କନକ ବ୍ୟୁରୋ: ଉତରପ୍ରଦେଶର ମୋଷ୍ଟ ୱାଟେଡ ଗ୍ୟାଙ୍ଗଷ୍ଟର ଅତିକ-ଅସରଫ ହତ୍ୟା ମାମଲାକୁ ନେଇ ଯେତିକି ଚର୍ଚ୍ଚା ତାଠୁ ଅଧିକ ଖବରରେ ରହିଛନ୍ତି ଏହି ୩ ଅପରାଧୀ । (ଅରୁଣ ମୌର୍ଯ୍ୟ, ଲଭଲେଶ ତିୱାରୀ ଓ ସନ୍ନି (ଷ୍ଟାମ୍ପ) । ମିଡିଆକର୍ମୀ ବେଶରେ ଆସିଥିଲେ ଓ ଗ୍ୟାଙ୍ଗଷ୍ଟରଙ୍କ ଶରୀରରେ ଗୁଳିବର୍ଷା କରିଥିଲେ । ଏମାନଙ୍କ ଏହି ହରକତ କହୁଛି ହୁଏତ ଏମାନେ ପେଶାଦାର ସୁଟର ହୋଇଥିବେ । ପୂର୍ବରୁ ହୁଏତ ଏଭଳି ଅନେକ ହତ୍ୟା ଏକାଠି କରିଥିବେ । ଆଉ ଜଣେ ଜଣେ ସକ୍ରିୟ ହତ୍ୟାକାରୀ ହୋଇଥିବେ । କିନ୍ତୁ ପୁଲିସର ଜେରା ସମୟରେ ଏମିତି କିଛି ଚାଂଚଲ୍ୟକର ତଥ୍ୟର ଖୁଲ୍ଲାସା ହୋଇଛି ଯାହା ହତ୍ୟାମାମଲାରେ ନୂଆ ମୋଡ ଆଣିପାରେ ।

Advertisment

ବର୍ତମାନ ସୁଦ୍ଧା ଯେଉଁ ସୁରାକ ମିଳିଛି ସେଥିରୁ ଅନୁମାନ କରାଯାଉଛି ଅରୁଣ, ଲଭଲେଶ, ସନ୍ନି ଡନ ହେବା ପାଇଁ ଗ୍ୟାଙ୍ଗଷ୍ଟର ଅତିକ-ଅସରଫକୁ ହତ୍ୟା କରିଥିଲେ । ଅନ୍ୟପଟେ ସାମ୍ନାକୁ ଆସୁଥିବା ନୂଆ ନୂଆ ତଥ୍ୟ ମାମଲାରେ ମୋଡକୁ ବଦଳାଇବା ସମ୍ଭାବନା ରହିଛି ।

ପୁଲିସର ଜେରା ସମୟରେ ଜଣାପଡିଛି ଅରୁଣ, ଲଭଲେଶ ଓ ସନ୍ନି ହେଉଛନ୍ତି ଭିନ୍ନ ଭିନ୍ନ ସହରର ବାସିନ୍ଦା । ଛୋଟମୋଟ ଅପରାଧରେ ସମ୍ପୃକ୍ତ । ୨୦୨୧ ମସିହାରେ ୟୁପି ବନ୍ଦା ଜିଲ୍ଲା ଜେଲରେ ଲଭଲେଶ ଓ ସନ୍ନୀ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ । ଦୁଇଜଣ ଭିନ୍ନ ଭିନ୍ନ ମାମଲାରେ ଏଠାରେ ସଜ୍ଜା କାଟୁଥିଲେ । ଲଭଲେଶ ଜାମିନ ପାଇବା ପରେ ପ୍ରୟାଗରାଜକୁ ଆସି ତୃତୀୟ ଅପରାଧୀ ଅରୁଣ ମୌର୍ଯ୍ୟ ସହ ଦେଖାସାକ୍ଷାତ କରିଥିଲା । ତେବେ ଏକଥା ସ୍ପଷ୍ଟ ହୋଇପାରିନି ୩ଜଣଙ୍କ ଭେଟଘାଟ ଯୋଜନାବନଦ୍ଧ ଥିଲା ଅଚାନକ ହୋଇଥିଲା ।

ପୁଲିସ ସହେନ୍ଦ କରୁଛି, ପ୍ରୟାଗରାଜର କୌଣସି ସ୍ଥାନୀୟ ବ୍ୟକ୍ତି ବା ଗ୍ୟାଙ୍ଗଷ୍ଟରଙ୍କ ଶତ୍ରୁ ଏହି ମର୍ଡର ପ୍ଲାନ କରିଥାଇପାରେ ଓ ଏହି ୩ଜଣଙ୍କ ସହ ହାତ ମିଶାଇ ଗ୍ୟାଙ୍ଗଷ୍ଟରଙ୍କ ଯୋଜନା ବଦ୍ଧ ହତ୍ୟା କରିଥାଇପାରେ ।

ଅନ୍ୟପଟେ ବଡ ପ୍ରଶ୍ନ ସୃଷ୍ଟି କରିଛି ସେହି ତୁର୍କୀ ବନ୍ଧୁକ । ଯେଉଁଥିରେ ଅତିକ-ଅସରଫକୁ ହତ୍ୟା କରାଯାଇଛି । ପ୍ରଶ୍ନ ଉଠୁଛି-
• ଦୁଇଟି ୯-ଏମ୍ଏମ୍ ତୁର୍କୀ ବନ୍ଧୁକ ଅପରାଧୀଙ୍କ ପାଖକୁ କେମିତି ଆସିଲା?
• ଗୋଟିଏ ଏହି ବନ୍ଧୁକର ଦାମ ୬ଲକ୍ଷ ଟଙ୍କା
• ଦେଶରେ ଏହି ବନ୍ଧୁକ ବ୍ୟବହାର କଟକଣା ରହିଛି
• କେମିତି ଅପରାଧୀ ଏହାକୁ ନିଜ ପାଖରେ ରଖିଥିଲେ ?
• ଏହି ୩ ଅପରାଧୀ କୌଣସି ହାଇପ୍ରୋଫାଇଲ ଅପରାଧୀ ନୁହଁନ୍ତି ତେଣୁ କିପରି ଏମାନଙ୍କ ପାଖକୁ ବିଦେଶୀ ବନ୍ଧୁକ ଆସିଲା?
• ଅତିକ-ଅସରଫର କୌଣସି ଶତ୍ରୁ ଏମାନଙ୍କୁ ବନ୍ଧୁକ ଯୋଗାଇ ମର୍ଡର ପ୍ଲାନ କରିଥିଲା କି?
• ରାଜସ୍ଥାନର ମୋଷ୍ଟ ୱାଟେଂଟ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋୟୀ ଗ୍ୟାଙ୍ଗ ି ତୁର୍କୀ ବନ୍ଧୁକ ବ୍ୟବହାର କରିବା ନଜୀର ରହିଛି ।
• ଏଭଳି ବନ୍ଧୁକ କିଣିବା ପାଇଁ ଯଥେଷ୍ଟ ଦବଦବା, ଅର୍ଥ ଓ ଲମ୍ବା ହାତ ରହିବା ଆବଶ୍ୟକ ।
• ଅପରାଧୀ କିଭଳି ଏହି ତୁର୍କୀ ବନ୍ଧକୁ ପାଇଥିଲେ ପୁଲିସ ଏହି ଦିଗରେ ଛାନଭିନ କରୁଛି

ଏଥିସହ ପ୍ରଶ୍ନ ଉଠୁଛି ଉତରପ୍ରଦେଶ ପୁଲିସ ଆଖିରେ ଧୁଳି ଦେଇ ଅପରାଧୀ ଏହାକୁ ବ୍ୟବହାର କରୁଥିଲେ ନା ଏଥିରେ କୌଣସି ପୁଲିସ ଅଧିକାରୀ, ରାଜନେତା କିମ୍ବା ଅନ୍ୟକୌଣସି ଗ୍ୟାଙ୍ଗର ହାତ ରହିଛି କି ।ସେପଟେ ୩ଜଣ ଅପରାଧୀଙ୍କୁ ନୈନିରୁ ପ୍ରତାପଗଡ଼ ଜେଲକୁ ସ୍ଥାନାନ୍ତର କରାଯାଇଛି । କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ନେବାକୁ ଚାହୁଁଛି ଉତରପ୍ରଦେଶ ପୁଲିସ ।