ସାହାସୀ ପୁଅର ଜୁଇ ଜଳିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଅଚ୍ୟୁତାନନ୍ଦଙ୍କ ଶେଷକୃତ୍ୟ

ନୀଲଭାୟା ଅଭିମୁଖେ ବାହାରିବା ପୂର୍ବରୁ ଅଚ୍ୟୁତଙ୍କୁ ଫୋନ କରି ହାଲଚାଲ ବୁଝିଥିଲେ ପତ୍ନୀ ହିମାଂଚଳୀ । କିଛି ଘଂଟା ପରେ ଏପରି ଖବର ତାଙ୍କ ପାଦ ତଳୁ ମାଟି ଖସାଇ ଦେଇଥିଲା । ମାତ୍ର ଦେଢ଼ ବର୍ଷର ଦାମ୍ପତ୍ୟ ଜୀବନରେ ଏପରି ପୂର୍ଣ୍ଣଛେଦ ପଡିଯିବ, ବିଶ୍ୱାସ କରି ପାରୁନଥିଲେ ସେ ।

182

କନକ ବ୍ୟୁରୋ : ନକ୍ସଲ ଗୁଳିରେ ପ୍ରାଣ ହରାଇଥିବା ସହିଦ ଅଚ୍ୟୁତାନନ୍ଦଙ୍କ ଅନ୍ତିମ ସଂସ୍କାର ଆଜି ବଲାଙ୍ଗିର ଘୁସୁରାମୁଣ୍ଡା ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହୋଇଛି । ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଛନ୍ତି ଶହ ଶହ ଲୋକ । ସେପଟେ ସାମନାକୁ ଆସିଛି ଆଉ ଏକ ଛାତିଫଟା ଖବର । ସ୍ୱାମୀ ଛତିଶଗଡ ଯାଇଥିବାବେଳେ ଦିଲ୍ଲୀରେ ଏକା ଥିଲେ ଅଚ୍ୟୁତାନନ୍ଦଙ୍କ ପତ୍ନୀ । ଆଉ ଟିଭିର ବ୍ରେକିଂ ନ୍ୟୁଜରେ ସ୍ୱାମୀଙ୍କ ମୃତ୍ୟୁ ଖବର ଦେଖି ସେ ହତବାକ୍ ହୋଇଯାଇଥିଲେ । ତାଙ୍କ ପାଦତଳୁ ଖସିଯାଇଥିଲା ମାଟି ।

ବ୍ରେକିଂ ନ୍ୟୁଜ୍ କେତେ ସାଂଘାତିକ ହୋଇପାରେ, କେତେ ଦୁଃଖ ଦେଇପାରେ । ତାହା ଅଚ୍ୟୁତାନନ୍ଦଙ୍କ ମୃତ୍ୟୁ ଘଟଣାରେ ସ୍ପଷ୍ଟ ବାରି ହୋଇପଡୁଥିଲା । ବ୍ରେକିଂ ନ୍ୟୁଜରେ ଚାଲିଛି ସ୍ୱାମୀଙ୍କ ମୃତ୍ୟୁ ଖବର । ଆକାଶ ଛିଣ୍ଡି ପଡୁଛି ପତ୍ନୀଙ୍କ ଉପରେ । ନିର୍ବାକ ହୋଇ ଯାଉଛନ୍ତି ସେ । ସତେଯେପରି ଶରୀରରୁ ପ୍ରାଣ ଛାଡ଼ି ଚାଲିଯାଉଛି । ଏହା ଏଭଳି ଏକ କାହାଣୀ ଯାହାକୁ ଶୁଣିଲେ ଆଖିରୁ ଲୁହ ଆପଣା ଛାଏଁ ଖସିପଡିବ । ଟିଭିରେ ଯେତେବେଳେ ନ୍ୟୁଜ ଫ୍ଲାସ ଚାଲିଲା, ଛତିଶଗଡରେ ନକ୍ସଲ ହମଲାରେ ଜଣେ ଡିଡି କ୍ୟାମେରାମ୍ୟାନଙ୍କ ମୃତ୍ୟୁ ହୋଇଛି , ସେତେବେଳେକୁ ଦିଲ୍ଲୀ ଭଡାଘରେ ଏକା ଥିଲେ ଅତ୍ୟୁତାନନ୍ଦଙ୍କ ପତ୍ନୀ ହିମାଂଚଳୀ । ଟିଭିରୁ ଖବର ଦେଖି ବେଡ୍ ଉପରେ ଥମ୍ କରି ବସିଯାଇଥିଲେ ହିମାଂଚଳୀ । ଆଖିରୁ ଅବାରିତ ବୋହି ଚାଲିଥିଲା ଅମାନିଆ ଲୁହ ।

ଖବର ବାବଦରେ ସ୍ପଷ୍ଟ ହେବାଲାଗି ମଧ୍ୟ କାହାରିକୁ ଫୋନ୍ କରିବାକୁ ସାହସ ଜୁଟାଇପାରିନଥିଲେ ସେ । ଦିଲ୍ଲୀ ଦୂରଦର୍ଶନରେ କାମ କରୁଥିବା ଅଚ୍ୟୁତାନନ୍ଦ ସ୍ପେଶାଲ ଆସାଇନମେଂଟ ପାଇଁ ଛତିଶଗଡ ଯାଇଥିଲେ । ନୀଲଭାୟା ଅଭିମୁଖେ ବାହାରିବା ପୂର୍ବରୁ ଅଚ୍ୟୁତଙ୍କୁ ଫୋନ କରି ହାଲଚାଲ ବୁଝିଥିଲେ ପତ୍ନୀ ହିମାଂଚଳୀ । କିଛି ଘଂଟା ପରେ ଏପରି ଖବର ତାଙ୍କ ପାଦ ତଳୁ ମାଟି ଖସାଇ ଦେଇଥିଲା । ମାତ୍ର ଦେଢ଼ ବର୍ଷର ଦାମ୍ପତ୍ୟ ଜୀବନରେ ଏପରି ପୂର୍ଣ୍ଣଛେଦ ପଡିଯିବ, ବିଶ୍ୱାସ କରି ପାରୁନଥିଲେ ସେ । ଏପଟେ ବଲାଙ୍ଗୀର ଘୁଷୁରିମୁଣ୍ଡାରେ ଖେଳି ଯାଇଥିଲା ଶୋକର ଛାୟା । ଅଚ୍ୟୁତାନନ୍ଦଙ୍କ ପରିବାର ଓ ଜ୍ଞାତିକୁଟୁମ୍ବଙ୍କ ମଧ୍ୟରେ ପଡିଥିଲା କାନ୍ଦବୋବାଳି । ପୁଅକୁ ହରାଇଥିବା ଖବର ଶୁଣି ହତବାକ୍  ହୋଇ ଯାଇଥିଲେ ତାଙ୍କ ବୃଦ୍ଧ ବାପା ମାଆ ।

ନକ୍ସଲ ହମଲାରେ ପ୍ରାଣ ହରାଇଥିବା କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କର ମରଶରୀର ଯେତେବେଳେ ତ୍ରିରଙ୍ଗା ଘୋଡା ହୋଇ ଘୁଷୁରିମୁଣ୍ଡା ଗାଁରେ ପହଁଚିଥିଲା, ସେତେବେଳେ ସହିଦ ଅମର ରହେ ଧ୍ୱନିରେ କମ୍ପିଥିଲା ସାହାସୀ ପୁଅର ଜନ୍ମମାଟି । ଅଚ୍ୟୁତଙ୍କ ପାଇଁ ସମସ୍ତ ଆଖିରୁ ଝରି ଆସିଥିଲା ଲୁହ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଥିଲା ନକ୍ସଲ ଗୁଳିରେ ପ୍ରାଣ ହରାଇଥିବା କର୍ତବ୍ୟରତ ସାମ୍ବାଦିକ ଅଚ୍ୟୁତାନନ୍ଦଙ୍କ ଅନ୍ତିମ ସଂସ୍କାର । ଜୁଇ ଯଜ୍ଞରେ ପଂଚଭୂତରେ ଲୀନ ହୋଇଯାଇଛି ତାଙ୍କର ମରଶରୀର ।

ଆଜି ଅଚ୍ୟୁତାନନ୍ଦ ସିନା ନାହାନ୍ତି, ହେଲେ ତାଙ୍କର କର୍ତବ୍ୟ ପ୍ରତି ନିଷ୍ଠା, ଅସରନ୍ତି ସାହାସ, ସବୁବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବ । ଜଣେ ସାମ୍ବାଦିକ ଭାବେ ସହିଦ ହେବାର ଗୌରବ ମିଳିଛି ଅଚ୍ୟୁତାନନ୍ଦଙ୍କୁ ।