କେଉଁ କୋଭିଡ ହସ୍ପିଟାଲକୁ  କେତେ ଟଙ୍କା ଦେଇଛନ୍ତି ସରକାର? ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ? 

213

କନକ ବ୍ୟୁରୋ : ଏବେ ଓମିକ୍ରନ ଭୟ ପୂରା ବିଶ୍ୱକୁ ଘାରିଛି । ଆଉ ଏଥିପାଇଁ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଖାସକରି ଓମିକ୍ରନର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡିବା ସହ ଅତ୍ୟାଧୁନିକ ବ୍ୟବସ୍ଥା ରଖିବା ଉପରେ ଜୋର ଦିଆଯାଇଛି । କାରଣ କରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ ଯେଉଁଭଳି ଲୋକଙ୍କର ଜୀବନ ଗଲା ତାହାର ପୁନରାବୃତ୍ତି ଯେପରି ପୁଣିଥରେ ଦେଖା ନଦିଏ ସେଥିପାଇଁ ହସ୍ପିଟାଲର ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ତେବେ କରୋନା କାଳରେ କୋଭିଡ ଚିକିତ୍ସା ବାବଦରେ କୋଭିଡ ଚିକିତ୍ସାଳୟକୁ କେତେ ଟଙ୍କା ସରକାର ପ୍ରଦାନ କରିଛନ୍ତି ତାହାର ହିସାବ ମାଗିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ଏପରିକି ଏହି କୋଭିଡ ହସ୍ପିଟାଲରେ କେତେ ସଂଖ୍ୟକ ରୋଗୀ ଚିକିତ୍ସିତ ହୋଇଛନ୍ତି ତାହାର ହିସାବ ମାଗିଛନ୍ତି କୁସୁମ ।

ଆଉ କୁସୁମ ଟେଟେଙ୍କ ଏହି ପ୍ରଶ୍ନର ଉତ୍ତର ଦେବା ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ୩୦ଟି ଜିଲ୍ଲାରେ ବିଭିନ୍ନ କୋଭିଡ ଚିକିତ୍ସାଳୟ ବାବଦକୁ କେତେ ଟଙ୍କା ଦିଆଯାଇଛି ତାହାର ଉତ୍ତର ରଖିଛନ୍ତି । ୩୦ଟି ଜିଲ୍ଲାରେ ଥିବା ବିଭିନ୍ନ ହସ୍ପିଟାଲ ଓ ଅସ୍ଥ୍ାୟୀ ମେଡିକାଲ କ୍ୟାମ୍ପରେ ରୋଗୀଙ୍କ ଚିକିତ୍ସା ବାବଦକୁ ଅକ୍ଟୋବର ସୁଦ୍ଧା ମୋଟ ୮୪୩ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ କୋଭିଡ ମେଡିକାଲ ଚିକିତ୍ସା ଅର୍ଥ ବାବଦକୁ ସର୍ବାଧିକ ଟଙ୍କା ବ୍ୟୟ କରିଛନ୍ତି ସରକାର । ଖାସକରି ଭୁବନେଶ୍ୱରରେ ଥିବା ବିଭିନ୍ନ ହସ୍ପିଟାଲକୁ କୋଭିଡ କେୟାର ହସ୍ପିଟାଲରେ ପରିଣତ କରି ଏଠାରେ ରୋଗୀ ଚିକିତ୍ସା ଯୋଗାଇଦେବାକୁ ପାଖାପାଖି ୩୩୯ କୋଟି ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି । ସମ୍ ହସ୍ପିଟାଲକୁ କୋଭିଡ ଭିତ୍ତିଭୂମି ଓ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସର୍ବାଧିକ ୧୧୩ କୋଟି ଟଙ୍କା ଦେଇଛନ୍ତି ସରକାର । ଏହି କୋଭିଡ ହସ୍ପିଟାଲରେ ୩୯୦୧୦୩ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସା କରାଯାଇଛି ।