କନକ ବ୍ୟୁରୋ :  ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ଆୟୋଜିତ ବୈଠକରେ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ବେଙ୍ଗାଲୁରୁରେ ବସିଥିବା ବୈଠକରେ ବିରୋଧୀ ଦଳର ନୂଆ ନାଁ ‘ଇଣ୍ଡିଆ’ ରଖାଯାଇଛି । ଅର୍ଥାତ୍ ୨୦୨୪ ସାଧାରଣ ନିର୍ବାଚନରେ ଏନଡିଏକୁ ଟକ୍କର ଦେବ ‘ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଂଟାଲ ଇନକ୍ଲ୍ୟୁସିଭ୍ ଆଲାଏନ୍ସ’ ବା ଇଣ୍ଡିଆ । ୨୬ଟି ବିରୋଧୀ ଦଳ ଏହି ଗଠବନ୍ଧନରେ ସାମିଲ ହୋଇ ଏନଡିଏ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି । ତେବେ ବିରୋଧୀଙ୍କ ଏହି ମେଣ୍ଟର ନାଁ ଇଣ୍ଡିଆ ପଛରେ କାହାର ଭୂମିକା ରହିଥିଲା ତାହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଏହି ଇଣ୍ଡିଆ ନାଁ ରଖିବା ପଛରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାହୁଲ ଗାନ୍ଧୀଙ୍କର ପ୍ରମୁଖ ଭୂମିକା ରହିଛି ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ରଖିବା ପାଇଁ ମମତା ବାନାର୍ଜୀ ପ୍ରଥମେ ପରାମର୍ଶ ଦେଇଥିଲେ । ଯାହାକୁ ରାହୁଲ ଗାନ୍ଧୀ ସମର୍ଥନ କରିଥିଲେ । ତେବେ ଇଣ୍ଡିଆର ପୂରା ନାଁ କଣ ରହିବ ତାହାକୁ ନେଇ ବିଚାରବିମର୍ଷ ଚାଲିଥିଲା । ମେଣ୍ଟର ନାଁ ସ୍ଥିର ହେବା ପରେ କଂଗ୍ରେସ ମୁଖପାତ୍ର କହିଥିଲେ, ସାମୂହିକ ପ୍ରୟାସ ପରେ ଏହି ନାଁରେ ମୋହର ବାଜିଛି ।

ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ରଖିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଇଂରାଜୀ ନାଁକୁ ନେଇ ନୀତିଶ ଆପତ୍ତି ଉଠାଇଥିବା ସୂଚନା ମିଳିଛି । କେବଳ ଏତିକି ନୁହେଁ କଂଗ୍ରେସ ପକ୍ଷରୁ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା ହୋଇନଥିବା ବେଳେ ଯାହାକୁ ନେଇ ନୀତିଶ ଅସନ୍ତୁଷ୍ଟ ହୋଇଥିବା ଖବର ସାମ୍ନାକୁ ଆସୁଛି । ବିରୋଧୀ ଦଳକୁ ଏକଜୁଟ୍ କରିବାରେ ନୀତିଶ କୁମାରଙ୍କର ପ୍ରମୁଖ ଭୂମିକା ରହିଥିଲା । କିନ୍ତୁ କଂଗ୍ରେସ ଯେଉଁଭଳି ଏହି ବିରୋଧୀ ବୈଠକକୁ ହାଇଜାକ କରିଛି ତାହାକୁ ନେଇ ଜେଡିୟୁ ଓ ଆରଜେଡି ନେତା ଖପ୍ପା ହୋଇଛନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

କେବଳ ଏତିକି ନୁହେଁ ନୀତିଶ କୁମାର, ଲାଲୁ ଯାଦବ, ତେଜସ୍ୱୀ ଯାଦବ ମଧ୍ୟ ବୈଠକ ପରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇନଥିଲେ । ବିଜେପିର ଦାବି ମୁତାବକ, ନୀତିଶ କୁମାର ଏହି ବୈଠକରୁ ନାରାଜ ହୋଇ ବିହାର ଫେରିଥିଲେ । କିନ୍ତୁ ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ଯେ, ନୀତିଶ, ଲାଲୁ ଓ ତେଜସ୍ୱୀଙ୍କର ବିମାନ ସମୟ ଥିବାରୁ ସେମାନେ ଶୀଘ୍ର ଫେରିଥିଲେ ।