ଭୁବନେଶ୍ୱର ଓୟୋ ରୁମରୁ ଏକ କୋଟି ଟଙ୍କା ଜବତ ହେବା ଘଟଣା । ଏସଆଇ ବିଜୟ ଦାସଙ୍କ ନେତୃତ୍ୱରେ ତଦନ୍ତ ବେଳେ କେମିତି ଟଙ୍କା ହେଲା ଚୋରି, ସନ୍ଦେହ ଘେରକୁ ଆସିଲେ ବିଜୟ ।

154

କନକ ବ୍ୟୁରୋ : ଭୁବନେଶ୍ୱରରୁ କୋଟିଏ ଟଙ୍କା ଜବତ ଘଟଣା । ସନ୍ଦେହରେ ସ୍ପେଶାଲ ସ୍କ୍ୱାର୍ଡ଼ ସବଇନ୍ସପେକ୍ଟର । ତଦନ୍ତ ଘେରକୁ ଆସିଛନ୍ତି ଏସଆଇ ବିଜୟ କୁମାର ଦାସ । ଏସଆଇ ଟିମର ଲିଡ଼ କରୁଥିବା ବେଳେ କେମିତି ଟଙ୍କା ଚୋରି ହେଲା, ସେନେଇ ସନ୍ଦେହ କରୁଛି ପୋଲିସ । ଗିରଫ ହୋଇଥିବା ପୁଲିସ କର୍ମଚାରୀଙ୍କ ସହ ରହିଛି ବିଜୟଙ୍କର ରହିଛି କି ସମ୍ପର୍କ ? ସେନେଇ ତଦନ୍ତ କରୁଛି ପୋଲିସ ।

ଜଣେ ଆଡ଼ିସନାଲ ଡ଼ିସିପିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଟଙ୍କାର ତଦନ୍ତ ପାଇଁ ଆୟକର ବିଭାଗକୁ ଚିଠି ଲେଖିଛି ପୋଲିସ । ସବୁଠାରୁ ବଡ କଥା ହେଲା, ୪୦ଟି ପ୍ୟାକେଟରେ କୋଟିଏ ଟଙ୍କା ଆସିଥିଲା । ପୁଲିସ ରେଡ କରି ୩୧ଟି ପ୍ୟାକେଟ ଜବତ କରିଥିବା ବେଳେ ୯ଟି ପ୍ୟାକେଟ ନେଇ ଚମ୍ପଟ ମାରିଥିଲେ ୩ ପୁଲିସ କର୍ମଚାରୀ । ପରେ ସେମାନଙ୍କୁ ଗିରଫ କରିଥିଲା ଏବଂ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଡିସିପିଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଠକ ଗୋଷ୍ଠୀ ସହ ପୁଲିସ କର୍ମଚାରୀଙ୍କ ସଂପର୍କ ଏବଂ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରୁ କିଭଳି ଟଙ୍କା ଚୋରି ହେଲା, ସେନେଇ ମଧ୍ୟ ତଦନ୍ତ କରାଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ ପୂରା ଘଟଣା ଏକ କାହାଣୀ ଭଳି ମନେ ହେଉଥିଲେ ମଧ୍ୟ ଏହା ସତ । ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖିଥିଲେ କମିଶନରେଟ ପୁଲିସର ୩ କର୍ମଚାରୀ । ଆଉ ସେଥିପାଇଁ ରଚିଥିଲେ ମିଛ ରେଡର ଷଡଯନ୍ତ୍ର । ଜଣେ ବ୍ୟବସାୟୀଙ୍କୁ ଲୁଟ୍ କରିବା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲେ ଭୁବନେଶ୍ୱରର ୨ କନଷ୍ଟେବଳ ଦିଲ୍ଲୀପ ମଲ୍ଲିକ ଓ ସନ୍ଦୀପ ପୃଷ୍ଟି ଏବଂ କଟକର ଜଣେ ହାବିଲଦାର ପ୍ରଫୁଲ୍ଲ ଭୂୟାଁ ।

ଭୁବନେଶ୍ୱରର ଏକ ଓୟୋ ହୋଟେଲରେ ବେଟିଂ ଚାଲିଛି କହି ପୋଲିସ ରେଡ କରିବା ପରେ ଟଙ୍କା ଜବତ କରିଥିଲା । ହେଲେ କରଞ୍ଜିଆର ଜଣେ ବ୍ୟବସାୟୀଙ୍କୁ ଲୁଟିବା ପାଇଁ ୩ ପୁଲିସ କର୍ମଚାରୀଙ୍କ ସହ ଗିରଫ ଅନ୍ୟ ୫ ଜଣ ଯେଉଁ ମାଷ୍ଟର ପ୍ଲାନ କରିଥିଲେ, ତାହା ଶୁଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । କୋଟିଏ ଟଙ୍କାକୁ ଦେଢ କୋଟି ଟଙ୍କା କରିଦେବାର ଲୋଭ ଦେଖାଇ କମଳଙ୍କୁ ଭୁବନେଶ୍ୱର ଡାକିଥିଲେ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ପ୍ରଶାନ୍ତ ପଣ୍ଡା ଓ ତାଙ୍କ ସହଯୋଗୀ । ୪୦ଟି ପ୍ୟାକେଟରେ କୋଟିଏ ଟଙ୍କା ଥିବା ବେଳେ ପ୍ରତି ପ୍ୟାକେଟରେ ରହିଥିଲା ଅଢେଇ ଲକ୍ଷ ଟଙ୍କା । ଓୟୋ ହୋଟେଲରେ କାରବାର ଚାଲିଥାନ୍ତା, ହେଲେ ପୁଲିସ ସେଠାରେ ବେଟିଂ ଚାଲୁଥିବା କହି ରେଡ କରିଥିଲା । ସବୁଠାରୁ ବଡ କଥା ହେଲା, ୪୦ଟି ପ୍ୟାକେଟରେ କୋଟିଏ ଟଙ୍କା ଆସିଥିଲା । ପୁଲିସ ରେଡ ବେଳେ ୩୧ଟି ପ୍ୟାକେଟ ଜବତ କରିଥିବାବେଳେ ୯ଟି ପ୍ୟାକେଟ ନେଇ ଚମ୍ପଟ ମାରିଥିଲେ ୩ ପୁଲିସ କର୍ମଚାରୀ । ଆଉ ଗତକାଲି ଏହି ଘଟଣା ଉପରୁ ପରଦା ହଟାଇଥିଲା କମିଶନରେଟ ପୋଲିସ । ତେବେ ଜଣେ ଏସଆଇ ନେତୃତ୍ୱରେ ରେଡ ହୋଇଥିଲେ ମଧ୍ୟ କିଭଳି ଟଙ୍କା ପ୍ୟାକେଟ ଗାଏବ ହୋଇଗଲା ତାହାକୁ ନେଇ ସନ୍ଦେହ ଘେରକୁ ଆସିଛନ୍ତି ଏସଆଇ ବିଜୟ କୁମାର ଦାସ ।