କେମିତି ହେବ ଯୁକ୍ତ ଦୁଇ ମୂଲ୍ୟାୟନ? ମାଟ୍ରିକ ରେଜଲ୍ଟ ଆଧାରରେ କେମିତି ଫଳ ପାଇବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ? ପଢନ୍ତୁ, ପୂରା ରିପୋର୍ଟ..

244

କନକ ବ୍ୟୁରୋ: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ବାହାରିବ ଯୁକ୍ତ ୨ ରେଜଲ୍ଟ । କେବଳ ମାଟ୍ରିକ୍ ପରୀକ୍ଷା ଫଳ ଆଧାରରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ହେବ ବୋଲି କହିଛି ସିଏଚଏସଇ । ବିଶେଷଜ୍ଞ କମିଟିର ମାନସ ମନ୍ଥନ ପରେ ମୂଲ୍ୟାୟନର ପଦ୍ଧତି ସ୍ଥିର କରାଯାଇଛି । ରେଗୁଲାର ଛାତ୍ରଛାତ୍ରୀଙ୍କ ଥିଓରୀ ପେପରରେ ମାଟ୍ରିକରେ ରଖିଥିବା ମାର୍କ ଆଧାରରେ ନମ୍ବର ଦିଆଯିବ । ଏଥିପାଇଁ ପ୍ରତ୍ୟେକ ବିଷୟରେ ମ୍ୟାପିଂ କରାଯିବ ।

ତେବେ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବ ପରୀକ୍ଷା ଫଳ ହେବ ଆଧାର । ସେହିପରି ପ୍ରାକ୍ଟିକାଲ ପରୀକ୍ଷାର ମୂଲ୍ୟାୟନ ସଂପୃକ୍ତ ଶିକ୍ଷାନୁଷ୍ଠାନ କରିବେ । ପ୍ରାକ୍ଟିକାଲ ପରୀକ୍ଷାରେ ଦିଆଯାଇଥିବା ମାର୍କକୁ ଯାଂଚ କରାଯିବ । ତେବେ ମୂଲ୍ୟାଙ୍କନ ନେଇ ଥିବା ଦ୍ୱନ୍ଦ୍ୱ ଏବେ ବି ଦୂର ହୋଇନି ।

ସିବିଏସଇ ଦ୍ୱାଦଶ ମୂଲ୍ୟାୟନ ନେଇ ଚୂଡ଼ାନ୍ତ ପଦ୍ଧତି ନିର୍ଦ୍ଧାରଣର ଗୋଟିଏ ଦିନ ପରେ +୨ ମୂଲ୍ୟାୟନ ନେଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ ପଦ୍ଧତି ନିର୍ଦ୍ଧାରଣ କରିଛି । ତେବେ ସିବିଏସଇ ଭଳି ଦଶମ, ଏକାଦଶ, ଦ୍ୱାଦଶ ଶ୍ରେଣୀର ୟୁନିଟ୍ ପରୀକ୍ଷା ଆଧାରରେ ନୁହେଁ, କେବଳ ମାଟ୍ରିକ ପରୀକ୍ଷା ଫଳକୁ ଆଧାର କରି +୨ ରେଜଲ୍ଟ ବାହାର କରିବ ସିଏଚଏସଇ ।ଯେହେତୁ ଅଧିକାଂଶ କଲେଜରେ ଯୁକ୍ତ ୨ର ପ୍ରଥମ ବର୍ଷ କିମ୍ବା ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି, ତେଣୁ ମାଟ୍ରିକ ପରୀକ୍ଷା ଫଳ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ବାହାର କରିପାରିନାହିଁ ସିଏଚଏସଇ । ତେବେ ନଜର ପକାନ୍ତୁ କେମିତି ଦିଆଯିବ +୨ ଛାତ୍ରଛାତ୍ରୀଙ୍କୁ ମାର୍କ?

  • ମାଟ୍ରିକ ପରୀକ୍ଷାରେ ରଖିଥିବା ମାର୍କ ହେବ ଆଧାର 
  • ମାଟ୍ରିକ ମାର୍କ ଅନୁସାରେ ରେଗୁଲାର ପରୀକ୍ଷାର୍ଥୀଙ୍କ ଥିଓରୀ ପେପରରେ ଦିଆଯିବ ମାର୍କ
  • ମୂଲ୍ୟାୟନ ପାଇଁ କରାଯିବ ପ୍ରତି ବିଷୟର ମ୍ୟାପିଂ
  • ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ପାଇଁ ଅଲଗା ଆଧାର
  • ପୂର୍ବ ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପାଇଁ ମାର୍କ ଦେବ ସଂପୃକ୍ତ ଶିକ୍ଷାନୁଷ୍ଠାନ
  • ପ୍ରାକ୍ଟିକାଲ୍ ମାର୍କକୁ ଯାଂଚ କରାଯିବ
  • ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିଲେ ପୁଣିଥରେ ପରୀକ୍ଷା ଦେଇପାରବେ ଛାତ୍ରଛାତ୍ରୀ 

ଯୁକ୍ତ ୨ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ପ୍ରାୟ ୩୨୬ଟି ବିଷୟ ମଧ୍ୟରୁ ବିଷୟ ବାଛିଥାନ୍ତି ଛାତ୍ରଛାତ୍ରୀ । ହେଲେ ଦଶମ ଶ୍ରେଣୀରେ ମାତ୍ର ୬ଟି ବିଷୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତି । ତେଣୁ ପ୍ରତି ବିଷୟ ପାଇଁ ମ୍ୟାପିଂ କରିବା ସିଏଚ୍ଏସଇ ପାଇଁ ସବୁଠୁ ବଡ଼ ଚ୍ୟାଲେଂଜ ।

ସବଜେକ୍ଟ ମ୍ୟାପିଂ ନେଇ ପୂରା ପଦ୍ଧତି ପ୍ରକାଶ କରିବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏପଟେ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ମଧ୍ୟ ବେଶ ଆହ୍ୱାନ ସୃଷ୍ଟି କରିବ । କାରଣ ପୂର୍ବ ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ମୂଲ୍ୟାୟନ କରି ଛାତ୍ରଛାତ୍ରୀଙ୍କ ସଠିକ୍ ମୂଳ୍ୟାଙ୍କନ କରିବା ସହଜ ସାଧ୍ୟ ନୁହେଁ । ଏହାର କାରଣ ହେଉଛି ଫେଲ ହୋଇଥିବା ଛାତ୍ରଛାତ୍ରୀ ଏକ୍ସ ରେଗୁଲାର ପରୀକ୍ଷା ଦେଇଥାନ୍ତି । ସେହି ପରୀକ୍ଷାରେ ରଖିଥିବା ମାର୍କକୁ ଆଧାର କରି ପରୀକ୍ଷାର୍ଥୀଙ୍କୁ ନ୍ୟାୟ ଦେବା ଏତେ ସହଜ ହେବନାହିଁ । ଏନେଇ ସିଏଚଏସଇ କିପରି ପଦ୍ଧତି ନିର୍ଦ୍ଧାରଣ କରିବ ତା’ ଉପରେ ରହିଛି ସମସ୍ତଙ୍କ ନଜର ।

ଅବଶ୍ୟ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ କରୋନା ସ୍ଥିତିରେ ସୁଧାର ଆସିଲେ ପୁଣିଥରେ ପରୀକ୍ଷା ଦେଇପାରିବେ । ମୂଲ୍ୟାୟନର ପୂରା ପଦ୍ଧତି ଖୁବଶୀଘ୍ର ସିଏଚଏସଇ ୱେବସାଇଟରେ ଅପଲୋଡ କରାଯିବ ଏବଂ ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହରେ ଫରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କହିଛି ସିଏଚଏସଇ ।