କେମିତି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ମିଳୁଛି ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର? ଏହା ପଛର ନାୟକ କିଏ? କନକ ନ୍ୟୁଜର ଷ୍ଟିଙ୍ଗ ଅପରେସନରେ ପଦାକୁ ଆସିଲା ସତ

66

କନକ ବ୍ୟୁରୋ : ଗୋଟିଏ ପଟେ ଅନୁପ୍ରବେଶକାରୀ ସମସ୍ୟାକୁ ନେଇ ଦେଶରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଆଧାର କାର୍ଡ ଭୋଟର କାର୍ଡ, ରାସନ କାର୍ଡ ଆଦି ପରିଚୟ ପତ୍ର କିଭଳି ସହଜରେ ଓଡିଶାରେ ପ୍ରସ୍ତୁତ ହୋଇପାରୁଛି କନକ ନ୍ୟୁଜର ଷ୍ଟିଂଗ ଅପରେସନରେ ତାହା ଜଣାପଡିଛି । ସ୍ଥାନୀୟ ନେତାକୁ ଧରି ସହଜରେ ତିଆରି କରାଯାଉଛି ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର । ଅନେକ ଅଂଚଳରେ ରାଜନେତାମାନେ ଅନୁପ୍ରବେଶକାରୀଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି । ଅଭିଯୋଗ ହେଉଛି ବାଂଲାଦେଶରୁ କୋଲକାତା ଦେଇ ଓଡିଶା ଆସୁଛନ୍ତି ବାଂଲାଦେଶୀ, ଆଉ ଏଠାରେ କିଛି ଦିନ ରହିବା ପରେ ସେମାନେ ରାଜନେତାଙ୍କ ଅସ୍ତ୍ର ପାଲଟିଯାଉଛନ୍ତି ।

ବଲାଙ୍ଗୀରରେ କିଛି ବଙ୍ଗାଳି ଫେରିବାଲାଙ୍କ ସହ ଆମ ରିପୋର୍ଟର କଥା ହୋଇଥିଲେ । ଆଉ ସଂପୃକ୍ତ ଫେରିବାଲା ଯାହା କହିଥିଲେ ସେଥିରୁ ସ୍ପଷ୍ଟ ହୋଇଥିଲା ଯେ, ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅନୁପ୍ରବେଶକାରୀଙ୍କୁ ଭୋଟର କାର୍ଡ, ରାସନ କାର୍ଡ ସହ ଘର ତିଆରି ପାଇଁ ଜାଗା ବି ଦିଆଯାଉଛି । ୧୦-୧୫ ବର୍ଷ ରହିବା ପରେ ସ୍ଥାନୀୟ ନେତାଙ୍କ ସହୟତାରେ ଆଧାର କାର୍ଡ, ରାସନ କାର୍ଡ କରାଯାଉଛି । ଘର ତିଆରି କରି ରହିଯିବାକୁ ମଧ୍ୟ ନେତାମାନେ କହୁଥବା ଜଣେ ବଙ୍ଗୀୟ ଫେରିବାଲା କହିଛନ୍ତି । ଏପରିକି ଭୋଟବ୍ୟାଙ୍କ ଛଡା ପଇସା ଦେଲେ ମଧ୍ୟ ସବୁ କାମ ବାଏଁ ବାଏଁ ହୋଇଯାଉଛି । କୋଲକାତାରେ ସବୁ ଦୁଇ ନମ୍ବରୀ ଧନ୍ଧା ଚାଲିଛି । ତେଣୁ ବେଶ ସହଜରେ ବାଂଲାଦେଶୀ ମାନେ କୋଲକାତା ଦେଇ ଓଡିଶାକୁ ଆସିଯାଉଛନ୍ତି ।

ଅନୁପ୍ରବେଶକାରୀଙ୍କୁ ନେଇ ଆସାମ ଭଳି ଓଡ଼ିଶାର ସ୍ଥିତି ଜଟିଳ ହେଉଥିବା ଅଭିଯୋଗ ହେଉଛି । ଏହାର କାରଣ ହେଉଛି ବିସ୍ତୀର୍ଣ୍ଣ ଉପକୂଳ । ବିରାଟ ଉପକୂଳରେ କିନ୍ତୁ ସୁରକ୍ଷା ବ୍ୟବସ୍ଥା ଢିଲା । ନାଁକୁ ମାତ୍ର ଚାଲିଛି ସାମୁଦ୍ରିକ ଥାନା । ତେବେ ସାମୁଦ୍ରିକ ଥାନାରେ ନା ଅଛନ୍ତି ଆବଶ୍ୟକ କର୍ମଚାରୀ ନା ଅଛି ଅତ୍ୟାଧୁନିକ ବୋଟ କିମ୍ବା ଅନ୍ୟାନ୍ୟ ଉପକରଣ । ତେଣୁ ପାଟ୍ରୋଲିଂ ମଧ୍ୟ ହେଉନଥିବା ଜଣାପଡିଛି ।

ଓଡ଼ିଶା ପାଲଟିଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରବେଶ ପଥ । କାରଣ ୪୮୦ କିଲୋମିଟରର ଉପକୂଳ, ତାହା ପୁଣି ମୁକୁଳା । ନାଁକୁ ମାତ୍ର ତଟସୁରକ୍ଷା ବାହିନୀର ପଇଁତରା, ସାମୁଦ୍ରିକ ଥାନାର ନଜର । ବାଲେଶ୍ୱର ଜିଲ୍ଲାର ବଳରାମଗଡ଼ି, କଷାଫଳ, ତାଳସାରିରେ ଅଛି ୩ଟି ସାମୁଦ୍ରିକ ଥାନା । ପ୍ରତି ଥାନାରେ ଜଣେ ଇନିସପେକ୍ଟର, ୬ ଜଣ ସବ-ଇନିସପେକ୍ଟର ସମେତ ୬୭ ଜଣ କର୍ମଚାରୀ ରହିବା କଥା ହେଲେ ଗୋଟିଏ ଥାନାରେ ଅଛନ୍ତି ୫ରୁ ୮ ଜଣ କର୍ମଚାରୀ । ନା କର୍ମଚାରୀ ଅଛନ୍ତି ନା ଅଛି ଅତ୍ୟାଧୁନିକ ବ୍ୟବସ୍ଥା । ବଳରାମଗଡ଼ିରେ ରହୁଥିବା ଅଧିକାଂଶ ଲୋକ ବାଲାଂଦେଶୀ । ଏପରିକି କିଛି ଲୋକଙ୍କ ନାଁରେ ପଂଜିକୃତ ହୋଇଛି ମାଛ ମାରିବା ଟ୍ରଲର । ହେଲେ ଅନୁପ୍ରବେଶକାରୀଙ୍କ ନାଁରେ ଗୋଟିଏ ବି ମାମଲା ରୁଜୁ ହୋଇନାହିଁ ।

ସେହିପରି ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ, ଏରସମା ଓ ବାଲିକୁଦା ଅଞ୍ଚଳର ସମୁଦ୍ର କୂଳରେ ରହିଛି ସାମୁଦ୍ରିକ ଥାନା । ବାଲିକୁଦା ବ୍ଲକ ଅନ୍ତର୍ଗତ ନହରଣା ପଞ୍ଚାୟତର ବନ୍ଦର ଠାରେ ୨୦୧୫ ମସିହାରେ ପ୍ରତିଷ୍ଠା କରାଯାଇଛି ସାମୁଦ୍ରିକ ଥାନା । ଏହି ବାଟ ଦେଇ ବର୍ଷ ବର୍ଷ ଧରି ବାଂଲାଦେଶୀ ଅନୁପ୍ରବେଶକାରୀମାନେ ସମୁଦ୍ର ବାଟ ଦେଇ ଅନାୟସରେ ଯିବା ଆସିବା କରୁଥିବା ଅଭିଯୋଗ ହୋଇଥାଏ । ବାଲିକୁଦା ଅଞ୍ଚଳରେ ଅନେକ ବାଂଲାଦେଶୀ ଦୀର୍ଘର୍ ବର୍ଷ ଧରି ରହିବା ପରେ ଭୋଟ ପରିଚୟ ପତ୍ର, ରାସନ କାର୍ଡ , ଆଧାର କାର୍ଡ ଓ ଜମି ପଟା ଆଦି କରିଥିବା ଜଣାପଡିଛି ।

ଗଞ୍ଜାମର ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ଠାରେ ଏକ ସାମୁଦ୍ରିକ ଥାନା ଥିବା ବେଳେ ସୋନପୁରରେ ରହିଛି ଆଉ ଏକ ସାମୁଦ୍ରିକ ଥାନା । କିନ୍ତୁ ଏହି ୨ଟି ଥାନା ମୁକୁଳା ହୋଇ ପଡ଼ିଛି । ଅନେକ ସମୟରେ ସମୁଦ୍ରରେ ମାଛ ଧରିବା ପାଇଁ ବହୁ ବାଙ୍ଗଳାଦେଶୀ ଆସିଥାନ୍ତି । ଏ ନେଇ ଅନେକ ସମୟରେ ସ୍ଥାନୀୟ ମତ୍ସ୍ୟଜୀବୀ ସାମୁଦ୍ରିକ ଥାନାକୁ ଖବର ଦେବା ପରେ ସମସ୍ତଙ୍କୁ ଗିରଫ କରାଯାଇଥାଏ । କିନ୍ତୁ ଏହି ୨ଟି ଥାନାରେ ଅବଶ୍ୟକୀୟ କର୍ମଚାରୀ ନାହାନ୍ତି, ସେମାନଙ୍କ ପାଖରେ ବୋଟ ବି ନାହିଁ । ତେଣୁ ପାଟ୍ରୋଲିଂ ବ୍ୟବସ୍ଥା ନାହିଁ ।

ଅଧିକ ସମ୍ବେଦନଶୀଳ ପୁରୀ ଜିଲ୍ଲାରେ ରହିଛି ୪ଟି ମେରାଇନ୍ ଥାନା । ତେବେ ପୁରୀରେ ଅନେକ ଅନୁପ୍ରବେଶକାରୀ ରହିଥିବା ଆଶଙ୍କା କରାଯାଉଛି । ଅରଖକୁଦା, ପେଣ୍ଠକଟା, ଚନ୍ଦ୍ରଭାଗା ଓ ଅସ୍ତରଙ୍ଗ ମେରାଇନ ଥାନାକୁ ଆଲର୍ଟ କରାଯାଇଛି । ତେବେ ଥାନାଗୁଡିକ ଅତି ଅସହାୟ ଅବସ୍ଥାରେ ଅଛନ୍ତି । ନା ଅଛି ଆବଶ୍ୟକ ବୋଟ ନା ଅଛନ୍ତି କର୍ମଚାରୀ । ପେଣ୍ଠକଟା ଓ ଚନ୍ଦ୍ରଭାଗା ଥାନାରେ ବୋଟ ନଥିବାରୁ ପାଟ୍ରୋଲିଂ ହେଉନାହିଁ । ଅନୁପ୍ରବେଶ କ୍ଷେତ୍ରରେ ସବୁଠୁ ଅଧିକ ସମ୍ବେଦନଶୀଳ ହେଉଛି ରାଜନଗର ଓ ମହାକାଳପଡ଼ା । ହେଲେ ଏଠି ସବୁକିଛି ମୁକୁଳା । ସୁରକ୍ଷାବାହିନୀର ଆଦୌ ନଜର ନାହିଁ ଏହି ଅଂଚଳ ପ୍ରତି । ଏହା ସାଙ୍ଗକୁ ଭୋଟ ରାଜନୀତି । ଅନୁପ୍ରବେଶକାରୀ ନିକଟରେ ଏବେ ଆଧାରକାର୍ଡଠାରୁ ଆରମ୍ଭ କରି ରାସନ କାର୍ଡ ପର୍ଯ୍ୟନ୍ତ ରହିଥିବା ଜଣାପଡୁଛି । ଏସବୁକୁ ହିସାବ କଲେ ଗୋଟିଏ କଥା ସତ ଯେ ଆସାମ ଭଳି ଉକ୍ରଟ ହେବାକୁ ଯାଉଛି ଓଡ଼ିଶାରେ ଅନୁପ୍ରବେଶକାରୀ ପ୍ରସଙ୍ଗ ।