ରାତାରାତି ଡବଲ ହୋଇଗଲା ଡାକ୍ତରଙ୍କ ଦରମା । କିନ୍ତୁ ଜାଣପାରିଲାନି ଅର୍ଥ ବିଭାଗ, ଆରଟିଆଇରେ ଆସିଲା ସାଂଘାତିକ ତଥ୍ୟ

570

କନକ ବ୍ୟୁରୋ : ରାତା ରାତି ଡାକ୍ତରଙ୍କ ଦରମା ହୋଇଗଲା ଡବଲ । ଅର୍ଥ ବିଭାଗର ଅଜାଣତରେ ବଢିଗଲା ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକଙ୍କ ଦରମା । ଏମିତିକି ନିର୍ଦ୍ଦାରିତ ଦରମା ଠାରୁ ଅଧିକ ଦରମା ନେଇ ଯାଉଛନ୍ତି ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଲଲାଟେନ୍ଦୁ ଷଡଙ୍ଗୀ । ସୂଚନା ଅଧିକାର ଆଇନ ବଳରେ ମିଳିଛି ଏମିତି କିଛି ଚାଂଚଲ୍ୟକର ତଥ୍ୟ । ଆଉ ଏହାରି ଆଧରରେ ପୁଲିସରେ ମାମଲା ଦାୟର ହେବା ସହ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ବି ହୋଇସାରିଛି ।

ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନର ମୁଖ୍ୟ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ । ତାଙ୍କ ଦରମା ୮୦ ହଜାର ଟଙ୍କା ହୋଇଥିବା ବେଳେ ତାଠାରୁ ଦୁିଗୁଣା ଦରମା ପାଉଛନ୍ତି ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ । ତିନି ବର୍ଷ ହେଲା ଡାକ୍ତର ଷଡଙ୍ଗୀଙ୍କ ଆକାଉଂଟକୁ ଦରମା ଭାବରେ ଆସୁଛି ୧ଲକ୍ଷ ୬୫ହଜାର ୫୭୮ ଟଙ୍କା । ଏମିତିକି ଏସବୁ ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ଜାଣତରେ ହୋଇଥିବା ବେଳେ ଅର୍ଥ ବିଭାଗ ପାଖରେ କିନ୍ତୁ ଏହାର ଖୋଜଖବର ନଥିଲା । ଆଉ ଘଟଣାର ପର୍ଦ୍ଦାଫାଶ ହେବା ପରେ ବର୍ତମାନ କ୍ରାଇବ୍ରାଂଚ ତଦନ୍ତ ଆରମ୍ଭ ହୋଇଛି ।ହେଲେ ଏହି ଘଟଣା ନେଇ କିନ୍ତୁ କ୍ୟାମେରା ସାମ୍ନାରେ କିଛି ବି କହିବାକୁ ନାରାଜ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ ।

୧୨ ଡିସେମ୍ବର ୨୧୪ରେ ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠନର ନିର୍ଦ୍ଦେଶକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା । ଡାକ୍ତର ଭାବେ କାର୍ଯ୍ୟକରୁଥିବା ଆବେଦନକାରୀଙ୍କ ପାଇଁ ୩୭ହଜାର ୪୦୦ରୁ ୬୯ହଜାରର ଦରମା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅବସର ନେଇଥିବା ଡାକ୍ତରଙ୍କୁ ନିଯୁକ୍ତି ଦେଲେ ୮୦ହଜାର ଟଙ୍କା ଦରମା ଦିଆଯିବ – କନସୋଲିଡେଟେଡ ମନି ଭାବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେତେବେଳେ ରେଳ ବିଭାଗରେ ଡାକ୍ତର ଭାବେ ବନାରସରେ କାମ କରୁଥିବା ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ ସ୍ୱେଚ୍ଛାକୃତ ଅବସର ନେଇ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଯୋଗ ଦେଲେ ।

ସେପ୍ଟେମ୍ବର ୨୦୧୫ରେ ସେ ୮୦ହଜାର ଟଙ୍କା ଦରମାରେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଦାୟିତ୍ୱ ନେଇଥିଲେ । କିନ୍ତୁ ଚଂଚକତା କରି ଡାକ୍ତର ଷଡଙ୍ଗୀ କାର୍ଯ୍ୟରତ ଡାକ୍ତରଙ୍କୁ ମିଳୁଥିବା ସମସ୍ତ ସୁବିଧା ପାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଲେ । ଅକ୍ଟୋବର ୨୦୧୫ରେ ହିଁ ସ୍ୱାସ୍ଥ୍ର‌୍ୟ ବିଭାଗ ଏହାକୁ ଅନୁମୋଦନ ଦେଲା ଓ ଡାକ୍ତଙ୍କ ଷଡ଼ଙ୍ଗୀଙ୍କ ଦରମା ୧ଲକ୍ଷ ୬୫ ହଜାର ହୋଇଗଲା । ସବୁଠାରୁ ବଡ କଥା ହେଉଛି ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକଙ୍କ ଦରମା ବଢିବା ନେଇ ଅର୍ଥ ବିଭାଗର ଅନୁମତି ନଥିଲା । କେମିତି ନିର୍ଦ୍ଧାରିତ ସର୍ତରେ କାର୍ଯ୍ୟରେ ଯୋଗଦେଇ ସରକାରଙ୍କୁ ସର୍ତ ବଦଳାଇବାକୁ ଚିଠି ଲେଖିଲେ ଡାକ୍ତର ଷଡଙ୍ଗୀ? ସ୍ୱାସ୍ଥ୍ୟ ବିଭାଗ ଅର୍ଥବିଭାଗର ଅଜାଣତରେ କେମିତି ଡାକ୍ତର ଷଡଙ୍ଗୀ ଦରମା ବଢାଇଲା, ସେନେଇ ମାମଲା ରୁଜୁ ହେବା ସହ ଆରମ୍ଭ ହୋଇଛି କ୍ରାଇମବ୍ରାଂଚ ତଦନ୍ତ ।