କୋର୍ଟ ବନ୍ଦ, ଜାମିନ ନ ମିଳିବାରୁ କାରାଗାରରେ କଲବଲ ହେଉଛନ୍ତି କଏଦୀ । ଜେଲ ଭିତରେ କିଭଳି ଦୟନୀୟ ଜୀବନ ବିତାଉଛନ୍ତି କଏଦୀ, ସିସିଟିଭି ଫୁଟେଜରୁ ଆସିଲା ସାଂଘାତିକ ଚିତ୍ର

42

କନକ ବ୍ୟୁରୋ : ଓକିଲଙ୍କ ଦୁଇମାସର ଆନ୍ଦୋଳନରେ ଛଟପଟ ହେଉଛନ୍ତି କଏଦୀ । କାରାଗାରରେ ରହିବାକୁ ଜାଗା ନାହିଁ । ଯେତିକି ରହିବା କଥା, ତାଠାରୁ ତିନି ଗୁଣ ହେଲେଣି । ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଜାମିନ୍ ହୋଇପାରୁନି, ଯାହା ଫଳରେ ଜେଲ ହିଁ ପାଲଟିଛି ବିଚାରଧିନ ଶହ ଶହ କଏଦୀଙ୍କ ଠିକଣା । ଆଉ ଏସବୁ ଭିତରେ ସାମ୍ନାକୁ ଆସିଛି ଏମିତି ଏକ ଚିତ୍ର ଯାହା ସ୍ପଷ୍ଟ ଦର୍ଶାଉଛି ଯେ, ଜେଲରେ କେମିତି ଦିନ କାଟୁଛନ୍ତି ବିଚାରଧୀନ କଏଦୀ ।

ଓକିଲଙ୍କ ଆନ୍ଦୋଳନ ଜେଲ ଗୁଡିକରେ ଯେଉଁ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହା ନ ଜଣେ ଦେଖିଲେ ବିଶ୍ୱାସ କରିପାରିବ ନାହିଁ । ଜେଲ ଭିତରେ କଏଦୀମାନେ ଏଭଳି ଅବସ୍ଥାରେ ତଳେ ଶୋଇ ରହିଛନ୍ତି ଯେ, ଏଠାରେ ସୋରିଷଟିଏ ପଡିବାକୁ ମଧ୍ୟ ଜାଗା ଟିକିଏ ନାହିଁ । ଯାଜପୁର ଟାଉନ୍ ଜେଲରୁ କଏଦ ହୋଇଥିବା ଚିତ୍ର ଉଣା ଅଧିକ ସାରା ରାଜ୍ୟର ସ୍ଥିତି ବୟାନ୍ କରୁଛି ।-
ଏହାଛଡା ରଗଡିରେ ଥିବା ଯାଜପୁର ରୋଡ୍ ଉପ-କାରାଗାରର ସିସିଟିଭି ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଯେଉଁଠାରେ ଛୋଟ ଛୋଟ କୋଠରୀ ଭିତରେ ପଡ଼ି ରହିଛନ୍ତି ଶହ ଶହ କଏଦୀ । ତଳେ ଚଦର ବିଛାଇ ଶୋଇ ରହିଥିବା କଏଦୀମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ବି ନାହିଁ । କାରଣ, ଜେଲରେ ସ୍ଥାନ ସୀମିତ, ଏବଂ ଜେଲରୁ ବାହାରିବାର ବାଟ୍ ବନ୍ଦ । ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଜାମିନରେ ଯିବା ବି ସମ୍ଭବ ହେଉନି । ଏଭଳି ସ୍ଥିତିରେ କୌଣସି ଚାରା ନପାଇ ଏମିତି ପଡ଼ି ରହିଛନ୍ତି କଏଦୀ ମାନେ ।

ଯାଜପୁର ରୋଡ୍୍ ଜେଲର କ୍ଷମତା ହେଉଛି ୧୭୬ । ଅର୍ଥାତ୍ ସର୍ବାଧିକ ୧୬୭ ଜଣ ଏଠି ରହିବା କଥା । ହେଲେ ଏବେ ଅଛନ୍ତି ୫୨୦ ଜଣ କଏଦୀ । ଏଥିରୁ ୪୯୫ଜଣ ବିଚାରଧିନ କଏଦୀ । ଅବଶିଷ୍ଟ ୨୫ ଜଣ ସଜା କାଟୁଥିବା କଏଦୀ । ଆଉ ଏମାନଙ୍କ ଭିତରେ ୧୦ରୁ ୧୫ଜଣ ହତ୍ୟା ଭଳି ସଂଗୀନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବଡ କଥା ହେଉଛି- ବିଚାରଧିନ ୪୯୫ ଜଣ କଏଦୀଙ୍କ ମଧ୍ୟରେ ୩୦ ଜଣ ମଦ ଜବତ ଭଳି ଛୋଟିଆ ଅବକାରୀ ମାମଲାରେ ଜେଲରେ ଅଛନ୍ତି । ସେହିପରି ଗଣ୍ଡଗୋଳ, ଝଗଡ଼ା ଭଳି ଛୋଟ ମୋଟ ମାମଲାରେ ଜେଲରେ ଅଛନ୍ତି ୧୮ ଜଣ । ଏମିତିକି ୨ଜଣ ଛୋଟ ପିଲା ମା’ଙ୍କସହ ଜେଲରେ କଏଦ ହୋଇଛନ୍ତି ।

ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଜାମିନ୍ ହୋଇପାରୁନି, ଯାହା ଫଳରେ ଜେଲ ହିଁ ପାଲଟିଛି ବିଚାରଧିନ ଶହ ଶହ କଏଦୀଙ୍କ ଠିକଣା । ଏଭଳି ସ୍ଥିତିରେ ଜେଲ ଭିତରେ କଏଦୀ ବିନା ଦଣ୍ଡବିଧାନରେ ସଜା କାଟୁଛନ୍ତି ଏବଂ ବାହାରେ ପରିବାର ଲୋକ ଛଟପଟ ହେଉଛନ୍ତି । ହାତ ହାଣ୍ଡିରୁ ଗୋଟିଏ ଭାତ ଭଳି, ଯାଜପୁର ରୋଡ୍ ଜେଲର ସ୍ଥିତି ସାରା ଓଡ଼ିଶାର ବିଭିନ୍ନ ଜେଲର ସ୍ଥିତି ବୟାନ କରୁଛି ।