲି ରୋଗୀଙ୍କ ଚିକିତ୍ସା କରାଯାଉ ନାହିଁ, ବରଂ ସେମାନଙ୍କ ବ୍ୟକ୍ତିଗତ ଯତ୍ନ ମଧ୍ୟ ନେଉଛନ୍ତି ନିୟୋଜିତ ସ୍ୱାସ୍ଥ୍ୟ କର୍ମଚାରୀ । ଏଭଳି ସେବା ଫଳରେ କରୋନା ଆକ୍ରାନ୍ତଙ୍କ ମନରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି ହେଉଛି । ଏବଂ ସେମାନେ ଶୀଘ୍ର ଭଲ ହେବାର ସମ୍ଭାବନା ମଧ୍ୟ ବଢିଯାଉଛି ।