ଶତ୍ରୁ ରାଷ୍ଟ୍ରରେ ସାହସ ଦେଖାଇବାକୁ ପଛାଇନଥିଲେ ସାହସୀ ସୈନିକ ‘ଅଭିନନ୍ଦନ’ । ପାକିସ୍ତାନରେ ଦେଇଥିଲେ ହିନ୍ଦୁସ୍ତାନ ଜିନ୍ଦାବାଦର ନାରା, ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ପାଣିରେ ଭସାଇ ଦେଇଥିଲେ କାଗଜପତ୍ର

1,645

କନକ ବ୍ୟୁରୋ : ଯୁଦ୍ଧ ବିମାନରୁ ଖସିପଡି ଶତ୍ରୁ ରାଷ୍ଟ୍ରରେ ବି ସାହସ ଦେଖାଇଥିଲେ ଭାରତୀୟ ପାଇଲଟ୍ ଅଭିନନ୍ଦନ ବର୍ତ୍ତମାନ । ସ୍ଥାନୀୟ ଯୁବକଙ୍କ ଉତେଜନା ସତ୍ୱେ କାହାରିକୁ ଆକ୍ରମଣ କରିନଥିଲେ ବରଂ ନିଜକୁ ରକ୍ଷା କରିବା ପାଇଁ ଉଦ୍ୟମ କରିଥିଲେ । ଶତ୍ରୁ ହାତରେ ଯେଭଳି କୌଣସି ସୁରାକ ନଲାଗେ, ସେଥିପାଇଁ ପାଖରେ ଥିବା ପ୍ରମାଣକୁ ପାଣିରେ ଭିଜାଇ ନଷ୍ଟ କରିଦେଇଥିଲେ । ଦେଶମାତୃକାର ସୁରକ୍ଷା ପ୍ରତି ସମର୍ପିତ ଏହି ସାହସୀ ଯବାନଙ୍କ ପାକିସ୍ତାନ କାହାଣୀ ପ୍ରକାଶ କରିଛି ପ୍ରମୁଖ ଖବର କାଗଜ ଡନ୍ ନ୍ୟୁଜ୍ ।

ସୀମାରେ ପାକିସ୍ତାନୀ ଅନୁପ୍ରବେଶକୁ ପଣ୍ଡ କରିଥିଲା ବାୟୁସେନା । ଆଉ ପାକିସ୍ତାନୀ ଯୁଦ୍ଧ ବିମାନକୁ ଗୋଡାଇ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ଦୁର୍ଭାଗ୍ୟରୁ ଅଭିନନ୍ଦନ ଥିବା ମିଗ-୨୧ ବିମାନଟି ପାକିସ୍ତାନ ମାଟିରେ ଖସିପଡିଲା । ଆଉ ପାରାଚ୍ୟୁଟରେ ତଳକୁ ଖସିଥିଲେ ଅଭିନନ୍ଦନ । ପାକିସ୍ତାନ ମାଟିରେ କେମିତି ଥିଲା ଭାରତୀୟ ବୀର ଯବାନଙ୍କ ଦୁଃସାହସ ତାକୁ ପ୍ରକାଶ କରିଛି ପାକିସ୍ତାନର ଏକ ପ୍ରମୁଖ ଗଣମାଧ୍ୟମ ଡନ୍ ନ୍ୟୁଜ ।

ପ୍ରକାଶିତ ତଥ୍ୟ ଅନୁସାରେ ପାରାଚ୍ୟୁଟରେ ତଳକୁ ଖସିବା ପରେ ଦକ୍ଷିଣ ପିଓକେର ହୋରା ଗାଁର ଏକ ମରୁଭୂମି ଭଳି ଅଂଚଳରେ ପହଂଚିଥିଲେ ଭାରତୀୟ ପାଇଲଟ୍ । ତାଙ୍କୁ ଦେଖି ଘେରିଯାଇଥିଲେ କିଛି ଯୁବକଙ୍କ ସହ ସ୍ଥାନୀୟ ଅଧିବାସୀ । ସେମାନଙ୍କୁ ଦେଖି ପାଖରେ ରଖିଥିବା ପିସ୍ତଲ ବାହାର କରି ଏହା କେଉଁ ଯାଗା? ବୋଲି ପ୍ରଶ୍ନ କରିଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ହେଲେ ଚାଲାକି କରି ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଅଧିବାସୀ ତାହା ଭାରତ ବୋଲି କହିଥିଲେ । ପରୀକ୍ଷା କରିବାକୁ ହିନ୍ଦୁସ୍ତାନ ଜିନ୍ଦାବାଦ୍ ଭଳି ସ୍ଲୋଗାନ୍ ଦେଇଥିଲେ ଅଭିନନ୍ଦନ । ଏବଂ ପୁଣି ବନ୍ଧୁକ ଦେଖାଇ ପ୍ରଶ୍ନ କରିଥିଲେ ଏହା ଭାରତର କେଉଁ ଜାଗା? ଏହାପରେ ସ୍ଥାନୀୟ ଲୋକେ ତାହା ପାକିସ୍ତାନ ବୋଲି ସ୍ପଷ୍ଟ କରିଥିଲେ । ପାକିସ୍ତାନ ବୋଲି ଜାଣିବା ପରେ ସେହି ସ୍ଥାନୀୟ ଲୋକଙ୍କୁ ଅଭିନନ୍ଦନ କହିଥିଲେ ମୋ ପିଠିରେ ଆଘାତ ଲାଗିଛି । ମୋତେ ଟିକେ ପାଣି ମିଳିବ?

ଡନ ନ୍ୟୁଜ ଲେଖିଛି ଯେ, ପାକିସ୍ତାନ ମାଟିରେ ଅଭିନନ୍ଦନ ହିନ୍ଦୁସ୍ତାନ ଜିନ୍ଦାବାଦ ସ୍ଲୋଗାନ୍ ଦେବା ପରେ ଏହାକୁ ହଜମ କରିପାରିନଥିଲେ ସ୍ଥାନୀୟ ବାସିନ୍ଦା । ତାଙ୍କୁ ଆକ୍ରମଣ କରିବାକୁ ପଥର ଉଠାଇବାରୁ ନିଜ ସର୍ଭିସ ରିଭଲଭରରୁ କେବଳ ଫାଙ୍କା ଗୁଳିଚାଳନା କରିଥିଲେ ଅଭିନନ୍ଦନ । ପରିସ୍ଥିତି ଉତେଜନାପୂର୍ଣ୍ଣ ହେବାରୁ ସ୍ଥାନୀୟ ଲୋକଙ୍କ ଆଡକୁ ବନ୍ଧୁକ ଦେଖାଇ ପଛୁଆ ପଛୁଆ ପ୍ରାୟ ଅଧ କିଲୋମିଟର ଯାଏଁ ଯାଇଥିଲେ ଅଭିନନ୍ଦନ । ଶତ୍ରୁ ରାଷ୍ଟ୍ରର ମାଟିରେ ଭୟଭୀତ ନହୋଇ ନିଜକୁ ରକ୍ଷା କରିବାକୁ ଉଦ୍ୟମ କରିବା ସହ ସ୍ଥାନୀୟ ଲୋକଙ୍କୁ କେବଳ ଭୟଭୀତ କରିଥିଲେ । ସାଧାରଣ ନାଗରିକଙ୍କୁ କୌଣସି କ୍ଷତି ନପହଂଚାଇବା ଉଦ୍ଦେଶ୍ୟରେ କେବଳ ବାରମ୍ବାର ଫାଙ୍କା ଗୁଳି ଚାଳନା କରିଥିଲେ । ଆଉ ଏହାପରେ ପାଖରେ ଥିବା ଏକ ଛୋଟିଆ ପୋଖରୀକୁ ଡେଇଁ ପଡିଥିଲେ ଭାରତୀୟ ପାଇଲଟ୍ । ପାଖରେ ଥିବା ନକ୍ସା ଓ ସମସ୍ତ ଦସ୍ତାବିଜକୁ ପାଣିରେ ଓଦା କରି ନଷ୍ଟ କରିଦେଇଥିଲେ ।

ଦେଶମାତୃକାର ପ୍ରତି ସମର୍ପିତ ଜଣେ ଭାରତୀୟ ଯୋଦ୍ଧା, ପାଖରେ ଥିବା ପ୍ରମାଣ ନଷ୍ଟ କରିଦେବାର ଉଦ୍ଦେଶ୍ୟ ଥିଲା କେବଳ ଦେଶର ସୁରକ୍ଷା । କୌଣସି ପ୍ରମାଣ ଯେମିତି ଶତ୍ରୁଙ୍କ ହାତରେ ନଲାଗୁ ସେଥିପାଇଁ ଅତି ସାହସର ସହିତ ନେଇଥିଲେ ପଦକ୍ଷେପ ।  ତେବେ ଅଭିନନ୍ଦନଙ୍କୁ ଘେରି ରହିଥିବା ସ୍ଥାନୀୟ ଯୁବକମାନେ ତାଙ୍କୁ ବନ୍ଧୁକ ତଳେ ପକାଇଦେବାକୁ ବାରମ୍ବାର କହିଥିଲେ । ଏହାରି ଭିତରେ ଜଣେ ଯୁବକ ତାଙ୍କ ଗୋଡକୁ ଲକ୍ଷ କରି ପଥର ମାଡକଲେ ଓ ସମସ୍ତେ ମିଶିଲ ତାଙ୍କୁ କାବୁ କରିନେଲେ । ଡନ୍ ନ୍ୟୁଜର ସୂଚନା ଅନୁସାରେ ଉତେଜିତ ଯୁବକମାନ ତାଙ୍କୁ ଧରି ପକାଇବା ପରେ ପ୍ରବଳ ମାଡ ମାରି ଲହୁଲୁହାଣ କରିପକାଇଥିଲେ । ଏହାରି ଭିତରେ ପହଂଚି ଯାଇଥିଲେ ପାକିସ୍ତାନ ସେନା ଯବାନ । ଭିଡ ଭିତରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ସେନା ଶିବିରକୁ ନେଇ ଆସିଥିଲେ ।

ସବୁଠାରୁ ବଡକଥା ହେଉଛି ପାକିସ୍ତାନ ମାଟିରେ ଥାଇ ସ୍ଥାନୀୟ ଲୋକଙ୍କ ଉତେଜନା ସତ୍ୱେ ଡରିଯାଇ ନଥିଲେ ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ । କାହାରିକୁ ଆକ୍ରମଣ ନକରି କେବଳ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ଯାହା ଜଣେ ସଚ୍ଚା ସୈନିକର ଲକ୍ଷଣ ।