କନକ ବ୍ୟୁରୋ: ବଦଳୁଛି ପୁରୀର ଭୁଗୋଳ, ବଦଳୁଛି ବଡଦାଣ୍ଡର ଇତିହାସ । ଗତ ସପ୍ତାହେ ହେବ ଶ୍ରୀକ୍ଷେତ୍ରରେ ଭଙ୍ଗା ଚାଲିଛି ଦୀର୍ଘ ଦିନର ମଠ ମନ୍ଦିର । ଦଶନ୍ଧି ଦଶନ୍ଧି ଧରି ମନ୍ଦିର ଚାରିପାଖେ ରହିଥିବା ମଠ ଓ ଦୋକାନରେ ଚାଲୁଛି ବୁଲଡୋଜର । ଆଉ ଏତିକି ବେଳେ ବଡଦାଣ୍ଡରେ ଦିଶୁଛି ଦୁଇଟି ଚିତ୍ର, ବ୍ୟସ୍ତତା ଓ ବ୍ୟାକୁଳତାର ଚିତ୍ର । ଆଖି ଆଗରେ ଆବିର୍ଭାବ ହେଉଛି ଅତୀତର ବଡଦାଣ୍ଡ ଆଉ ବର୍ତ୍ତମାନର ବଡଦାଣ୍ଡର ଦୃଶ୍ୟ ।
Kanak News is now on WhatsApp
Join and get latest news updates delivered to you via WhatsApp
ଦୁଇ ଦିନ ତଳେ ଶ୍ରୀମନ୍ଦିର ସାମ୍ନାରେ ଯେଉଁ ମଠ ଛିଡା ହୋଇଥିଲା ଆଜି ସେ ମଠ ମାଟିରେ ମିଶିଛି । ମଠର ସିମେଣ୍ଟ କାନ୍ଥରେ ଯେଉଁ ପୁରୁଣା ଦିନର ସ୍ମୃତି, ପୁରୁଣା ଦିନର କଥା ସବୁ ଟଙ୍ଗା ଯାଇଥିଲା ତାହା ବି ବୁଲଡୋଜର ମାଡରେ ବିକ୍ଷିପ୍ତ ହୋଇ ପଡିଛି । ଲଙ୍ଗୁଳି ମଠ ଭାଙ୍ଗିଛି, ଏମଆର ମଠ ଭାଙ୍ଗିଛି ଆଉ ମାଟିରେ ମିଶିଛି ମେଘନାଦ ଚାରିପାଖେ ଗଢି ଉଠିଥିବା ଛୋଟଛୋଟ ଦୋକାନ ବଜାର ।
ତେବେ ବଡଦାଣ୍ଡରେ ଦୀର୍ଘ ଦିନ ହେବ ମଠ ମନ୍ଦିର, ଦୋକାନ ବଜାର ଆଖିକୁ ସୁହାଇ ଯାଇଥିବା ବେଳେ ଏବେ ବଡଦାଣ୍ଡର ଭଗ୍ନଦୃଶ୍ୟ ଆଖିକୁ ଶ୍ମଶାନ ଭଳି ଦିଶୁଛି । ଯେଉଁଠି ଯାହା ଥିଲା, ସେଇଠି ସବୁ ଚିହ୍ନ ବର୍ଣ୍ଣ ଲିଭି ଯିବା ପରେ ଏବେ ବଡଦାଣ୍ଡ ଖାଁ ଖାଁ ଲାଗୁଛି… ଶ୍ରୀମନ୍ଦିର ସାମ୍ନାରେ ଶୂନ ଶାନ ରାଜୁତି କରୁଛି ।
ବୁଲଡୋଜର କାହା ଦୋକାନ ଉପରେ ବୁଲିଛି ତ କାହା ଜୀବନ ଜୀବିକା ଉପରେ ଚଢିଛି । ବର୍ଷ ବର୍ଷ ଧରି ବଡଦାଣ୍ଡରେ ବ୍ୟବସାୟ କରି ପରିବାର ପୋଷୁଥିବା ଅନେକ ବ୍ୟବସାୟୀଙ୍କ ବେଉସା ବୁଡାଇଛି । ଦୋକାନରୁ ରୋଜଗାର କରି କିଏ ଘର ଚଳାଏ ତ କିଏ ପୁଅକୁ ପାଠ ପଢାଏ ତ ପୁଣି କିଏ ତା ରୋଗୀଣା ମାଆର ଔଷଧ ଖର୍ଚ୍ଚ ବହନ କରେ । ହେଲେ ଦୋକାନ ଭାଙ୍ଗିବା ପରେ ଏବେ ସମସ୍ତେ ବେସାହାରା, ସବୁଠି ହଇରାଣର ହାହାକାର, ଥଇଥାନ କରିବାକୁ ସରକାରକୁ ନିବେଦନ, ଜଗାକୁ ଗୁହାରୀ