ରାଜ୍ୟରେ ପର୍ଯ୍ୟଟନର ପ୍ରଚାର ଓ ପ୍ରସାର ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର? ବିଧାନସଭାରେ ପୂରା ତଥ୍ୟ ଦେଲେ ପର୍ଯ୍ୟଟନ ମନ୍ତ୍ରୀ…

70

କନକ ବ୍ୟୁରୋ: ରାଜ୍ୟରେ ପର୍ଯ୍ୟଟନ ସମ୍ଭାରର ପ୍ରଚାର ପ୍ରସାର ପାଇଁ ୨୦୨୧-୨୨ ବର୍ଷରେ ୧୧୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ଯାହାକି ଗତ ଆର୍ଥିକ ବର୍ଷଠାରୁ ପ୍ରାୟ ୨୨ କୋଟି ଟଙ୍କା ଅଧିକ । ଆଜି ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ।

ରାଜ୍ୟରେ ପର୍ଯ୍ୟଟନ ସମ୍ଭାରର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି? ୨୦୧୪ ପରଠାରୁ ଏହାର ପରିମାଣ କେତେ ସେନେଇ ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ । ଏଥିସହତ ବିଭିନ୍ନ ଟିଭି ଚ୍ୟାନେଲରେ ପ୍ରାୟୋଜିତ କାର୍ଯ୍ୟକ୍ରମ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେନେଇ ତଥ୍ୟ ଦେବାକୁ କଂଗ୍ରେସ ବିଧାୟକ ବିଧାନସଭାରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ।

ମନ୍ତ୍ରୀ ଦେଇଥିବା ଉତ୍ତର ମୁତାବକ, ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପର୍ଯ୍ୟଟନ ପ୍ରଚାର ପ୍ରସାର ବାବଦକୁ କେବଳ ୨୪ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଯାହାକି ବୃଦ୍ଧି ପାଇ ଏବେ ୧୧୭ କୋଟିରେ ପହଞ୍ଚିଛି ।

ସେହିପରି ପ୍ରାୟୋଜିତ କାର୍ଯ୍ୟକ୍ରମ ବାବଦରେ ୨୦୨୦-୨୧ ଆର୍ଥିକ ବର୍ଷରେ ଦୂରଦର୍ଶନ ଓଡିଆରେ ଆମ ଘର ଆମ ହାଣ୍ଡିଶାଳ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ଜୀ ୱିଓନ, ଜୀ ବିଜନେସ୍ ଚାନେଲକୁ ଡିସକଭରିଂ ଓଡିଶା ପାଇଁ ୫୩ ଲକ୍ଷ ଟଙ୍କା, ଜୁମ୍ ଷ୍ଟୁଡିଓ ଚ୍ୟାନେଲକୁ ରି-ୟୁନିଅନ୍ ପାଇଁ ୪୧୩ ଲକ୍ଷ ଟଙ୍କା, ନ୍ୟୁଜ୍ ୭କୁ ଏକ୍ସପ୍ଲୋର ଓଡିଶା ପାଇଁ ୭.୧୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ତା ସହିତ ଜୀ ସାର୍ଥକ ଚାନେଲକୁ ମଧ୍ୟ ଆମ ଘର ଆମ ହାଣ୍ଡିଶାଳ ୩୧.୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀ ଉତ୍ତର ରଖିଛନ୍ତି ।